ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି
ହିଞ୍ଜିଳିକାଟୁ ୨୦/୦୮/୨୬ ହିଞ୍ଜିଳିକାଟୁ ବିଜ୍ଞାନ (ସ୍ଵୟଂ ଶାସିତ) ମହାବିଦ୍ୟାଳୟକୁ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତ ପ୍ରଦାନ କରିବାକୁ ହିଞ୍ଜିଳିକାଟୁ ବୁଦ୍ଧିଜୀବୀ ମଞ୍ଚପକ୍ଷରୁ ଦାବି ହୋଇଛି । ଏନେଇ ଶରତ ଚନ୍ଦ୍ର ସାବତ, ଅଜୟ କୁମାର ସାହୁ, ତରୁଣ କୁମାର ପଣ୍ଡା, ଚନ୍ଦନ ପାତ୍ର, ପୁରାତନ ଛାତ୍ର ଏସ ବଳରାମ ପାତ୍ର ଓ ସରୋଜ ପାତ୍ର କଲେଜ ଅଧ୍ଯକ୍ଷ କ୍ଷ . ହରିହର ମୁନୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ସଚିବ, ଗଞ୍ଜାମ ଜିଲାପାଳ ସମେତ ଅନ୍ୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ସେଥିରେ ଇଂରାଜୀ, ଗଣିତ, ଗୃହ ବିଜ୍ଞାନ, କମ୍ପୁଟର ବିଜ୍ଞାନ ଓ ବିଏଡ଼ ଖୋଲିବାକୁ ଉଲ୍ଲେଖ କରାଯାଇଛି । ବହୁ ପୁରାତନ ଏବଂ ଶିକ୍ଷା କ୍ଷେତ୍ରରେ ଖ୍ୟାତନାମା ଥିବା ଏହି ମହାବିଦ୍ୟାଳୟରେ ପ୍ରାୟ ପାଞ୍ଚ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଠାରେ ଯୁକ୍ତ ତିନି ବିଜ୍ଞାନ, କଳା ଓ ବାଣିଜ୍ୟ ବିଷୟରେ ବିଭିନ୍ନ ବିଭାଗ ସହିତ ସ୍ନାତକୋତ୍ତର ବାଣିଜ୍ୟ, ଉଦ୍ଭିଦ ବିଜ୍ଞାନ ଓ କମ୍ପ୍ୟୁଟର ଡିପ୍ଲୋମା ପାଠ୍ୟକ୍ରମ ରହିଛି । ତେବେ ବିଶ୍ଵବିଦ୍ୟାଳୟ ପାଇଁ ଅନୁନ୍ୟ ପାଞ୍ଚଟି ସ୍ନାତକୋତ୍ତର ବିଭାଗ ସହ ୧୦ ଏକର ଜମିର ଆବଶ୍ୟକତା ରହିଛି। ଆଉ ଦୁଇଟି ସ୍ନାତକୋତ୍ତର ବିଭାଗ ସହିତ ଆବଶ୍ୟକ ଜମି ମିଳିଲେ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଅପରପକ୍ଷରେ ବହୁ ସରକାରୀ ଜମି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଖରେ ଜବରଦଖଲ କରି ଭୋଗଦଖଲ କରି ଆସୁଛନ୍ତି । ତାହା ବି ଜାତୀୟ ରାଜପଥ ୫୯ କଡରେ ଥିବା ବହୁ ମୁଲ୍ୟବାନ ଜମି । ଏଣୁ ସରକାରଙ୍କ ପକ୍ଷରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଏସବୁର ଜବରଦଖଲ ମୁକ୍ତ କରି ବିଦ୍ୟାର୍ଥୀଙ୍କ ପାଇଁ ବ୍ୟବହାରରେ ଆସିଲେ ଶିକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଅବଦାନ ବୋଲି ସ୍ଥାନୀୟ ଲୋକଙ୍କ ମତ ପ୍ରକାଶ ପାଇଛି ।ଏପରିକି ଓଡ଼ିଶାର ବହୁ ଜିଲ୍ଲାରୁ ଅଧିକାଂଶ ବିଦ୍ୟାର୍ଥୀ ଏହି କଲେଜରେ ଅଧ୍ୟୟନ ସହ ସ୍ଥାନୀୟ ଅଞ୍ଚଳରେ ରୁମ ଭଡ଼ା ନେଇ ପାଠ ପଢୁଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ବ୍ରହ୍ମପୁର ଉପରେ ନିର୍ଭର କରିବା ରହିଛି ।
