ଧାମନଗର ଏସିଡିସି ବୈଠକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

ଭଦ୍ରକ, ୧୪/୦୫ : ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି (ଏସିଡିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ‍୍ୟବଂଶୀ ସୂରଜ ବୈଠକରେ ଯୋଗଦେଇ ବିଗତ ବର୍ଷ ଓ ଚଳିତ ବର୍ଷରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ।ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସେଚନ, ଖାଉଟି ଯୋଗାଣ, ମତ୍ସ୍ୟ, ଉଦ୍ୟାନ, ଗମନାଗମନ, ମିଶନ ଶକ୍ତି, ପ୍ରାଣୀ ସମ୍ପଦ, ଉଠା ଜଳସେଚନ, ପୂର୍ତ୍ତ, ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ଓ ଜଳ ନିଷ୍କାସନ ବିଭାଗର ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ସଠିକ୍ ଭାବେ ଚାଲୁଛି କି ନାହିଁ, ସେନେଇ ଖୁବ୍ ତଥ୍ୟାତ୍ମକ ଆଲୋଚନା ହୋଇଥିଲା।

ଆଗାମୀ ବର୍ଷା ଋତୁ ପୂର୍ବରୁ ସମସ୍ତ ଅପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହାଛଡା ଧାନ ଚାଷ, ତୈଳବୀଜ ଫସଲ, ଝୋଟ, ମାଛ ଚାଷ, ଛତୁ ଚାଷ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ସ୍ୱାବଳମ୍ବନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀମାନେ ନିଜେ ପ୍ରସ୍ତୁତ କରୁଥିବା ସାମଗ୍ରୀର ବିକ୍ରୟ ବୃଦ୍ଧି କରି ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।ବୈଠକରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *