ସମୁଦ୍ରକୁ ଗଲେ ୪୩ ହଜାରରୁ ଉର୍ଦ୍ଧ୍ବ ଅଲିଭ ରିଡ଼ଲେ କଇଁଛ ଛୁଆ
କୋଣାର୍କ – ପୁରୀ ଜିଲ୍ଲା କୋଣାର୍କ ବନ୍ୟପ୍ରାଣୀ ବାନଞ୍ଚଳ ପକ୍ଷରୁ ଚଳିତ ଋତୁରେ ୪୩ ହଜାରରୁ ଉର୍ଦ୍ଧ୍ବ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛ ଛୁଆ ସମୁଦ୍ରକୁ ସୁରକ୍ଷିତ ଭାବେ ଛଡ଼ା ଯାଇଛି। ପୁରୀ ଜିଲ୍ଲାର କେଲୁଣୀ ମୁହାଣ ଠାରୁ କୁଶଭଦ୍ରା ନଦୀ ମୁହାଣ ମଧ୍ୟରେ ବିରଳ ଅଲିଭ ରିଡ଼ଲେ କଇଁଛ ମାନେ ସମୁଦ୍ରରେ ମିଳନ କରି ଉପକୂଳର ସ୍ବର୍ଣ୍ଣାଭ ବାଲି ଓ ଝାଉଁ ବଣରେ ଅଣ୍ଡାଦାନ କରି ସମୂଦ୍ର ମଧ୍ୟକୁ ଚାଲି ଯାଆନ୍ତି। ଅଣ୍ଡା ଗୁଡିକୁ ସୁରକ୍ଷିତ ରଖିବା ପାଇଁ କୋଣାର୍କ ବନ୍ୟପ୍ରାଣୀ ବାନଞ୍ଚଳ ପକ୍ଷରୁ ରାମଚଣ୍ଡୀ, ଚନ୍ଦ୍ରଭାଗା, ବଡଖଞ୍ଜ ଦଶଧାଡିଆ ଓ କଅଁରପୁର ନିକଟରେ ଅସ୍ଥାୟୀ ହାଚେରି କରି ସୁରକ୍ଷିତ ରଖାଯାଏ। ପରେ ସେମାନେ ଅଣ୍ଡାରୁ ଛୁଆ ହେଲେ ତାଙ୍କୁ ସୁରକ୍ଷିତ ଭାବେ ବଙ୍ଗୋପ ସାଗରରେ ଛାଡ଼ି ଦିଆଯାଏ। ଉପରୋକ୍ତ ୪ଟି ସ୍ତ୍ନାନରେ ଚଳିତ ବର୍ଷ ବନ କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା ୫୩ ହଜାର ୫୩୨ ଟି ଅଣ୍ଡା ସଂଗ୍ରହ କରାଯାଇ ୪୫୮ ଟି ବସାରେ ରଖାଯାଇଥିଲା। ତନ୍ମଧ୍ୟରୁ ଆଜି ପର୍ଯ୍ୟନ୍ତ ୪୩ ହଜାର ୭୦ ଟି ବିରଳ ଅଲିଭ କଇଁଛ ଛୁଆ ଜୀବିତ ଭାବେ ସମୁଦ୍ରକୁ ଛଡ଼ା ଯାଇଥିବା ନେଇ କୋଣାର୍କ ବନ୍ୟପ୍ରାଣୀ ବାନଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ସୂଚନା ଦେଇଛନ୍ତି। ଅଲିଭ ରିଡ଼ଲେ କଇଁଛଙ୍କ ଏପରି ସୁରକ୍ଷା ପାଇଁ ସୁନ୍ଦର ପଦକ୍ଷେପ ନେବା ସହ ଯତ୍ନ ନେଇଥିବାରୁ ପରିବେଶପ୍ରେମି ଜ୍ଞାନ ରଞ୍ଜନ ବିଶ୍ଵାଳ ବନ ବିଭାଗ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି।
