କନ୍ଧମାଳ ଜିଲ୍ଲାରେ ପାଳନ କରାଗଲା ୮୦ ତମ ସ୍ବାଧିନତା ଦିବସ
କନ୍ଧମାଳ ଜିଲ୍ଲାରେ ପାଳନ କରାଗଲା ୮୦ ତମ ସ୍ବାଧିନତା ଦିବସ ।
ଫୁଲବାଣୀ, ୧୫/୦୮/୨୦୨୬ କନ୍ଧମାଳ ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଆଜି ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମଠାରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ଓଡ଼ିଶା ସରକାର, ଶ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ନିଜ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଅମର ସଂଗ୍ରାମୀ ଦୋରା ବିଷୋୟୀ, ଚକରା ବିଷୋୟୀ, ନବଘନ କଁଅରଙ୍କ ସମେତ ଦେଶର ସମସ୍ତ ବୀର ଶହୀଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ‘ବିକଶିତ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ ସଂକଳ୍ପ ଉପରେ ଆଲୋକପାତ କରି ଜିଲ୍ଲାର ପ୍ରମୁଖ ବିକାଶମୂଳକ ଉପଲବ୍ଧି ସମ୍ପର୍କରେ ଉଲ୍ଲେଖ କରିଥିଲେ । ପରେଡ୍ ଉତ୍ସବ ପରେ କୃତୀ ପ୍ରତିଯୋଗୀ, ଶ୍ରେଷ୍ଠ ପରେଡ୍ ଦଳ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀ-କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ, ଜିଲ୍ଲାପାଳ ବେଦଭୂଷଣ, ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭ ଓ ଶେଷରେ ଜାତୀୟ ଗୀତ “ବନ୍ଦେ ମାତରମ୍” ଏବଂ ଜାତୀୟ ସଙ୍ଗୀତ “ ଜନ-ଗଣ–ମନ” କରାଯାଇଥିଲା । ଦିବସର ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁସାରେ ମାନ୍ୟବର ମନ୍ତ୍ରୀ ଜିଲ୍ଲା କାରାଗାରରେ ମିଷ୍ଟାନ୍ନ ବଣ୍ଟନ, ରକ୍ତ ଭଣ୍ଡାରଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଉଦ୍ଘାଟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ, ସାର୍ତ୍ତାଗୁଡ଼ା ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ଛତା ପ୍ରଦାନ, ଉତ୍କଳ ବାଳାଶ୍ରମରେ ଅନ୍ତେବାସୀମାନଙ୍କୁ ପାଠ୍ୟ ଓ କ୍ରୀଡ଼ା ଉପକରଣ ଏବଂ ମିଷ୍ଟାନ୍ନ ବଣ୍ଟନ, କେନ୍ଦୁପଦର ସ୍ୱଧାର ଗୃହର ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ ଆଦି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅପରାହ୍ନରେ ଏକଗ୍ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ଫୁଟବଲ୍ ମ୍ୟାଚ୍ ଆୟୋଜିତ ହୋଇଥିଲା ଏବଂ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
