ସରିଲା ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନର ରତ୍ନଗଣତି କାର୍ଯ୍ୟ

ସରିଲା ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନର ରତ୍ନଗଣତି କାର୍ଯ୍ୟ ।ଗତକାଲି ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ ତଥା ମୋଟ ଉପରେ ଏକାଦଶ ଦିନରେ ହୋଇଥିଲା କାଳିଆ ସାଆନ୍ତଙ୍କ ରତ୍ନ ଅଳଙ୍କାର ଗଣତି । ଗତକାଲିକୁ ମିଶାଇ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାରରେ 6 ଦିନର ଗଣତି କାର୍ଯ୍ୟ ହୋଇଛି ।ଗତକାଲି ଅପରାହ୍ନ 3 ଟା 40 ରେ ଟିମ୍ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ବେଳେ 4 ଟା 27 ରେ ଭିତର ଭଣ୍ଡାର ଖୋଲାଯାଇ ଆରମ୍ଭ ହୋଇଥିଲା ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ । ରାତି 8 45 ପର୍ଯ୍ୟନ୍ତ ଚାଲିଥିଲା ରତ୍ନ ଅଳଙ୍କାର ଗଣତି ମଣତି । ଅର୍ଥାତ୍ ପ୍ରାୟ 4 ଘଣ୍ଟା 18 ମିନିଟ ଗଣତି ହୋଇଥିଲା । ଏ ପର୍ଯ୍ୟନ୍ତ ମୋଟ ପ୍ରାୟ 65 ଘଣ୍ଟା ପାଖାପାଖି ଗଣତି କାର୍ଯ୍ୟ ସରିଛି । ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବରେ ଚିହ୍ନିତ କରି ବିଭିନ୍ନ ରଙ୍ଗର ମୁଣିରେ ବା କପଡ଼ାରେ ରଖିବା ପରେ ତାକୁ ଷ୍ଟିଲ ବାକ୍ସ ରେ ଭର୍ତ୍ତି କରି ପୁଣି ସିନ୍ଦୁକରେ ଚାବି ଦିଆଯାଇଛି। ଚଳିତ ମାସରେ ଆଉ 7 ଦିନ ଗଣତି କାର୍ଯ୍ୟ କରାଯିବ ।ଆସନ୍ତା 19 ତାରିଖ,21 ତାରିଖ,23 ତାରିଖ,26 ତାରିଖ,28 ତାରିଖ,29 ତାରିଖ ଓ 30 ତାରିଖରେ ଗଣତି କାର୍ଯ୍ୟ କରାଯିବ । ପରେ ଜୁନ୍ ମାସରେ ସ୍ନାନପୂର୍ଣ୍ଣିମା ପୂର୍ବରୁ ମଧ୍ୟ ଗଣତି କାର୍ଯ୍ୟ ହେବା ନେଇ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ସେପଟେ ଜଷ୍ଟିସ ବିଶ୍ୱନାଥ ରଥ ସ୍ପଷ୍ଟ କରିଛନ୍ତି ଯେ ଚଳନ୍ତି ଭଣ୍ଡାରରେ ଦୁଇଟି ଅଳଙ୍କାରର ଗଣତି ହୋଇନାହିଁ । ଯାହା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିଲା । ବାହାର ଭଣ୍ଡାରରେ 1978 ତାଲିକା ମେଳକ ଅନୁସାରେ ଦୁଇ ତିନିଟି ଅଳଙ୍କାରର ଚିହ୍ନଟ ହୋଇନାହାନ୍ତି । କିନ୍ତୁ ବାହାର ଭଣ୍ଡାରରେ ଅଳଙ୍କାର ସଂଖ୍ୟା ବୃଦ୍ଧି ହୋଇଛି । ଭିତରେ ଭଣ୍ଡାରରେ ଏଯାବତ୍ ମେଳକରେ ସମ୍ପୂର୍ଣ୍ଣ ପୂର୍ଣ୍ଣତା ରହିଛି ।

Leave a Reply

Your email address will not be published. Required fields are marked *