ସ୍କୁଲ ଭିତରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ସ୍କୁଲ ଭିତରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ: :-କଟୁରୀ-ଲୁହା ଚାପଡ଼ ଧରି ୪ ଦୁର୍ବୃତ୍ତଙ୍କ ତାଣ୍ଡବ:-ଅସ୍ତରଙ୍ଗରେ ଗୁରୁ ଗୁରୁତର :-ଛାତିରେ ପ୍ରବଳ ଯନ୍ତ୍ରଣା, ହାତରେ ଶକ୍ତ ଆଘାତଅସ୍ତରଙ୍ଗ/କାକଟପୁର :-୨୫/୦୬: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଲା ଅଭାବନୀୟ ଘଟଣା।ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ ସରିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲାସ ଚାଲିଥିବା ବେଳେ ଯୋଜନାବଦ୍ଧ ଭାବେ ପଶିଆସିଲେ ୪ ଜଣ ଦୁର୍ବୃତ୍ତ। ଗେଟ୍ ଭାଙ୍ଗି, ଶିକ୍ଷକଙ୍କ ଠାରୁ ମୋବାଇଲ୍ ଛଡାଇ, କଟୁରୀ, ଲୁହା ଚାପଡ଼ ଦେଖାଇ ଧମକ ଦେବା ସହ ଗୋଇଠା, ବିଧା ମାଡ଼ ମାରିଲେ। ଆକ୍ରମଣର ଶିକାର ହେଲେ ବିଦ୍ୟାଳୟର ଶିକ୍ଷକ ଅକ୍ଷୟ କୁମାର ବିଶ୍ୱାଳ। ମାଡ଼ ଅଧିକ ହେବାରୁ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଛି ଓ ହାତରେ ଶକ୍ତ ଆଘାତ ଲାଗିଛି। ଶରୀରକୁ ଅତ୍ୟଧିକ ମାଡ଼ହେବାରୁ ଅଚେତ ହୋଇପଡିଥିଲେ। ଅବସ୍ଥା ଗୁରୁତର ଥିବାରୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଶିକ୍ଷକଙ୍କ ପତ୍ନୀ କାମିନୀ ବିଶ୍ୱାଳ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ଗୁରୁବାର ଦିବା ୧୨ଟା ସମୟରେ ସରିପୁର ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ କମିଟି ବୈଠକ ସରିଥିଲା। ଶିକ୍ଷକ ଅକ୍ଷୟ କୁମାର ବିଶ୍ୱାଳ କ୍ଲାସରେ ପାଠ ପଢାଉଥିଲେ। ଏହି ସମୟରେ ପୂର୍ବରୁ ଲୁଚି ରହିଥିବା ୪ ଜଣ ବ୍ୟକ୍ତି ସ୍କୁଲ ଗେଟ୍ ଭାଙ୍ଗି ସିଧା କ୍ଲାସ ଭିତରକୁ ପଶିଗଲେ।ସେମାନେ ପ୍ରଥମେ ଶିକ୍ଷକଙ୍କ ମୋବାଇଲ୍ ଛଡାଇ ନେଲେ। ପରେ ତାଙ୍କୁ ବାଉଣ୍ଡରୀ ବାହାରକୁ ଟାଣି ଆଣିବାକୁ ପ୍ରୟାସ କରି ଗାଡିରୁ ଆଣିଥିବା କଟୁରୀ, ଲୁହା ଚାପଡ଼ ଦେଖାଇ “ଜୀବନରେ ମାରି ଦେବୁ” ବୋଲି ଧମକ ଦେଲେ। ତା’ପରେ ତଳେ ପକାଇ ଗୋଇଠା, ବିଧା ମାଡ଼ ମାରିଲେ। ଶିକ୍ଷକ ଓ ଛାତ୍ରଛାତ୍ରୀ ବଡ଼ ପାଟିରେ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ କାର୍ ଓ ମଟରସାଇକେଲରେ ଦ୍ରୁତ ଗତିରେ ନେଇ ଫେରାର୍ ହୋଇଗଲେ। ଯିବା ବେଳେ ବି ଧମକ ଦେଇଗଲେ – “ତୁମକୁ ଓ ତୁମ ପରିବାରକୁ ଛାଡିବୁନି।

”ଖବର ପାଇ ପତ୍ନୀ କାମିନୀ ବିଶ୍ୱାଳ ବିଦ୍ୟାଳୟରେ ପହଞ୍ଚି ଦେଖିଲେ ସ୍ୱାମୀ ଅଚେତ ଅବସ୍ଥାରେ ପଡିଛନ୍ତି। ତୁରନ୍ତ ତାଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି। ଛାତି ଯନ୍ତ୍ରଣା ଓ ହାତ ଆଘାତ ଗୁରୁତର ଥିବାରୁ ଡାକ୍ତର ଅନ୍ୟତ୍ର ରେଫର୍ କରିଛନ୍ତି।ଏ ନେଇ ପତ୍ନୀ କାମିନୀ ବିଶ୍ୱାଳ ଅସ୍ତରଙ୍ଗ ଥାନା ଓ ମଣ୍ଡଳ ଶିକ୍ଷାଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ୪ ଜଣ ବ୍ୟକ୍ତିଙ୍କ ନାମରେ ଥାନାରେ ସ୍ପଷ୍ଟ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ବିଷୟରେ କୌଣସି ସୂଚନା ଦେଇନାହିଁ କି ଗିରଫ ପାଇଁ ଠୋସ୍ ପଦକ୍ଷେପ ନେଇନାହିଁ। ଅସ୍ତରଙ୍ଗ ଥାନା ଅଧିକାରିଣୀ କହିଛନ୍ତି, “ଅଭିଯୋଗ ମିଳିଛି। ଶିକ୍ଷକଙ୍କୁ ମାଡ଼ ଘଟଣା ଅତ୍ୟନ୍ତ ଗୁରୁତର। ତଦନ୍ତ ଚାଲିଛି।” ମଣ୍ଡଳ ଶିକ୍ଷାଧିକାରୀ କହିଛନ୍ତି, “ବିଦ୍ୟାଳୟ ପରିସରରେ ଶିକ୍ଷକଙ୍କୁ ଆକ୍ରମଣ ନିନ୍ଦନୀୟ। ଶିକ୍ଷକଙ୍କୁ ତୁରନ୍ତ ନ୍ୟାୟ ମିଳିବା ଦରକାର ଓ ଦୁର୍ବୃତ୍ତଙ୍କ ଉପରେ କଡା ଆକ୍ସନ୍ ହେବା ଉଚିତ୍।” ଦିନ ଦ୍ୱିପହରେ ସ୍କୁଲ ଭିତରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। “ଯଦି ଗୁରୁ ସୁରକ୍ଷିତ ନୁହନ୍ତି, ତେବେ ଆମ ପିଲା କେମିତି ସୁରକ୍ଷିତ?” ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଅସ୍ତରଙ୍ଗ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି – ପୀଡିତ ଶିକ୍ଷକଙ୍କୁ ତୁରନ୍ତ ନ୍ୟାୟ ଦିଆଯାଉ ଏବଂ ଆକ୍ରମଣକାରୀ ୪ ଦୁର୍ବୃତ୍ତଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରି କଡା ଦଣ୍ଡ ଦିଆଯାଉ। ନଚେତ୍ ବ୍ଲକର ସମସ୍ତ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ।

Leave a Reply

Your email address will not be published. Required fields are marked *