ଗୋପକୁ ସ୍ୱତନ୍ତ୍ର ବିଧାନସଭା ଆସନ ଦାବିକୁ ନେଇ ସାମୁହିକ ସ୍ୱର ତୀବ୍ର ହେବାକୁ ଯାଉଛି l
ଗୋପ, ୨୩/୮: ଗୋପକୁ ସ୍ୱତନ୍ତ୍ର ବିଧାନସଭା ନିର୍ବାଚନମଣ୍ଡଳୀର ମାନ୍ୟତା ପ୍ରଦାନ ଦାବି ଏବେ ସରକାରୀ ସ୍ତରରେ ପହଞ୍ଚିଛି। ଗୋପ ବିକାଶ ପରିଷଦ ଓ ଗୋପ ସୁରକ୍ଷା ମଞ୍ଚର ମିଳିତ ପ୍ରୟାସରେ ଉଠିଥିବା ଏହି ଦାବିକୁ ୩୧ଟି ପଞ୍ଚାୟତର ଲୋକପ୍ରତିନିଧି, ଆଇନଜୀବୀ, ସାମ୍ବାଦିକ, ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଓ ବିଭିନ୍ନ ସଂଗଠନର ପ୍ରତିନିଧିଙ୍କ ସମର୍ଥନ ମିଳିଥିବା ଜଣାପଡ଼ିଛି। ଗୋପ ବିକାଶ ପରିଷଦ ପକ୍ଷରୁ ଗତ ୧୦ ମେରେ ଦାଖଲ ହୋଇଥିବା ପ୍ରତିନିଧିତ୍ୱର ଉତ୍ତର ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଛି। ଅଗଷ୍ଟ ୧୩ରେ ଜାରି ଏହି ପତ୍ରରେ ନୂତନ ବିଧାନସଭା ନିର୍ବାଚନମଣ୍ଡଳୀ ଗଠନ “ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ” ପ୍ରକ୍ରିୟା ସହ ସମ୍ପୃକ୍ତ ବୋଲି ସ୍ପଷ୍ଟ କରାଯାଇଛି। ଏପର୍ଯ୍ୟନ୍ତ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ “ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ” ସମ୍ପର୍କରେ କୌଣସି ନିର୍ଦ୍ଦେଶ ଆସିନଥିବା ମଧ୍ୟ ପତ୍ରରେ ଉଲ୍ଲେଖ ରହିଛି।ତେଣୁ ଏହି ପତ୍ରକୁ ଦାବି ପୂରଣର ଘୋଷଣା ବୋଲି କୁହାଯାଇପାରିବ ନାହିଁ। ତେବେ ଗୋପର ଦାବି ସରକାରୀ ଦସ୍ତାବିଜ ଓ ପ୍ରଶାସନିକ ପ୍ରକ୍ରିୟାରେ ସ୍ଥାନ ପାଇଥିବାରୁ ଏହାକୁ ଦାବି ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି ଦାବିକାରୀମାନେ ଦେଖୁଛନ୍ତି। ପତ୍ରର ନକଲ ସମ୍ପୃକ୍ତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ପଠାଯାଇଥିବା ସୂଚନା ମିଳିଛି। ଏହି ପ୍ରସଙ୍ଗରେ ଆଜି ଅନୁଷ୍ଠିତ ସଭାରେ ପ୍ରଥମେ ବରିଷ୍ଠ କର୍ମକର୍ତ୍ତା ସ୍ୱର୍ଗତ ବିମ୍ବାଧର ସେନାପତିଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ସ୍ଥାୟୀ ସଭାପତି ନରେନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ବ୍ରହ୍ମାନନ୍ଦ ସାହୁ ନିର୍ବାଚନ ଆୟୋଗଙ୍କ ଠାରୁ ମିଳିଥିବା ପତ୍ରର ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ସଭାରେ ନିରଞ୍ଜନ ମହାପାତ୍ର, ପ୍ରଦୀପ୍ତ କୁମାର ମହାନ୍ତି, ପୁନେଶ କୁମାର ସେନାପତି, ଭଗବାନ ପାତ୍ର, ସଚ୍ଚିଦାନନ୍ଦ ଗୋଛାୟତ, ଡ. ଭବାନୀ ଶଙ୍କର ସାମନ୍ତରାୟ, ରବୀନ୍ଦ୍ର କାଣ୍ଡି ଓ ବୁଟୁ ସାହୁ, ବିଷ୍ଣୁ ମୋହନ ପ୍ରଧାନ, କବିବର ପ୍ରଧାନ, ପ୍ରମୁଖ ନିଜ ନିଜର ମତାମତ ରଖିଥିଲେ।ଆଗାମୀ ଦିନରେ ନିର୍ଦ୍ଦିଷ୍ଟ ୫ ଦଫା ଦାବି ସମ୍ବଳିତ ମେମୋରାଣ୍ଡମ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ପ୍ରଦାନ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ଦାବିଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ଗୋପର ଏହି ଦାବି ଏବେ କେବଳ ରାଜନୈତିକ ଦାବି ନୁହେଁ; ଏହାକୁ ଅଞ୍ଚଳର ପ୍ରଶାସନିକ ସୁବିଧା, ସମତୁଲ୍ୟ ବିକାଶ ଓ ଦୀର୍ଘମିଆଦୀ ଜନସ୍ୱାର୍ଥ ସହ ଯୋଡ଼ି ସାମୁହିକ ଭାବେ ଆଗକୁ ନିଆଯାଉଛି। ଏବେ “ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ” ପ୍ରକ୍ରିୟା ଆରମ୍ଭ ହେଲେ ଜନସଂଖ୍ୟା, ଭୌଗୋଳିକ ସ୍ଥିତି, ପ୍ରଶାସନିକ ଆବଶ୍ୟକତା ଓ ବିକାଶର ତଥ୍ୟ ଆଧାରରେ ଗୋପର ଦାବିକୁ କେତେ ଦୃଢ଼ ଭାବେ ଉପସ୍ଥାପନ କରାଯିବ, ତାହା ହିଁ ଆଗାମୀ ଦିନର ମୁଖ୍ୟ ପ୍ରସଙ୍ଗ ହେବ। ଗୋପର ସ୍ୱତନ୍ତ୍ର ବିଧାନସଭା ଆସନ ଦାବିକୁ ନେଇ ସାମୁହିକ ସ୍ୱର ତୀବ୍ରଗୋପର ସାମୁହିକ ସ୍ୱର ଏବେ ସରକାରୀ ସ୍ତରରେ ପହଞ୍ଚିଛି। ଏହି ସ୍ୱରକୁ ବାସ୍ତବ ସମାଧାନରେ ପରିଣତ କରିବା ପାଇଁ ଏବେ ସରକାରଙ୍କ ସକାରାତ୍ମକ ପଦକ୍ଷେପ ଅପେକ୍ଷାରେ ରହିଛି ଗୋପ।
