ବର୍ଷା ଦୁର୍ଦ୍ଦଶା
ବର୍ଷା ଦୁର୍ଦ୍ଦଶା
(କବି କେଶବ ଚନ୍ଦ୍ର ନାୟକ)
……………………………..
ଓଡ଼ିଶା ଆକାଶେ ଆସିଛି ବର୍ଷା
କାଦ ପଚ୍ ପଚ୍ ରାସ୍ତା…..
ଯାତାୟାତ ଏବେ ପ୍ରତିବନ୍ଧକ ଯେ
ଶସ୍ତା ରେ ସବୁ ହିନସ୍ଥା……!!
ଓଡ଼ିଶା ହୋଇବ ଏକ ନମ୍ବର ହୋ
ନେତାଙ୍କ ଭାଷଣ ଶୁଣି…..
ନୂଆ ସରକାର ବାଛିଲୁ ଆନନ୍ଦେ
ନିଷ୍କ୍ରିୟ ହୋଇଛି ପୁଣି….!!
ସହର ଭିତର ଯେତେ ରାସ୍ତା ଘାଟ
ନଈ ପରି ଖରସ୍ରୋତା….
ନର୍ଦ୍ଦମାର ଜଳ ଘରେ ପଶିଲାଣି
ଦିନ ରାତି ଲାଗେ ଚିନ୍ତା….!!
ଗାଁ ଗହଳିର ରାସ୍ତା ଘାଟ ଦେଖ
କାଦୁଅ ବିଲର ଦୃଶ୍ୟ….
ପ୍ରତିବାଦ କରି ଧାନ ତଳି ରୁଆ
ଖବର ହୁଏ ପ୍ରକାଶ….!!
ନୂଆ ସରକାର ସବୁ ଜାଣିଶୁଣି
ମଉନେ ଦେଖୁଛି ନାଟ…..
ବିଗତ ସରକାରେ ଦୋଷ ଢାଳି ଢାଳି
ଖସିବାକୁ ଖୋଜେ ବାଟ…..!!
ହତ୍ଯା ଅପରାଧ ଦୁଷ୍କର୍ମ ସହିତ
ଭିଡ ହିଂସା ଲୋମହର୍ଷ….
ଆଇନ୍ କାନୁନ୍ ଅସମ୍ଭାଳ ଏବେ
ମାମଲା ଚୁମ୍ବଇ ଶୀର୍ଷ….!!
ସରକାରୀ କଳ ଦୁର୍ନୀତିରେ ବୁଡି
ରାଜକୋଷ କରି ଖୋଳ…..
ବଣ୍ଟା କଣ୍ଟା କରି ଘରକୁ ନିଅନ୍ତି
କାଗଜେ ବିକାଶ ଖେଳ…..!!
ବିକାଶ ନାଁ ରେ ଆସେ ଯେଉଁ ଅର୍ଥ
ଭାଗ ବଣ୍ଟନର ଜାଲ…..
ବିସ୍ତାରି ଧରନ୍ତି ସୁନାର ଇଲିସି
ଜନସେବା କୌତୁହଳ….!!
ଜଙ୍ଗଲ ସୁରକ୍ଷା ପାଇଁ ପ୍ରତି ବର୍ଷ
କୋଟି କୋଟି ଅର୍ଥ ଶ୍ରାଦ୍ଧ…..
ବନିକରଣଟା ଶୁଭଇ କର୍ଣ୍ଣକୁ
ସଭାରେ ମଧୁର ଶବ୍ଦ…..!!
ବରଷା ଋତୁରେ ବନମହୋତ୍ସବ
ଚାଲେ ସ୍କୁଲ କଲେଜରେ…..
ଚାରା ପୋତି ଫୋଟୋ ଉତ୍ତୋଳନେ ବ୍ୟସ୍ତ
ଆସିବାକୁ ଖବରରେ….!!
ବଡ ବଡ ବାବୁ ଚାରା ରୋପିଥାନ୍ତି
ତାପରେ ଖାଇଲା ଗାଈ…..
ପାଣି ନ ପାଇଣ ମଲା କେଉଁ ଚାରା
ରକ୍ଷଣାବେକ୍ଷଣା ନାହିଁ….!!
ପାହାଡ଼ ଯେତିକି ଲଣ୍ଡିତ ହୋଇଛି
ଗ୍ରୀଷ୍ମ ଦିନେ ପଡେ ଧରା…..
ବରଷା ଋତୁରେ ଅନାବନା ଗୁଳ୍ମ
ଘେରିଥାଏ ଗିରି ସାରା….!!
ମତ୍ସ୍ୟ ବିଭାଗଟା ମାଛ ଚାଷ ପାଇଁ
ପୋଖରୀ ଖନନ କରେ…..
ବରଷା ଋତୁରେ ପୋଖରୀ ହଜଇ
ଖୋଜିଲେ ମିଳେ ନା ଥରେ…..!!
ମାଛ ଜାଆଁଳାକୁ ଛାଡ଼ିବା ପାଇଁ ଯେ
ପୋଖରୀ ମିଳି ନାହିଁ…..
ନଦୀ ନାଳ ଦେଖି ଜାଆଁଳା ଛାଡିଲେ
ଅସୁବିଧା ଅଛି କାହିଁ….?
ପୋଖରୀ ନାଁ ରେ ଚଳୁ ହୁଏ ଅର୍ଥ
ମତ୍ସ୍ୟ ଚାଷ ପ୍ରହଶନ…..
କୁମ୍ଭୀର ପଶୁଛି ଗାଁ କିଆରିରେ
ଧରିବ ଶେଉଳ ମୀନ…..!!
ବରଷା ଋତୁଟା ଭାରି ଦୁଃଖଦାୟ
ଗରିବ ଗୁରୁବା ପାଇଁ……
ଗାଁ ରେ ନ ମିଳେ କାମ ଧନ୍ଦା ବୋଲି
ଭାତ ମୁଠେ ମିଳେ ନାହିଁ….!!
ଓଳିଏ ଖାଇଲେ ଓଳିଏ ଉପାସ
କହିବ କାହାକୁ ଯାଇ…..
ବନ୍ୟା ବିପନ୍ନଙ୍କ ଭାଙ୍ଗି ଯାଏ ଘର
ଦୁର୍ଦ୍ଦଶା ତ ବଳି ଯାଇ…..!!
ପିଇବାକୁ ନାହିଁ ସ୍ବଛ ଜଳ ଟୋପେ
ଖାଇବାକୁ ନାହିଁ ଖାଦ୍ୟ….
ରୋଗୀ ପାଇଁ ନାହିଁ ଔଷଧ ବ୍ୟବସ୍ଥା
ଅକାଳ ମରଣ ବାଧ୍ୟ….!!
ବାର୍ଦ୍ଧକ୍ୟ ଲୋକଙ୍କ ପେନସନ ଏବେ
ଅଟକି ରହିଛି କାହିଁ…..
ସରକାରୀ ବାବୁ ପଚାରନ୍ତେ ଯେବେ
ଉତ୍ତର ଟା ନାହିଁ ନାହିଁ…..!!
ଔଷଧ ଖର୍ଚ୍ଚ ହେଉଥିଲା ତାଙ୍କ
କିଏ ପିଉଥିଲା ଦୁଧ…..
ଏବେ ବୁଢାବୁଢି ହୁଅନ୍ତି ହିନସ୍ଥା
ତିଳେ ନାହିଁ ପ୍ରତିବାଦ….!!
ବରଷା ଆସିଛି ଦୁଃଖ କଷ୍ଟ ନେଇ
ଚାଳରୁ ଗଳୁଛି ପାଣି…..
ଜରି ପାଲ ତଳେ ଜୀବନ ବିତୁଛି
କରୁଣ କାହାଣୀ ଶୁଣି…..!!
ନଈ ନାଳ ପାରି ହେବା ପାଇଁ ନାହିଁ
ପୋଲ ଟିଏ ଆଜି ଭାଇ…..
ମନ୍ତରୀ ଶୋଇଛି ନିଘୋଡ଼ ନିଦରେ
ଭୋଟେ ବିଜୟୀ ହୋଇ….!!
ବାଉଁଶ ପକାଇ କାଠ ଗଡ ଥୋଇ
ପାରି ଯେ ହୁଅନ୍ତି ନଈ….
ଏକ ନମ୍ବର ଓଡ଼ିଶାର ଚିତ୍ର
କହିବାକୁ ଲଜ୍ଜା ନାହିଁ…..!!
ନବ ନିର୍ମାଣ ପୋଲ କେଉଁ ଠାରେ
ଭୁଶୁଡ଼ି ପଡଇ ଧୀରେ…..
ଦୁର୍ନୀତିର ଗନ୍ଧ ବାରି ପଡୁଥାଏ
ବରଷା ଜଳର ଧାରେ…..!!
ଚାଷ ପାଇଁ ସିନା ବରଷା ଆସିଛି
ସାର ପାଇଁ ହରବର….
କଳାବଜାରୀଙ୍କ ପକେଟ୍ ଗରମ
ଚାଷୀଙ୍କୁ ମାଡଇ ଡର…..!!
ଚାଷୀ ପାଇଁ ନାନା ଯୋଜନା ଚାଲିଛି
ଚାଷର ଉନ୍ନତି ପାଇଁ…..
ନେତା ବିଧାୟକ ଭାଷଣ ଚିକ୍କଣ
ଭିଡକୁ ସେ ଯମା ନାହିଁ…..!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
