ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ଗ୍ରୀନ ଫିଲ୍ଡ ଏୟାରପୋର୍ଟ କୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପୁରୀ – ବ୍ରହ୍ମଗିରି ରାସ୍ତାର ଶିପସରୁବାଲି ମୌଜାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ଗ୍ରୀନ ଫିଲ୍ଡ ଏୟାରପୋର୍ଟକୁ ବିରୋଧ କରି ଗୋରୁଆଳ ଓ ଆମ୍ବପଡ଼ା ପଞ୍ଚାୟତର ଶତାଧିକ ଗ୍ରାମବାସୀ ବିରାଟ ଶୋଭାଯାତ୍ରାରେ ଆସି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିସ୍ଥାପିତମାନଙ୍କୁ ଜମି ଅଧିଗ୍ରହଣ ଓ ପୁନର୍ବାସ ଆଇନ୍ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ପାଇଁ ବିସ୍ଥାପନ ଭତ୍ତା ବାବଦକୁ ପ୍ରତି ବିସ୍ଥାପିତ ପରିବାର ହିସାବରେ ୫ ଲକ୍ଷ ଟଙ୍କା ଗୃହ ସହାୟତା ଅଧୀନରେ ଏବଂ ନୂତନ ଘର ନିର୍ମାଣ ପାଇଁ ୩.୩୯ ଲକ୍ଷ ଟଙ୍କାରୁ ଅଧିକ ରାଶି,ସ୍ଥାନାନ୍ତର ସହାୟତା ପାଇଁ ଘରୋଇ ସାମଗ୍ରୀର ପରିବହନ ଏବଂ ସ୍ଥାନାନ୍ତର ବାବଦକୁ ୧.୧୩ ଲକ୍ଷ ଟଙ୍କା।ଜୀବିକା ସହାୟତା ଅଧୀନରେ ଗୋଟିଏ ବର୍ଷ ପାଇଁ ଜୀବିକା ନିର୍ବାହ ପାଇଁ ୫୪,୩୦୦ ଟଙ୍କା।ବ୍ୟବସାୟ ସହାୟତା ଅଧୀନରେ ଦୋକାନ ସ୍ଥାପନ ପାଇଁ ୨୫,୦୦୦ ଟଙ୍କା ପ୍ୟାକେଜ ଘୋଷଣା ରହିଥିଲା। କିନ୍ତୁ ଏଯାଏଁ ତାହା ମିଳିନଥିବାରୁ ଗତ ୨୭ ତାରିଖରେ ହୋଇଥିବା ଗ୍ରାମସଭା ନିଷ୍ପତ୍ତି ଅନୁଯାଇ ଆଜି ସ୍ଥାନୀୟ ଏସସିଏସ କଲେଜ ଛକରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଘେରାଉ କରିଥିଲେ।

ପୂର୍ବରୁ ଖବର ଦିଆଯାଇଥିଲେ ହେଁ ଦାବୀ ପତ୍ର ଗ୍ରହଣ କରିବା ପାଇଁ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ କି ଉପ ଜିଲ୍ଲାପାଳ ଉପସ୍ଥିତ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।ପରେ ଡେପୁଟି କଲେକ୍ଟର ପହଞ୍ଚି ଦାବୀପତ୍ର ଗ୍ରହଣ କରିଥିଲେ ।ପୁନର୍ବାସ ଓ ପୁନର୍ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଦିଆ ନଚେତ ଆଗକୁ ସମସ୍ତ ପ୍ରଶାସନିକ କାର୍ଯ୍ୟଳୟ ଘେରାଉ ଓ ଅଚଳ କରାଯିବା ସହ ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ସମସ୍ତ ରାଜନେତାଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏୟାରପୋର୍ଟ ପାଇଁ ମୋଟ ୧୧୬୪.୭୫୪ ଏକର ଜମି ଅଧିଗ୍ରହଣ ହେବ। ସେଥିମଧ୍ୟରୁ ୨୨୧.୮୯୧ ଏକର ଘରୋଇ ଜମି ଅଧିଗ୍ରହଣ କରାଯିବ। ବାକି ୯୪୨.୮୬୩ ଏକର ସରକାରୀ ଜମି ରହିଛି। ଉଭୟ ସିପସରୁବାଲି ଏବଂ ଷଣ୍ଢପୁର ମୌଜାରୁ ମୋଟ ୧୨୯ ପରିବାର ବିସ୍ଥାପିତ ହେବେ।

Leave a Reply

Your email address will not be published. Required fields are marked *