ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ପକ୍ଷୀ ବସିବା ଶୁଭ ନା ଅଶୁଭ ?
ଏବେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ବାରମ୍ବାର ଚିଲ ବସୁଥିବା ଦେଖିବାକୁ ମିଳୁଛି। ପ୍ରତିଥର ଅପରାହ୍ନ କିମ୍ବା ସଂଧ୍ୟା ସମୟରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସୁଥିବା ଦେଖିବାକୁ ମିଳିଥିବା ବେଳେ ଆଜି ସକାଳୁ ଆଉ ଏକ ଚିଲ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟଦଣ୍ଡର ପତିତପାବନ ବାନା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସିଥିବା ଦେଖିବାକୁ ମିଳିଥିଲା । ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କେତେଜଣ ସେବାୟତ ଏହାକୁ ଅଶୁଭ ସଂକେତ ବୋଲି କହିଛନ୍ତି। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ। ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତବିଶେଷ ମତ ଦେଇଛନ୍ତି। ତେବେ ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବା,,,ବସିବା,,ମାନସିକ ବାନା ଛିଡିବା ଏବଂ ଶହଶହ ସଂଖ୍ୟାରେ ଚିଲ ଶ୍ରୀମନ୍ଦିର ଚାରିପଟେ ବୁଲିବା ନଜିର୍ ରହିଛି। ସୂଚନାଯୋଗ୍ୟ, ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଅନେକ ଥର ଚିଲ ବସିଥିବା ଦେଖିବାକୁ ମିଳିଛି l ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିବା ନଜିର ମଧ୍ୟ ରହିଛି।
