ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତିନି ରଥ ନିର୍ମାଣ କାର୍ଯ୍ୟରେ ବିଶ୍ୱକର୍ମା ମହାରଣା, ଭୋଇ, କମାର ଓ କରତିଆ ସେବକଙ୍କ ପରେ ଆଜି ରୂପକାର ସେବାୟତ ମାନେ ଏହି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ହୋଇଥିବାରୁ ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ଭୋଇ ସେବକ ମାନେ ୧୨ ଫୁଟିଆ କାଠ ଆଣି ରଥଖଳାରେ ରଖିବା ପରେ ବିଶ୍ୱକର୍ମା ମହାରଣାମାନେ ବାରସି ଦ୍ୱାରା ଚଉପଟ କରି ରୂପକାର ମାନଙ୍କୁ ଜିମା ଦେଇଛନ୍ତି। ତେବେ ଗୁଜ ଜଳଯନ୍ତ୍ର ଓ କୁଡୁକା ଆଦି ତିଆରି ହେବା ପରେ ରୂପକାରମାନେ ଗୁଜରେ ନୃସିଂହଙ୍କ ମୁର୍ତ୍ତି ଖୋଦେଇ ନିର୍ମାଣ ଆରମ୍ଭ କରିଛନ୍ତି। ତେବେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୧୦ ଦିନ ପୁରିଛି। ତିନିରଥ ପାଇଁ ୪୨ ତୁମ୍ୱ ଆବଶ୍ୟକ ଥିବା ବେଳେ ସମସ୍ତ ତୁମ୍ୱ ଓ ବିନ୍ଧ କାର୍ଯ୍ୟ ଶେଷ ହୋଇଛି।

ତୁମ୍ୱରେ ବିନ୍ଧ କାମ ଶେଷ ହୋଇଥିବା ବେଳେ ଏଥିରେ ଅର ଓ ପହି ଖଞ୍ଜା ହେବ। ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ହୋଇଥିବାରୁ ଏହି ଅବସରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସେବକଙ୍କ ଦ୍ୱାରା ଯନ୍ତାଗାଡ଼ ଖୋଳା ଯାଇଛି। ପୂର୍ବ ବର୍ଷରୁ ଏହାକୁ ମାଟି ଘୋଡ଼ା ଯାଇ ବନ୍ଦ ରଖାଯାଇଥିଲା। ପୂଜା ପରେ ଏହି ଯନ୍ତାଗାଡ଼ରେ ଭୋଇ ସେବକମାନଙ୍କ ଦ୍ୱାରା ସିଙ୍ଗଡ଼ା ବାଡ଼ିଆ ହେବ ବୋଲି ଭୋଇ ସର୍ଦ୍ଧାର କହିଛନ୍ତି। ସେହିପରି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରଥଖଳାକୁ ଆସି ରଥ ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ମୁଖ୍ୟ ବିଶ୍ଵକର୍ମାଙ୍କ ସହିତ ଆଲୋଚନା କରିଛନ୍ତି। ରଥ ନିର୍ମାଣ କାରୀ ସେବକ ମାନଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ସୁରୁଖୁରୁରେ ରଥ ନିର୍ମାଣ କାର୍ଯ୍ୟ ଜାରୀ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *