ନିଟ୍ (ୟୁଜି) ୨୦୨୬ ପରୀକ୍ଷାର ସୁପରିଚାଳନା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ଜିଲ୍ଲାପାଳମାନଙ୍କ ସହିତ ଆଭାସୀ ବୈଠକ
ଭୁବନେଶ୍ୱର, ତା- ୫.୦୬.୨୦୨୬ ଆସନ୍ତା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ (ୟୁଜି) ୨୦୨୬ ପୁନଃ ପରୀକ୍ଷାକୁ ସ୍ୱଚ୍ଛ, ସୁରକ୍ଷିତ ବ୍ୟବସ୍ଥା ଏବଂ ସୁଚାରୁ ପରିଚାଳନା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସମସ୍ତ ଜିଲ୍ଲାପାଳମାନଙ୍କ ସହ ଏକ ଆଭାସୀ ବୈଠକରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ନିଟ୍ ଏକ ଜାତୀୟସ୍ତରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହୋଇଥିବାରୁ ଏହାର ସଫଳ ଆୟୋଜନ ପାଇଁ ବୈଠକରେ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲା ପ୍ରଶାସନକୁ ସର୍ବୋଚ୍ଚ ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥା, ପରୀକ୍ଷା ସାମଗ୍ରୀର ନିରାପଦ ପରିବହନ, ପରୀକ୍ଷା କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି ଏବଂ ଆବଶ୍ୟକ ସମନ୍ୱୟ ଉପରେ ମୁଖ୍ୟ ଶାସନ ସଚିବ ବିଶେଷ ଗୁରୁତ୍ୱାରୋପ କରିଥିଲେ । ନିଟ୍ ପରୀକ୍ଷା ଜୁନ୍ ୨୧ ତାରିଖ ଅପରାହ୍ଣ ୨ଟାରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶାର ୨୭ଟି ସହରର ୧୩୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୬,୯୮୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ପ୍ରତ୍ୟେକ କେନ୍ଦ୍ରରେ ମାଜିଷ୍ଟ୍ରେଟ୍, ଆବଶ୍ୟକ ଯଥେଷ୍ଟ ସଂଖ୍ୟକ ପୋଲିସ କର୍ମଚାରୀ ଓ ସହାୟକ କର୍ମଚାରୀ ନିୟୋଜନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ ଯୋଗଦେଇ ନିଟ୍ ପରୀକ୍ଷା ଆୟୋଜନ ନେଇ ଆଲୋଚନା କରିଥିଲେ । ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ପରୀକ୍ଷା ସମ୍ବନ୍ଧୀୟ କୌଣସି ଗୁଜବ, ଭ୍ରାନ୍ତ ସୂଚନା କିମ୍ବା ଅସତ୍ ଉପାୟ ରୋକିବା ପାଇଁ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା । ଏହାସହ ପରୀକ୍ଷା ସମୟରେ ଟ୍ରାଫିକ୍ ପରିଚାଳନା, ମହିଳା ପରୀକ୍ଷାର୍ଥୀ ଏବଂ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ସିସିଟିଭି ଏବଂ ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ସମୀକ୍ଷା ଓ ସମନ୍ୱୟ ବୈଠକ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଜୁନ୍ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ମଧ୍ୟ ପାଳନ କରାଯିବାକୁ ଥିବାରୁ ଉଭୟ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ପୃଥକ୍ ପ୍ରଶାସନିକ ଏବଂ ପୋଲିସ ମୁତୟନ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏ ସଂପର୍କରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ର ମହା ନିର୍ଦ୍ଦେଶକ ଶ୍ରୀ ଅଭିଷେକ ସିଂ ପରୀକ୍ଷା ସୁପରିଚାଳନା ସଂପର୍କରେ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗ ସଚିବ ନୋଡାଲ ସଚିବ ଭାବେ ପରୀକ୍ଷା ପରିଚାଳନା ପ୍ରସ୍ତୁତି ତଦାରଖ କରୁଛନ୍ତି ।
