ଅବହେଳିତ କୁରୁମ ବୌଦ୍ଧପୀଠ

ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ବୌଦ୍ଧ ପୀଠ କୁରୁମ ଏବେ ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଅଷ୍ଟମ ଶତାବ୍ଦୀର ଏହି ଐତିହ୍ୟକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଉପେକ୍ଷା କରୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ବିଭାଗୀୟ ଅବହେଳା ଯୋଗୁଁ ଏହି ପୀଠରେ ପର୍ଯ୍ୟଟକଙ୍କ ପାଦ ପଡ଼ୁନଥିବା ବେଳେ ଏହି ପୀଠ ଟି ଲୋକଲୋଚନର ଆଢୁଆଳରେ ରହି ଧ୍ୱଂସାଭିମୁଖୀ ହୋଇପଡ଼ିଛି। ପର୍ଯ୍ୟଟନ ବିଭାଗର ଅଣଦେଖା କରି କେବଳ ଏକ ଫଳକ ମାରିଦେଇ ତାର କାର୍ଯ୍ୟ ସାରିଦେଇଛି। ପୀଠ ସ୍ଥାନର ମାଲିକାନା ସ୍ଥାନୀୟ ବ୍ୟକ୍ତିଙ୍କ ନାମରେ ରହିଥ‌ିବାରୁ ଏହି ପୀଠର ବିକାଶ, ପ୍ରଚାର, ପ୍ରସାର ହୋଇ ପାରୁନଥିବା ଜଣା ପଡ଼ିଛି। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ଠାରୁ ମାତ୍ର ୬ କିଲୋମିଟର ଦୂର କୁରୁଜଙ୍ଗ ପଞ୍ଚାୟତ ଅଧୀନ କୁରୁମ ଗ୍ରାମରେ ରହିଛି ଏହି ବୌଦ୍ଧ ପୀଠ । ବୌଦ୍ଧ ପୀଠ ନିକଟରେ ରହିଛି ଧରମୁ ପୋଖରୀ । ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ବୈଶାଖ ପୂର୍ଣିମା ଦିନ ଏହି ପୋଖରୀ ରେ କାହିଁ କେଉଁ କାଳରୁ ବୁଡ଼ ପକାଇ ବୁଦ୍ଧଦେବ ( ସ୍ଥାନୀୟ ଅଞ୍ଚଳ ରେ ଧର୍ମ ଦେବତା)ଙ୍କୁ ଦର୍ଶନ କରି ଆସୁଛନ୍ତି ।

୧୯୮୪ ମସିହା ରେ କୋଣାର୍କ ଅଞ୍ଚଳର କେତେକ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଦ୍ଵାରା ଏହି ପୀଠକୁ ଲୋକଲୋଚନକୁ ଆଣିଥିଲେ। ପ୍ରତ୍ନତାତ୍ତ୍ୱିକ ଖନନ ପରେ ଧରମୁ ପୋଖରୀ ରୁ ପ୍ରାୟ ୬ଫୁଟ ଉଚ୍ଚତା ର ଏକ ବିଶାଳ ବୌଦ୍ଧ ମୂର୍ତ୍ତୀ ସହିତ ଚତୁର୍ଭୁଜ ବୌଦ୍ଧ ମୂର୍ତ୍ତୀ ଓ ଏକ ନାରୀ ମୂର୍ତି ଉଦ୍ଧାର ହୋଇଥିଲା। ଏଥି ସହିତ ପୋଖରୀ ସମ୍ମୁଖ ରୁ ପ୍ରାୟ ୪୦ ଫୁଟ ଓସାର, ୬୦ ଫୁଟ ଲମ୍ବର ଏକ ବିରାଟକାୟ ବୌଦ୍ଧ ବିହାର ର ଆବିଷ୍କାର କରାଯାଇଥିଲା। ଏହାପରେ ସରକାର ଏହି ସ୍ଥାନ କୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିଥିଲେ। ପୋଖରୀ ରୁ ଉଦ୍ଧାର ବିରଳ ମୂର୍ତ୍ତୀ ସବୁକୁ ଏକ ଗୃହ ନିର୍ମାଣ କରି ତା ଭିତରେ ରଖୁଥିଲେ। କିନ୍ତୁ ବୌଦ୍ଧ ବିହାର ବାହାରିଥିବା ସ୍ଥାନ ଟି ବ୍ୟକ୍ତିଗତ ହୋଇଥିବାରୁ ସେଠାରେ ସରକାର କୌଣସି ଉନ୍ନତି ମୂଳକ କାର୍ଯ୍ୟ କରିପାରୁନାହାନ୍ତି। ପ୍ରଥମେ ଉପଯୁକ୍ତ କ୍ଷତିପୂରଣ ଦେଇ ଉକ୍ତ ବ୍ୟକ୍ତିଙ୍କ ଠାରୁ ଉକ୍ତ ସ୍ଥାନକୁ ସରକାର ଅଧୂଗ୍ରହଣ କରିବା ଉଚିତ।

ତାପରେ ପୀଠର ଉନ୍ନତି କରିବା ଉପରେ ଦୃଷ୍ଟି ଦେବା ଦରକାର। ନା ସରକାର ବୌଦ୍ଧ ବିହାର ସ୍ଥାନକୁ ଅଧୂଗ୍ରହଣ କରୁଛନ୍ତି ନା ଉକ୍ତ ପୀଠର ଉନ୍ନତି ହୋଇପାରୁଛି। ସାରା ରାଜ୍ୟ ରେ ଥ‌ିବା ବିଭିନ୍ନ ବୌଦ୍ଧ ପୀଠ, ବିହାରର ଉନ୍ନତି ହେଉଥିବା ବେଳେ ବୌଦ୍ଧ ପୀଠ କୁରୁମ କେବଳ କାଗଜ କଲମରେ ଏକ ପର୍ଯ୍ୟଟନ ସ୍ଥଳୀ ହୋଇ ରହି ଯାଇଛି। ପ୍ରାୟ ଅଷ୍ଟମ ଶତାବ୍ଦୀର ଏହି ଐତିହ୍ୟ ଆଜି ସରକାରଙ୍କ ଉଦାସୀନତା କାରଣରୁ ଧ୍ୱଂସାଭିମୁଖୀ ହୋଇପଡ଼ିଛି । ରାଜ୍ୟ ସରକାରଙ୍କ ପ୍ରତ୍ନତ୍ୱତ ସଂସ୍ଥା ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଓ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *