ସମୟ ଖେଳୁଛି ଚକା ଭଉଁରୀ — ୨
ସମୟ ଖେଳୁଛି ଚକା ଭଉଁରୀ — ୨
🖋️କବିରତ୍ନ ନୂତନ କୁମାର ବେହେରା
ସଂସାରେ ସମୟର ସ୍ଥିତି ଗତି ପ୍ରଗତି ଅଗ୍ରଗତି
ଅଜଣା ସଭିଙ୍କୁ…….କେମିତି ଯାଉଛି ବିତି
ପ୍ରତ୍ୟେକେ ଅନୁଭବରେ ବିଚାର କରନ୍ତି
ନେଇ ତାଙ୍କର ନିଜ ନିଜର ପରିସ୍ଥିତି
ଋତୁ ଆସେ ଋତୁ ଯାଏ ତାର କ୍ରମଧାରାରେ
ରୂପରେଖ ତାର ବଦଳାଏ ପ୍ରକୃତି
ସ୍ଥାୟୀ ଭାବେ କାହାକୁ ଧରି
ରଖି ପାରେ ନାହିଁ ଏ ସୁନ୍ଦର ଧରିତ୍ରୀ
ନିୟତିର ନିୟମ ନୀତିକୁ ଚାଲେ ଅନୁସରି
ସଚରାଚର ଚାଲେ ସଂଘର୍ଷ କରି
କେବେ ହୁଏ ଶ୍ରୀହୀନ କେବେ ରଖେ ଶିରୀ
ସମୟ ଖେଳୁଛି ଚକା ଭଉଁରୀ
ହୁଏନାହିଁ ତାକୁ ନିଜ ଶକ୍ତିରେ ନିୟନ୍ତ୍ରଣ କରି
ଦୁଃଖ ସୁଖ ଜୀବନ ନଈର ଦୁଇ ସ୍ରୋତ
ବହି ଚାଲିଥାଏ ଅବିରତ
କାହାକୁ କେଉଁଠି ବୁଡ଼ାଏ କେଉଁଠି ଭସାଏ
କହିଦିଏ ନାହିଁ ତ ଭବିଷ୍ୟତ
ମନରେ ଭୟ ଆଶଙ୍କା ଆସେ ଅନେଶତ
ଶଙ୍କାକୁଳେ ମଣିଷ ରହେ ଶଙ୍କିତ
ଖୋଜି ଚାଲେ ଉପାୟ ପରେ ଉପାୟ
ସୂକ୍ଷ୍ମ ଚିନ୍ତନରେ ଯୋଜନାକୁ କରେ କାର୍ଯ୍ୟକାରୀ
ରହେ ଯେ ଧିମେଇ ଯାଏ ତ ହାରି
ସମୟ ଖେଳୁଛି ଚକା ଭଉଁରୀ
ନିଜକୁ ବୁଝି ଖେଳିଲେ ତା’ ହାତ ଧରି
ଆପଣାର କରିନିଏ ସେ ବିଶ୍ଵସ୍ତ ବନ୍ଧୁ ପରି
ଦେଖାଏ ଲକ୍ଷ୍ୟର ପଥ ସାନ୍ତ୍ଵନା ଦେଇ
ଶୃଙ୍ଖଳା ସଂଯମତା ବିନା କିଛି ବି ହୁଏନା ପାଇ
ରହିଥିଲେ ଅବଚେତନରେ ଶୋଇ
କିଏ ବା ଅଛି ଡ଼ାକି ଡ଼ାକି ଦେବ ଉଠାଇ
ଚେଇଁ ଶୋଇଥିବା ଲୋକ ପାଇଁ ଉପାୟ ନାହିଁ
ନିଜ କଥା ସେ ଭୁଲି ଯାଇ
କିଏ କଣ କହୁଛି ରହିଥାଏ କାନେଇଁ
ଭାବେ ଆନ ଆନ ଅଥୟ କରି ମନ
ଭାଗ୍ୟରେ ଫଳିବ ଫଳ ବୋଲି ରହେ ଚାହିଁ
ସମୟର ଗତି ଗଲେ ଅତିକ୍ରମ କରି
ପଶ୍ଚାତେ ଅନୁତାପ କରେ ବିଗତ ଦିନକୁ ସୁମରି
ସୁଯୋଗ ତ ଆସେ ନାହିଁ ବାରମ୍ବାର ଫେରି
ବିରସେ ହୁଅଇ ମର୍ମେ ମର୍ମେ ଘାରି
ରଖି ପାରେ ନାହିଁ ନିଜକୁ ନିଜେ ଆୟତ୍ତ କରି
ସମୟ ଖେଳୁଛି ଚକା ଭଉଁରୀ…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
