ବାହୁଡ଼ି ଆସିବେ ମୋ ଜଗା ବଳିଆ

   ବାହୁଡ଼ି ଆସିବେ ମୋ ଜଗା ବଳିଆ

 🖊️କବିରତ୍ନ ନୂତନ କୁମାର ବେହେରା

ବାହୁଡ଼ି ଆସିବେ ମୋ ଜଗା ବଳିଆ
           ଭକତ ରସିଆ ତୁଳସୀ ମାଳିଆ,
ଭାବେ ବାନ୍ଧିଛନ୍ତି ଭାବ ବିନୋଦିଆ
       ତୁମ ବିନା କିଏ ଭବେ ହେବ ସାହା,
ବାହୁଡ଼ି ଆସିବେ…….।୦।

ଛାଡ଼ି ଗଲ ତୁମେ ରତ୍ନ ସିଂହାସନ
       ଶ୍ରୀକ୍ଷେତ୍ର ଦିଶେ ତ ଶ୍ରୀହୀନ ମଳିନ,
ମାତା ମହାଲକ୍ଷ୍ମୀ କରିଛନ୍ତି ମାନ
          ମିଳେନା ଆଉ ତୁମ ଅଭଡ଼ା ଅହ୍ନ,
ବାହୁଡ଼ି ଆସିବେ…….।୧।

ଖାଇଲ ବାଣ୍ଟିଲ ବାବନ ପଉଟି
        ଅଭାବ ପଡୁଛି ଏତେ ଯେ ସାଉଁଟି,
ତୁମ ବିନା କିଏ ବୁଝାଇ ଦେବଟି
       ମଣିଷ ମନର ସେ ମୋହ ମାୟାଟି,
ବାହୁଡ଼ି ଆସିବେ……..।୨।

ବଡ଼ଦାଣ୍ଡ ତୁମ ହୋଇ ବି ପ୍ରଶସ୍ତ
           ବାଟବଣାରେ ମଣିଷ ଅସ୍ତବ୍ୟସ୍ତ,
ବାଟ ସରୁ ନାହିଁ କଲେ ଯେତେ ଗସ୍ତ
       ଫେରି ଆସି ତୁମେ କରାଅ ଆଶ୍ବସ୍ତ,
ବାହୁଡ଼ି ଆସିବେ………।୩।

ସକଳ ତୀର୍ଥ ତ ତୁମ ଚରଣରେ
         ଛାଡ଼ି ତୁମକୁ ମୁଁ ଯିବି କିଆଁ ଦୂରେ,
ଆଶ୍ରୟ ଦିଅ ହେ ତୁମ ଚରଣରେ
           ଜପୁଥିବି ତୁମ ନାମ ଆନନ୍ଦରେ,
ବାହୁଡ଼ି ଆସିବେ……..।୪।

ଜନମ ବେଦୀରୁ ଶ୍ରୀକ୍ଷେତ୍ର ଯାଏଁ
       ତୁମ ଦରଶନେ ମନ ମୋର ଧାଏଁ,
ବିଶ୍ବ ବ୍ରହ୍ମାଣ୍ଡରେ ତୁମେ ହିଁ ସାହା
   ଅଜ୍ଞାନ ଅନ୍ଧାରେ ଦେଖାଅ ଯେ ରାହା,
ବାହୁଡ଼ି ଆସିବେ………..।୫।

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି, ବାରିପଦା, ମୟୂରଭଞ୍ଜ ।

Leave a Reply

Your email address will not be published. Required fields are marked *