ପାରାଦ୍ୱୀପ ତୈଳ ବିଶୋଧନାଗାର ସମ୍ମୁଖରେ ଶ୍ରମିକଙ୍କ ଧାରଣା, ମଜୁରୀ ବୃଦ୍ଧି ପାଇଁ ଦାବୀ।
ପାରାଦ୍ଵୀପ – ପାରାଦ୍ୱୀପ ତୈଳ ବିଶୋଧନାଗାର ଶ୍ରମିକଙ୍କୁ ଶୋଷଣ କରୁଛି ଆଇଓସିଏଲ କମ୍ପାନୀ । ନିଜ ଭାତହାଣ୍ଡି ଭଳି ଜମି ଦେଲେ କିନ୍ତୁ ଏବେ ସେହି କମ୍ପାନୀରେ ଚାକିରୀ କରି ନିଜ ପେଟ ପୋଷିବା କଷ୍ଟକର ହେଲାଣି। ବାରମ୍ବାର ଦାବି ସତ୍ତ୍ୱେ ଶୁଣୁନାହାନ୍ତି ଆଇଓସିଏଲ କତ୍ତୃପକ୍ଷ। ଏପରିକି ଜିଲ୍ଲା ପ୍ରଶାସନ ର ମଧ୍ୟସ୍ଥତା ରେ ୧୫ ରୁ ଉର୍ଦ୍ଧ୍ୱ ଥର ଆଲୋଚନା ହୋଇଥିଲେ ମଧ୍ୟ ଶୁଣୁନାହିଁ ଆଇଓସିଏଲ। ଯାହାକୁ ନେଇ ଆଇଓସିଏଲ ଗେଟ୍ ନିକଟରେ ଶ୍ରମିକ ଧାରଣା ଦେଇଛନ୍ତି ପାଖାପାଖି ୩ ହଜାର ଠିକା ଶ୍ରମିକ। କେନ୍ଦ୍ର ସରକାର ବାରମ୍ବାର ଶ୍ରମିକଙ୍କ ସ୍ଵାର୍ଥକୁ ନେଇ ନିୟମ ପ୍ରଣୟନ କରୁଥିବାବେଳେ, ଆଇଓସିଏଲ ଭଳି ଏକ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଏଭଳି ଶ୍ରମିକ ମାରଣ ନୀତିକୁ ନେଇ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦିର୍ଘ ବର୍ଷ ହେଲା ସେମାନେ ଆଇଓସିଏଲ ବା ତୈଳ ବିଶୋଧନାଗାର ରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସଠିକ୍ ଦରମା ପ୍ରଦାନ କରାଯାଉନାହିଁ। ମାସକୁ ମାତ୍ର ୧୭ ରୁ ୧୮ ହଜାର ଟଙ୍କା ର ଦରମାରେ ବର୍ତ୍ତମାନ ପରିବାର ଚଳାଇବା ଏବଂ ପିଲାଙ୍କ ପାଠପଢା ସମ୍ଭବ ହେଉନାହିଁ। ପ୍ରତି ତିନି ବର୍ଷ ରେ ଥରେ ସେମାନଙ୍କ ଦରମା ବୃଦ୍ଧି ହେବାର ନିୟମ ରହିଥିବା ବେଳେ କମ୍ପାନୀ କତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି।

ଗତ ୧୬ ମାସ ତଳେ କମ୍ପାନୀ କତ୍ତୃପକ୍ଷ, ଶ୍ରମିକ ସଂଗଠନ ଓ ଶ୍ରମ ଅଧିକାରୀ ଙ୍କୁ ନେଇ ହୋଇଥିବା ଆଲୋଚନାରେ ସେମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା, ମାତ୍ର ଘଟଣାକୁ ୧୬ ମାସ ବିତିଥିଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ଯାହାକୁ ନେଇ ପାଖାପାଖି ୩ ହଜାର ଠିକା ଶ୍ରମିକ ତୈଳ ବିଶୋଧନାଗାର ଫାଟକ ନିକଟରେ ଧାରଣା ଦେଇଛନ୍ତି। ଯେପର୍ଯ୍ୟନ୍ତ ସେମାନଙ୍କ ଦାବୀ ପୂରଣ ନ ହୋଇଛି ଆନ୍ଦୋଳନ ଜାରି ରହିବ ଏବଂ ଦରକାର ପଡ଼ିଲେ ଆଇଓସିଏଲ ର ଗେଟ୍ କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।
