ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ତା-୧୩/୦୫/୨୦୨୬: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨୦୨୫-୨୬ ଖରିଫ୍ ମାର୍କେଟିଂ ଋତୁରେ ରବି ଫସଲ (ଧାନ) କ୍ରୟ ସଂପର୍କିତ ରାଜ୍ୟସ୍ତରୀୟ ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଯୋଗ ଦେଇ ଆଗାମୀ ରବି ଧାନ ସଂଗ୍ରହ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହ ନିବନ୍ଧକ ଶ୍ରୀ ମନୀଷ୍ ଅଗ୍ରଓ୍ୱାଲଙ୍କ ସମେତ ସଂପୃକ୍ତ ଅନ୍ୟ. ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ବୈଠକରେ ୨୦୨୫-୨୬ ଖରିଫ୍ ମାର୍କେଟିଂ ଋତୁରେ ଧାନ କ୍ରୟ ସଂପର୍କରେ ସୂଚନା ଦିଆଯାଇଥିଲା । ଜଣାଯାଇଛି ଯେ, ଗତ ୨୦୨୪-୨୫ ଖରିଫ୍ ରେ ୭୩.୪୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ୧୬ ଲକ୍ଷ ୬୦ ହଜାର ୨୩୦ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରୟ କରିଥିଲେ । ୨୦୨୫-୨୬ ଖରିଫରେ ୭୭.୪୮ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କ୍ରୟ ହୋଇଛି ଏବଂ ୧୮ ଲକ୍ଷ ୮୪ ହଜାର ୬୨୮ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରୟ କରିଛନ୍ତି, ଯାହାକି ପୂର୍ବ ବର୍ଷ ତୁଳନାରେ ୫.୪୮ ପ୍ରତିଶତ ଅଧିକ । ୨୦୨୫-୨୬ ରବି ଫସଲ ପାଇଁ ରାଜ୍ୟର ୨୦ ଟି ଜିଲ୍ଲାରୁ ୩,୭୫,୫୫୬ ଜଣ ଚାଷୀ ପଂଜୀକରଣ କରିଛନ୍ତି । ଗତ ୨୦୨୪-୨୫ ରେ ଏହି ସଂଖ୍ୟା ୩,୩୮,୪୮୧ ଥିଲା । ରବି ଧାନ ଧାର୍ଯ୍ୟ କ୍ରୟ ସମୟ ସୀମା ମେ ମାସ ୧ ତାରିଖରୁ ଜୁନ୍‌ ୩୦ ମଧ୍ୟରେ ହେବାକୁ ନିର୍ଦ୍ଧାରିତ ଥିବା ବେଳେ ବିଭିନ୍ନ ଜିଲ୍ଲା ୧୪ ମଇରୁ ଅଲଗା ଅଲଗା ତାରିଖରେ ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ନିଷ୍ପତ୍ତି ଅନୁସାରେ ତାରିଖ ନିର୍ଦ୍ଧାରଣ କରିଛନ୍ତି । ଭାଗ ଚାଷୀଙ୍କ ସମେତ କ୍ଷୁଦ୍ର, ନାମ ମାତ୍ର ଚାଷୀ ଓ ପ୍ରକୃତ ଚାଷୀ ମାନେ ଯେପରି ଉପକୃତ ହେବେ ସେଥିପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଧାନ ସଂଗ୍ରହ ତା-୧୦.୧୦.୨୦୨୫ କ୍ୟାବିନେଟ ବୈଠକରେ ଅନୁମୋଦିତ ଖରିଫ ମାର୍କେଟିଂ ଋତୁ ୨୦୨୫-୨୬ ଖାଦ୍ୟ ଓ କ୍ରୟ ନୀତି ଆଧାରରେ କରାଯିବ । ଜିଲ୍ଲାସ୍ତରରେ ରାଜସ୍ୱ, ସମବାୟ, ପୁଲିସ୍‌, ପରିବହନ, କୃଷି, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଆଦି ବିଭାଗୀୟ ଅଧିକାରୀଙ୍କ ସହିତ ସମନ୍ୱୟ କରି ଧାନ ସଂଗ୍ରହ କାର୍ଯ୍ୟ ହେବ । ଜିଲ୍ଲାସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ନିୟମିତ ଭାବେ ଧାନ ସଂଗ୍ରହ ପରିଚାଳନା ତଦାରଖ କରିବେ । ବାହାରୁ ଯେପରି ଅନଧିକୃତ ଭାବେ ଧାନ ପ୍ରବେଶ ନ କରେ, ସେଥିପାଇଁ ରାଜ୍ୟ ସୀମାରେ ଯାଞ୍ଚକୁ କଡ଼ାକଡ଼ି କରାଯିବ । ବିଭିନ୍ନ ଜିଲ୍ଲାରେ ମୋଟ ୨୪୭୨ ଜଣ ମଣ୍ଡି ନୋଡାଲ ଅଧିକାରୀ ନିୟୋଜିତ ହୋଇଛନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଲିଃ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରବି ଧାନ ସଂଗ୍ରହ ବ୍ୟବସ୍ଥା ଓ ସବିଶେଷ ପଦ୍ଧତି ସମ୍ପର୍କରେ ଉପସ୍ଥାପନ କରିଥିଲେ । ଧାନ କ୍ରୟ କେନ୍ଦ୍ରରେ ଆଶ୍ରୟସ୍ଥଳ, ପାନୀୟ ଜଳ ଓ ଆନୁଷଙ୍ଗିକ ସୁବିଧା ସହ ଯଥେଷ୍ଟ ସଂଖ୍ୟକ ତର୍ପୋଲିନ(ପାଲ) ବ୍ୟବସ୍ଥା ଏବଂ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି l ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ରାଜ୍ୟ ମୁଖ୍ୟାଳୟରେ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର (ସିସିଇସି) ସହିତ ସମନ୍ୱିତ କରାଯାଇ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ପ୍ରଭାବୀ କରାଯାଇଛି । ଧାନ ସଂଗ୍ରହ ପରିଚାଳନା ବ୍ୟବସ୍ଥା ସଂପର୍କରେ ସୂଚନା, ଶିକ୍ଷା, ଯୋଗାଯୋଗ ଆଇଇସି ବ୍ୟବସ୍ଥା ମାଧ୍ୟମରେ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଇଛି । କଲ ସେଣ୍ଟର, ମୋବାଇଲକୁ ବାର୍ତ୍ତା ପ୍ରେରଣ, ୧୯୬୭ ଟୋଲ ଫ୍ରି ବ୍ୟବସ୍ଥା କୃଷକମାନଙ୍କ ପାଇଁ ସୂଚନା ଓ ଫିଡବ୍ୟାକ୍‌ ଦେବା ପାଇଁ କାର୍ଯ୍ୟକାରୀ ହୋଇଥିବା ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ଏ ବର୍ଷ ଶୀଘ୍ର ମୌସୁମୀ ଆସିବାକୁ ଦୃଷ୍ଟିରେ ରଖି ମଣ୍ଡିକୁ ଆସୁଥିବା ଧାନ ଯେପରି ବର୍ଷା ଓ ଆଦ୍ରତାରୁ ସୁରକ୍ଷିତ ରହେ, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ନିର୍ଦ୍ଧାରିତ ହୋଇଥିବା ମାର୍ଗଦର୍ଶିକାକୁ ସଠିକ ଅନୁସରଣ କରି ରବି ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା କରିବାକୁ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟ ଖିଲାପ କରୁଥିବା ଅଧିକାରୀ, ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟକ୍ତି, ସଂପୃକ୍ତ କୃଷି ସମବାୟ ସମିତି, ମିଲର ତଥା ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ସତର୍କ କରିଛନ୍ତି l ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବାକୁ ଆନୁଷ୍ଠାନିକ ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *