DRDA କାର୍ଯ୍ୟାଳୟ କାନ୍ଥରେ ବଢୁଛି ଗଛ,ନିଦରେ ପ୍ରଶାସନ

ମାଲକାନଗିରି:୧୫/୮, ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟାଳୟ ଡିଆରଡିଏ (DRDA) କୋଠାର କାନ୍ଥରେ ଗଛ ଉଠି ଧୀରେ ଧୀରେ ବଢ଼ିବାରେ ଲାଗିଛି। କାନ୍ଥର ଫାଟ ମଧ୍ୟରୁ ଉଠିଥିବା ଏହି ଗଛ ଏବେ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ନଜର ଏପର୍ଯ୍ୟନ୍ତ ପଡ଼ିନଥିବା ଅଭିଯୋଗ ହୋଇଛି।ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ଏହି DRDA କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥାଏ। ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ ନିୟମିତ ଭାବେ ଏଠାକୁ ଆସିଥାନ୍ତି। ଏହା ସତ୍ତ୍ୱେ କାନ୍ଥରେ ଗଛ ବଢ଼ି ଚାଲିଥିବା ଘଟଣା ପ୍ରଶାସନିକ ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛି।ଜିଲ୍ଲାର ବିକାଶ ନେଇ DRDAରେ ନିୟମିତ ବୈଠକ ବସୁଥିବା ବେଳେ DRDA କୋଠାର ନିଜ କାନ୍ଥରେ ହେଉଥିବା ଗଛର ଉପରେ କାହାର ନଜର ନାହିଁ। ଗଛଟି ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏହାର ମୂଳ କାନ୍ଥକୁ ଦୁର୍ବଳ କରିବାର ଆଶଙ୍କା ମଧ୍ୟ ରହିଛି।ତୁରନ୍ତ ସମ୍ପୃକ୍ତ ବିଭାଗ ଏହି ଗଛକୁ ହଟାଇବା ସହ କାନ୍ଥର ସ୍ଥିତି ଯାଞ୍ଚ କରି ଆବଶ୍ୟକ ମରାମତି କରିବାକୁ ଦାବି ହୋଇଛି। ନଚେତ୍ ଛୋଟ ଅବହେଳା ଆଗାମୀ ଦିନରେ ବଡ଼ କ୍ଷତିର କାରଣ ହୋଇପାରେ।

Leave a Reply

Your email address will not be published. Required fields are marked *