ନନ୍ଦପୁର ଗ୍ରାମରେ ମହାବୀର ବଜରଙ୍ଗ ବାଲି ଙ୍କ ବାର୍ଷିକ ଉତ୍ସବ ମହାଆଡମ୍ବର ରେ ପାଳିତ
ନନ୍ଦପୁର ବଜରଙ୍ଗ ବାଲି ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ନନ୍ଦପୁର ଗ୍ରାମରେ ପବିତ୍ର ବଜରଙ୍ଗବାଲିଙ୍କ ତୃତୀୟ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଆଡମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମ ଓ ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ଧାର୍ମିକ ପରିବେଶକୁ ଆହୁରି ଉତ୍ସାହମୟ କରିଥିଲେ। ଉତ୍ସବର ପ୍ରଥମ ଦିନରେ ଅଧିବେଶନ ଅଙ୍କୁରାରୋପଣ, ମଙ୍ଗଳ କଳସ ଶୋଭାଯାତ୍ରା ଏବଂ ଯଜ୍ଞ ପୂର୍ଣ୍ଣାହୁତି ଭଳି ବିଭିନ୍ନ ବୈଦିକ କାର୍ଯ୍ୟକ୍ରମ ଭକ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା।ସକାଳୁ ସକାଳୁ ଗ୍ରାମ ପରିକ୍ରମା କରି କଳସ ଶୋଭାଯାତ୍ରାରେ ମହିଳା ଶ୍ରଦ୍ଧାଳୁମାନଙ୍କର ବିଶେଷ ଉପସ୍ଥିତି ଦେଖିବାକୁ ମିଳିଥିଲା। ହରିନାମ ସଙ୍କୀର୍ତ୍ତନ, ଘଣ୍ଟ, ଶଙ୍ଖ ଓ ଭଜନ କୀର୍ତ୍ତନର ଧ୍ବନିରେ ସମଗ୍ର ନନ୍ଦପୁର ଗ୍ରାମ ଆଧ୍ୟାତ୍ମିକ ପରିବେଶରେ ମୁଗ୍ଧ ହୋଇଯାଇଥିଲା। ଭକ୍ତମାନେ ବଜରଙ୍ଗବାଲିଙ୍କ ନାମ ସ୍ମରଣ କରି ଭକ୍ତିରସରେ ମଗ୍ନ ହୋଇଥିଲେ।ଏହି ମହୋତ୍ସବର ମୁଖ୍ୟ କର୍ତ୍ତା ଭାବେ ତପନ ଧଳ ଓ ସୁଷମା ଧଳ ଦାୟିତ୍ବ ନିଭାଇଥିବା ବେଳେ ମୁଖ୍ୟ ଆୟୋଜକ ଭାବେ ଅତୁଲୁ ପୁହାଣ, ପ୍ରହ୍ଲାଦ ମହାଳିକ, କାଳିଆ ବେହେରା, ରିଲୁ ମହାଳିକ, ଗଣେଶ ଦାସ, କେଦାର ମହାଳିକ, ମନୋଜ ବେହେରା ପ୍ରମୁଖ ସକ୍ରିୟ ଭାବେ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଗ୍ରାମବାସୀଙ୍କ ସମୂହ ସହଯୋଗ ଓ ଯୁବକମାନଙ୍କ ଉଦ୍ୟମ ଯୋଗୁଁ ଉତ୍ସବଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
