ଯାଜପୁର ରୋଡ଼ ଥାନା ପକ୍ଷରୁ ସାଇବର ସୁରକ୍ଷା ଓ ନିଶାମୁକ୍ତି କୁ ନେଇ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ଏକ ସଚେତନତା ସଭା ଅନୁଷ୍ଠିତ

ଯାଜପୁର ରୋଡ଼ ଥାନା ପକ୍ଷରୁ ସାଇବର ସୁରକ୍ଷା ଓ ନିଶାମୁକ୍ତି କୁ ନେଇ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛିଯାଜପୁର ରୋଡ଼: ଯାଜପୁର ରୋଡ଼ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ଓ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ “ନିଶାମୁକ୍ତ ଭାରତ” ଅଭିଯାନ ଅଧୀନରେ ନିଶା ସେବନର ଭୟାବହ ପରିଣାମ ଉପରେ ଆଲୋଚନା କରାଯାଇଥିଲା। ନିଶାଦ୍ରବ୍ୟ ଯୁବପିଢ଼ିର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସହିତ ପରିବାର ଓ ସମାଜ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ବକ୍ତାମାନେ କହିଥିଲେ। ଛାତ୍ରଛାତ୍ରୀମାନେ ନିଶାଠାରୁ ଦୂରେଇ ରହି ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା। ସେହିପରି ଯାଜପୁର ପୋଲିସର ସାଇବର ସଚେତନତା ଅଭିଯାନ ମାଧ୍ୟମରେ ଅନଲାଇନ୍ ଠକେଇରୁ କିପରି ସୁରକ୍ଷିତ ରହିବେ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଇଥିଲା। ଓଟିପି, ଏଟିଏମ/ପିନ , ପାସୱାର୍ଡ ଓ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ କାହାକୁ ନଦେବା, ଅଜଣା ଲିଙ୍କରେ କ୍ଲିକ୍ ନକରିବା ଏବଂ ସନ୍ଦେହଜନକ ଫୋନ୍ କିମ୍ବା ମେସେଜ୍‌ଠାରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ସଭାରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ମଧ୍ୟ ସାଇବର ଅପରାଧ ଓ ନିଶା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପୋଲିସ ପକ୍ଷରୁ ସେମାନଙ୍କୁ ସଚେତନ ରହିବା ସହ ଯେକୌଣସି ସନ୍ଦେହଜନକ ଘଟଣା ଘଟିଲେ ତୁରନ୍ତ ପୋଲିସକୁ ଜଣାଇବାକୁ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ନିଶାକୁ ନା, ସୁସ୍ଥ ଜୀବନକୁ ହଁ” ଏବଂ “କ୍ଲିକ କରିବା ପୂର୍ବରୁ ଥରେ ଭାବନ୍ତୁ — ନିଜ ସୁରକ୍ଷା ନିଜ ହାତରେ” ଏବଂ “ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ” ଭଳି ସଚେତନତାର ବାର୍ତ୍ତା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଯାଇଥିଲା। ଯୁବପିଢ଼ିଙ୍କୁ ନିଶାମୁକ୍ତ ଓ ସାଇବର ସୁରକ୍ଷିତ ସମାଜ ଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଦିଆଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ କୁ ବିଦ୍ୟାଳୟର ଚେୟାରମେନ ବୁଦ୍ଧଦେବ ରାଉତ, ପ୍ରଧାନାଚାର୍ୟ ତଥା ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପ ପ୍ରଧାନାଚାର୍ୟା ସୋନିଆ ବେଦୀ , ସିବିଏସଇ ଏକାଡେମିକ କୋର୍ଡିନେଟର କିଶୋର କ୍ରିଷ୍ଣା, ଏକାଡେମିକ କୋର୍ଡିନେଟର ଇଣ୍ଟିଗ୍ରେଟେଡ ତିରୁପତି ରାଓ, ଏକାଡେମୀକ ମୂଖ୍ୟ ବଲବୀର ସିଂ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *