ନିଶାମୁକ୍ତ ସମାଜ ଗଠନ ପାଇଁ ପୁରୀ ପୋଲିସର ସାମୂହିକ ଶପଥ

ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏକ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଆଜି ପୁରୀ ପୋଲିସ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମେତ ଜିଲ୍ଲାର ବିଭିନ୍ନ ଥାନାରେ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ ହୋଇଛି। ଜିଲ୍ଲା ପୋଲିସ କାର୍ଯ୍ୟାଳୟ, ପୁରୀଠାରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ପୁରୀ ଏସ୍‌ପି ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ସମସ୍ତେ ନିଶାଦ୍ରବ୍ୟ ସେବନରୁ ନିଜକୁ ଦୂରେଇ ରଖିବା ସହ ନିଶାର କୁପ୍ରଭାବରୁ ନିଜ ପରିବାର ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ସଙ୍କଳ୍ପ ନେଇଥିଲେ।

ଏହି ଅବସରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ନିଜ ପରିବାର, ବନ୍ଧୁବର୍ଗ, ସହକର୍ମୀ ଓ ସମାଜର ଅନ୍ୟମାନଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ନିଶା ନିବାରଣ ଦିଗରେ ସକ୍ରିୟ ଭୂମିକା ନେବା ପାଇଁ ଶପଥ ଗ୍ରହଣ କରିଥିଲେ। ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୁବଶକ୍ତିକୁ ନିଶାଠାରୁ ଦୂରେଇ ରଖିବା ସହ ନିଶାଦ୍ରବ୍ୟ ବିରୋଧରେ ଜନସଚେତନତା ବୃଦ୍ଧି କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ନିରନ୍ତର ଭାବେ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ପୁରୀ ତଥା ଓଡ଼ିଶା ଗଠନ ପାଇଁ ପୁରୀ ପୋଲିସ ପ୍ରତିବଦ୍ଧ।

Leave a Reply

Your email address will not be published. Required fields are marked *