ଭଞ୍ଜନଗର ଜେଲ ପଡ଼ିଆରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ
ଭଞ୍ଜନଗର, ୧୫/୦୮/୨୦୨୬:ଭଞ୍ଜନଗର ଜେଲ ପଡ଼ିଆ ଷ୍ଟାଡିୟମଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଆଜି ଦେଶପ୍ରେମ ଓ ଉତ୍ସାହର ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଏନ୍ସିସି ଓ ସ୍କାଉଟ୍ କ୍ୟାଡେଟ୍ଙ୍କ ପରେଡ୍ ଦଳର ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭ ଓ ଶେଷରେ ବନ୍ଦେ ମାତରମ୍ ଓ ଜନଗଣମନ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏହି ଅବସରରେ ନିଜ ଅଭିଭାଷଣରେ ଉପଜିଲ୍ଲାପାଳ ଦେଶର ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧ, ଜାତୀୟ ଏକତା, ଭାଇଚାରା ଓ ସାମାଜିକ ସୁରକ୍ଷାର ସୁରକ୍ଷା ସହ ଦେଶ ଓ ସମାଜର ସାମଗ୍ରିକ ବିକାଶରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ରହିଛି ବୋଲି ସେ କହିଥିଲେ।ଗୌରବମୟ ପ୍ରାଚୀନ ସଭ୍ୟତା, ସଂସ୍କୃତି ଓ ପରମ୍ପରାରେ ସମୃଦ୍ଧ ଘୁମୁସର ମାଟି ଓଡ଼ିଶାର ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରୁଛି ବୋଲି ଉପଜିଲ୍ଲାପାଳ ଉଲ୍ଲେଖ କରିଥିଲେ। ଘୁମୁସର ଉପଖଣ୍ଡରେ କୃଷି ଓ କୃଷକଙ୍କ ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି ବିକାଶକୁ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଉଥିବା ସେ ପ୍ରକାଶ କରିଥିଲେ।ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଓ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରି ସେ ଯୁବପିଢ଼ିଙ୍କ ପାଇଁ ‘ଲକ୍ଷ୍ୟ ନିକେତନ’, ମହିଳାଙ୍କ ସଶକ୍ତିକରଣ ପାଇଁ ‘ସୁଭଦ୍ରା’ ଯୋଜନା, ଦାରିଦ୍ର୍ୟ ଦୂରୀକରଣ ଓ କୃଷକଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ସରକାରୀ ପଦକ୍ଷେପ ସମ୍ପର୍କରେ କହିଥିଲେ। ଏଥିସହ କୃଷି, ଶିଳ୍ପ, ବିଜ୍ଞାନ ଓ ପ୍ରଯୁକ୍ତି, ଭିତ୍ତିଭୂମି, ଗବେଷଣା ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ସେ ଆଲୋକପାତ କରିଥିଲେ।୨୦୩୬ ସୁଦ୍ଧା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବା ସହ ୨୦୦ ବିଲିଅନ୍ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମେତ ବିଭିନ୍ନ ଜନକଲ୍ୟାଣ ମୂଳକ ପଦକ୍ଷେପର ମଧ୍ୟ ସେ କହିଥିଲେ ।ଉତ୍ସବ ଅବସରରେ ଉପଖଣ୍ଡସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ଭଳି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସାଳୟରେ ପହଞ୍ଚାଇ ଅମୂଲ୍ୟ ଜୀବନ ବଞ୍ଚାଇଥିବା ମହାନ ସମରିଟାନମାନଙ୍କୁ ମାନପତ୍ର ସହ ଚେକ୍ ମାଧ୍ୟମରେ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ଯୋଗ ଶିକ୍ଷା ଓ ବୃଦ୍ଧାଶ୍ରମ ରେ ଉଲ୍ଲେଖନୀୟ ସେବା ପାଇଁ ଶ୍ରୀ ରବିନ୍ଦ୍ର ପାତ୍ର ଏବଂ ଗ୍ରନ୍ଥାଗାରିକ ଭାବେ ଦୀର୍ଘଦିନ ଧରି ଉତ୍ତମ ସେବା ପ୍ରଦାନ କରିଥିବା ଶ୍ରୀ ପ୍ରଦୀପ କୁମାର ପାତ୍ରଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ପରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶପ୍ରେମ ଓ ଜାତୀୟତାବୋଧ ଆଧାରିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଉତ୍ସବରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଟୁଲିଆମା, ଡେପୁଟି କଲେକ୍ଟର ଶ୍ରୀମତୀ ରଚିତା ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରଞ୍ଜନ କୁମାର ଦେ, ଏସ୍ଡିପିଓ ଡଃ ଦୀପକ କୁମାର ମିଶ୍ର, ବିଡିଓ ଶ୍ରୀମତୀ ଭାରତୀ ଦେବୀ, ତହସିଲଦାର ଶ୍ରୀମତୀ ଆଭିଷ୍ପା ପଟ୍ଟନାୟକ, ସହାୟକ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ସ୍ୱାଧୀନତା ଦିବସ ଅବସରରେ ପ୍ରାତଃ ୫ଟା ୩୦ ମିନିଟ୍ ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ‘ରାମଧୁନ’ ପରିକ୍ରମା ଆୟୋଜିତ ହୋଇଥିଲା। ଏହା ସହ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀ, ଚିଦାନନ୍ଦ କୁଷ୍ଠାଶ୍ରମର ଅନ୍ତେବାସୀ ଓ ତନରଡ଼ାସ୍ଥିତ ଜରାଶ୍ରମର ଅନ୍ତେବାସୀମାନଙ୍କୁ ଫଳ, ବ୍ରେଡ୍, ବିସ୍କୁଟ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ମାନବିକତା ଓ ସେବାର ବାର୍ତ୍ତା ପ୍ରସାର କରାଯାଇଥିଲା।କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ସଂଯୋଜନା କରିଥିଲେ। ଶେଷରେ ସମସ୍ତ ଅତିଥି, ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ସହଯୋଗୀ ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଶ୍ରୀ ଅରକ୍ଷିତ ପରିଚ୍ଛା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
