ମାଟିର ପ୍ରତିଧ୍ୱନି

ମାଟିର ପ୍ରତିଧ୍ୱନି
ଡ. ପ୍ରେମାନନ୍ଦ ବେହେରା

ତୁମେ ଯେ ନିର୍ବାକ୍ ହୋଇ ଦେଖୁଛ,
ମୁଁ ସେହି ଧ୍ୱନିର ପ୍ରତିଧ୍ୱନି…
ତୁମ ଅନ୍ତଃସ୍ୱରକୁ ଶୁଣି
ମୋ ହୃଦୟ ମଧ୍ୟ କମ୍ପିଯାଏ ନିରବେ,
ତୁମେ କୁହ ନାହିଁ…
କିନ୍ତୁ ତୁମ ଶ୍ୱାସରେ ମୁଁ ଶୁଣେ
ବିରହର ତାପ,
ରକ୍ତର ଗନ୍ଧ,
ଅନ୍ୟାୟର ଅର୍ତ୍ତନାଦ ।।

ଏହି ପୃଥିବୀ…
ମୋ ଓ ତୁମର ସାଧାରଣ ଘର,
ତଥାପି କାହିଁକି ଏତେ ଭାଗଭାଗ ?
କାହିଁକି ଏତେ ସୀମାରେଖା,
ଯେଉଁଠି ମାନବତା ହାରିଯାଏ ପଥ ?
ତୁମେ ଯାହା ଦେଖୁଛ
ସେସବୁ ମୁଁ ମଧ୍ୟ ଅନୁଭବ କରେ…
ଶିଶୁର ନିର୍ଦ୍ଦୋଷ ହସରେ
ଯେତେବେଳେ ଗୁଳିର ଧ୍ୱନି ମିଶିଯାଏ,
ସେଠି ମୋ ହୃଦୟ ଫାଟିଯାଏ ଅସହାୟ ହୋଇ ।।

ତୁମେ ପଚାର ଯୁଦ୍ଧର ଅର୍ଥ…
ମୁଁ କହେ,
ଯୁଦ୍ଧ କେବେ ବିକାଶ ନୁହେଁ,
ଏହା ମାନବତାର ଅବସାନର ଆରମ୍ଭ,
ଯେଉଁଠି ଶାନ୍ତିର ମୂଳ ଶୁଖିଯାଏ,
ସେଠି କେବଳ ଅହଂକାର ଫୁଟେ…
ଏବଂ ତାହାର ଫଳ
କେବଳ ଧ୍ୱଂସ ଓ ଶୂନ୍ୟତା ।।

ହେ ମଣିଷ—
ତୁମେ ଯେ ମୋ କୋଳରେ ବଢ଼ିଛ,
କାହିଁକି ତାକୁ ରକ୍ତରେ ଭିଜାଉଛ ?
କାହିଁକି ତୁମ ଭିତରର ଶାନ୍ତିକୁ
ଯୁଦ୍ଧରେ ହରାଇ ଦେଉଛ ?

ଆସ…
ଏବେ ମଧ୍ୟ ସମୟ ଅଛି,
ଶସ୍ତ୍ର ଛାଡ଼ି ଶବ୍ଦକୁ ଧର,
ଘୃଣା ଛାଡ଼ି ପ୍ରେମକୁ ବଢ଼ାଅ,
ତୁମେ ଯଦି ଏକ ପଦକ୍ଷେପ ନେବ,
ମୁଁ ତୁମ ପାଇଁ
ସହସ୍ର ପଥ ଖୋଲିଦେବି…
ଶାନ୍ତିର, ସମ୍ବେଦନାର, ନୂତନ ଆଶାର,
ତୁମେ ଯଦି ମାନବତାକୁ ବଞ୍ଚାଇବ
ମୁଁ ପୁଣି
ସୁଗନ୍ଧିତ ଫୁଲରେ ଭରିଦେବି…
ଏବଂ ଏହି ପୃଥିବୀ
ପୁଣି ହେବ
ସତ୍ୟ, ସୁନ୍ଦର ଜୀବନର ଗୀତ ।।

ପଦ୍ମପୁର, ବରଗଡ଼
9438292313

Leave a Reply

Your email address will not be published. Required fields are marked *