ଓଡିଆ ଭାଷା ସାହିତ୍ୟ କ୍ଷେତ୍ରରେ ସଂଯୋଗୀ ସଜଫୁଲର ଉଦ୍ଯମ ପ୍ରଶଂସନୀୟ

ଘଟଗାଁ,ତା ୩/୬ :- ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା, ପ୍ରଚାର ଓ ପ୍ରସାର ଏବଂ ଓଡ଼ିଆ ଭାଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବେଶ ସୃଷ୍ଟି କରି ଚାଲିଥିବା ରାଜ୍ୟର ଅଗ୍ରଣୀ ସାହିତ୍ଯାନୁଷ୍ଠାନ ” ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା, କେନ୍ଦୁଝର ” ଗତବର୍ଷ ପରି ଚଳିତ ବର୍ଷ ତା’ର ବାର୍ଷିକୋତ୍ସବରେ ଏକକାଳୀନ ୧୨ ଗୋଟି ପୁସ୍ତକ ପ୍ରକାଶନ କରିବା ଯାଉଛି। ପ୍ରକାଶ ଥାଉ କି ଅନୁଷ୍ଠାନ ଦ୍ୱାରା ପ୍ରାୟୋଜିତ ‘ ଆସ କିଛି ଶିଖିବା ଓ ଶିଖାଇବା – ୬ ‘ କାର୍ଯ୍ୟକ୍ରମ ମାଧ୍ୟମରେ ଗତ ୨୦୨୪/୨୫ ମସିହାରେ ସଂକ୍ଷିପ୍ତ କାବ୍ୟ ଅନ୍ତାକ୍ଷରୀ ରଚନା ଉପରେ ବିଭିନ୍ନ ବିଷୟ ଭିତ୍ତିକ ସାମାଜିକ ଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥି ମଧ୍ୟରୁ ୧୦ ଜଣ ପ୍ରତିଭାବାନ ସାରସ୍ବତ ସ୍ରଷ୍ଟାଙ୍କ ମଧ୍ୟରୁ ୮ ଜଣଙ୍କର କୃତି ଖୋର୍ଦ୍ଧା ଜିଲ୍ଲାର ଛନ୍ଦକବି ସୁରେଶ ଚନ୍ଦ୍ର ରଥଙ୍କ କାବ୍ଯିକ ରାମାୟଣ,କଟକ ଜିଲ୍ଲାର ବିଶ୍ବନାଥ ରଣାଙ୍କ ଅନନ୍ୟା ଉର୍ମିଳା ଓ ସୁଭଦ୍ରା ମହାପାତ୍ରଙ୍କ ରାମ ରସାମୃତ, କେନ୍ଦୁଝର ଜିଲ୍ଲାର ପ୍ରତାପ କିଶୋର ରାଉତଙ୍କ ରଘୁକୁଳ ତିଳକ ଶ୍ରୀରାମ, ଭୈରବ ଚନ୍ଦ୍ର ବେହେରାଙ୍କ ଶ୍ରୀଜଗନ୍ନାଥ ଚରିତାମୃତ ଓ ନେତ୍ରାନନ୍ଦ ମହାରଣାଙ୍କ ନୀଳ କନ୍ଦରରେ ଦାରୁ ଦେବତା, ଗଜପତି ଜିଲ୍ଲାର ବୃନ୍ଦାବନ ଗୌଡଙ୍କ କବିତା ଅମୃତ ଧାରା, ବାଲେଶ୍ଵର ଜିଲ୍ଲାର ମାନସ କୁମାର ପାତ୍ରଙ୍କ ମହାଭାରତର ମହକ, ବଲାଙ୍ଗୀର ଜିଲ୍ଲାର ହୃଷୀକେଶ ଦାଶଙ୍କ ଲଭ୍ ଜେହାଦ୍, ଅନୁଷ୍ଠାନର ସଂପାଦକ ବାବୁଲାଲ ପଲେଇଙ୍କ ଦ୍ବାରିକାର ମୂଲ୍ୟ ମୁଠାଏ ତଣ୍ଡୁଳ ର ଦ୍ବିତୀୟ ସଂସ୍କରଣ ଏବଂ ମାନସ ପୀଠ କେନ୍ଦୁଝର ଦ୍ବାରା ପ୍ରସ୍ତୁତ ସ୍ରଷ୍ଟା ସ୍ରୋତସ୍ବିନୀ ଏବଂ ଅନୁଷ୍ଠାନର ସମୀକ୍ଷା ସଂକଳନ ସଂଯୋଗୀ ସୃଜନ ସମୀକ୍ଷା ସୃଷ୍ଟିକୁ ଅନୁଷ୍ଠାନ ଆର୍ଥିକ ସହାୟତାରେ ଚଳିତ ଜୁନ୍ ମାସ ୭। ତାରିଖରେ ମା ତାରିଣୀ ପୀଠ ଘଟଗାଁସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହେବାକୁ ଯାଉଥିବା ସଂସଦର ବାର୍ଷିକ ଉତ୍ସବରେ ଲୋକାର୍ପଣ ହେବାକୁ ଯାଉଅଛି ବୋଲି ସଂପାଦକ ବାବୁଲାଲ ପଲେଇ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ପ୍ରତିଯୋଗୀତା ମାଧ୍ୟମରେ ନୂତନ ଲେଖକ ଲେଖିକା ମାନଙ୍କୁ ଅନୁଷ୍ଠାନ ତରଫରୁ ଆର୍ଥିକ ସହାୟତା ଦେଇ ପୁସ୍ତକ ପ୍ରକାଶନ କରିବା ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଏକ ବିରଳ ଘଟଣା ନିଶ୍ଚିତ।ଏହି ସଫଳତା ନିମନ୍ତେ ଅନୁଷ୍ଠାନର କର୍ମକର୍ତ୍ତା, ସଦସ୍ୟ ସଦସ୍ୟା, ରାଜ୍ୟ ସଂଚାଳକ,ପରିଚାଳକ, ବିଚାରକ, ନୀରିକ୍ଷକ ତଥା ସହଯୋଗ କରିଥିବା ସାରସ୍ବତ ସାଧକ ସାଧିକା ମାନଙ୍କୁ ସଭାପତି ଉପେନ୍ଦ୍ର ଦାଶ ଶ୍ରେୟ ଦେବାସହ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *