ବାପାଙ୍କୁ ଛୁରାମାଡ଼ ପରେ ଦୁଇ ଏଏସଆଇଙ୍କୁ ଆକ୍ରମଣ

ଗୋପ, ୧୮/୦୮: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଗ୍ରାମରେ ମଙ୍ଗଳବାର ଜଣେ ଯୁବକଙ୍କ ଆକ୍ରମଣକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନିଜ ବାପାଙ୍କୁ ଛୁରାରେ ଆକ୍ରମଣ କରିବା ପରେ ଘଟଣାସ୍ଥଳକୁ ଯାଇଥିବା ଗୋପ ଥାନାର ଦୁଇ ଏଏସଆଇଙ୍କୁ ମଧ୍ୟ ଯୁବକ ଜଣକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଗଣେଶ୍ୱରପୁର ଗ୍ରାମର ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକ୍ରମ କେଶରୀ ରଥ ( 30) ଆଜି ସକାଳେ ଘରେ ନିଜ ବାପାଙ୍କ ସହ ବଚସା ପରେ ଛୁରାରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏନେଇ ଖବର ପାଇ ଗୋପ ଥାନାର ଏଏସଆଇ ରବୀନ୍ଦ୍ର ସାମନ୍ତରାୟ ଓ ଶିବରାମ ଶତପଥି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେମାନେ ମଧ୍ୟ ଯୁବକଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ରହିଛି।ଘଟଣାରେ ଆହତ ରାମଚନ୍ଦ୍ର ରଥ ଓ ଦୁଇ ଏଏସଆଇଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି।ଏହି ଘଟଣା ପରେ ଯୁବକ ଜଣକ ଏକ କୋଠରୀ ଭିତରେ ରହିଯାଇଥିବା ବେଳେ ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ପୁଲିସ ସହ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିବା ଜଣାପଡ଼ିଛି।ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ, ବିକ୍ରମ ଜଣେ ଉଚ୍ଚଶିକ୍ଷିତ ଯୁବକ। କୋଭିଡ୍ ପରବର୍ତ୍ତୀ ସମୟରୁ ତାଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଦେଖାଦେଇଥିବା ଏବଂ ଡାକ୍ତରଙ୍କ ପରାମର୍ଶରେ ସେ ଔଷଧ ସେବନ କରୁଥିବା କୁହାଯାଉଛି। ଗତ ଦୁଇଦିନ ଧରି ଘରେ ବାପା-ମାଆଙ୍କ ସହିତ ତାଙ୍କର ବଚସା ହେଉଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ତେବେ ଔଷଧ ସେବନରେ କୌଣସି ବ୍ୟତିକ୍ରମ ଘଟିଥିଲା କି ନାହିଁ କିମ୍ବା ଘଟଣା ପଛରେ ପ୍ରକୃତ କାରଣ କଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଘଟଣାକୁ ନେଇ ଗୋପ ଅଞ୍ଚଳରେ ଆଲୋଚନା ଜୋର ଧରିଥିବା ବେଳେ ପୁଲିସ ପକ୍ଷରୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯାଉଛି। ଯୁବକଙ୍କ ମାନସିକ ସ୍ଥିତି ଓ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଡାକ୍ତରୀ ମତ ଏବଂ ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *