ଅସୁରକ୍ଷିତ କଳିଙ୍ଗା ଛକ: ରାତି ହେଲେ ଜମୁଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା, ପୋଲିସ ପେଟ୍ରୋଲିଂ ପାଇଁ ଦାବି ।

ଫୁଲବାଣୀ,କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିକଟସ୍ଥ କଳିଙ୍ଗା ଛକ ଏବେ ଅସାମାଜିକ ବ୍ୟକ୍ତିଙ୍କ ଚରାଭୂଇଁ ପାଲଟିଥିବା ଅଭିଯୋଗ ହୋଇଛି। ୧୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଛକରେ ରାତି ସମୟରେ ପୋଲିସ ପେଟ୍ରୋଲିଂର ଅଭାବ ଯୋଗୁଁ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବିଶେଷକରି ରାତି ପ୍ରାୟ ୨ଟା ପରେ ଅସାମାଜିକ ବ୍ୟକ୍ତିଙ୍କ ଉପଦ୍ରବ ବଢ଼ୁଥିବାରୁ ଅଞ୍ଚଳରେ ଅସୁରକ୍ଷିତ ପରିବେଶ ସୃଷ୍ଟି ହେଉଛି।ସ୍ଥାନୀୟ ସୂତ୍ରରୁ ପ୍ରକାଶ ଯେ, କିଛି ଦିନ ପୂର୍ବେ ରାତି ସମୟରେ ଦୁର୍ବୃତ୍ତମାନେ ସରୋଜ ସାହୁଙ୍କ ଘର ସମ୍ମୁଖରେ ରଖାଯାଇଥିବା ଏକ କାରର ପଛ କବାଟକୁ ଶାବଳରେ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ସେହିପରି ଗତକାଲି ରାତିରେ ମଧ୍ୟ କଳିଙ୍ଗା ଛକରେ ଥିବା ବୁଟା ସାହୁ ଓ ମିଟୁ ସାହୁଙ୍କ ଦୋକାନର ଚୁଲି ଭାଙ୍ଗି ଦେଇଥିବା ବେଳେ, ସୁଶାନ୍ତ ନାୟକଙ୍କ ଦୋକାନର ତାଲା ଭାଙ୍ଗିବାକୁ ଚେଷ୍ଟା କରାଯାଇଥିବା ଜଣାପଡ଼ିଛି।ଏପରି ବାରମ୍ବାର ଘଟୁଥିବା ଘଟଣାକୁ ନେଇ ସ୍ଥାନୀୟ ବ୍ୟବସାୟୀ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେମାନଙ୍କ କହିବା ଅନୁସାରେ, ଛକ ଉପରେ ପୋଲିସର ନିୟମିତ ପେଟ୍ରଲିଂ ନଥିବାରୁ ଅସାମାଜିକ ବ୍ୟକ୍ତିମାନେ ସକ୍ରିୟ ହେଉଛନ୍ତି।ସ୍ଥାନୀୟ ଲୋକଙ୍କ ଦାବି ହେଉଛି, ତୁରନ୍ତ କଳିଙ୍ଗା ଛକରେ ସିସିଟିଭି (CCTV) କ୍ୟାମେରା ସ୍ଥାପନ କରାଯାଉ ଏବଂ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଉ। ନହେଲେ ଆଗାମୀ ଦିନରେ ଏଠାରେ ବଡ଼ ଧରଣର ଅପରାଧ ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।ଏହି ପରିସ୍ଥିତିକୁ ପ୍ରଶାସନ ଓ ସ୍ଥାନୀୟ ପୋଲିସ ଗୁରୁତ୍ୱର ସହ ନେଇ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *