ଢେଙ୍କାନାଳରେ ଉଦ୍ଘାଟିତ ହେଲା ‘ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍’:
ଢେଙ୍କାନାଳରେ ଉଦ୍ଘାଟିତ ହେଲା ‘ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍’: ୨୪ ଘଣ୍ଟା ଉପଲବ୍ଧ ହେବ ଖାଦ୍ୟଶସ୍ୟ ବଣ୍ଟନ ସୁବିଧା ଢେଙ୍କାନାଳ, ୩୧ ଅଗଷ୍ଟ: ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ, ଦ୍ରୁତ ଓ ସୁବିଧାଜନକ କରିବା ଦିଗରେ ଏକ ନୂଆ ପଦକ୍ଷେପ ସ୍ୱରୂପ ଢେଙ୍କାନାଳରେ ଆଜି ‘ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍’ ଉଦ୍ଘାଟିତ ହୋଇଛି। ଓଡ଼ିଶା ସରକାର ଏବଂ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ ର ମିଳିତ ପଦକ୍ଷେପରେ ଏହି ପ୍ରଯୁକ୍ତିଭିତ୍ତିକ ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରାଯାଇଛି।ଏହି ଉନ୍ନତ ଖାଦ୍ୟଶସ୍ୟ ବଣ୍ଟନ ବ୍ୟବସ୍ଥାକୁ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଏବଂ ୟୁଏନ୍ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ, ଭାରତର ଉପନିର୍ଦ୍ଦେଶିକା ସୁଶ୍ରୀ ନୋଜୋମି ହାଶିମୋଟୋ ଉଦ୍ଘାଟନ କରିଥିଲେ।ଏହି ଅବସରରେ ସୁଶ୍ରୀ ହାଶିମୋଟୋ କହିଥିଲେ ଯେ, ଏହି ପ୍ରକଳ୍ପ ପ୍ରଯୁକ୍ତି, ସ୍ୱଚ୍ଛତା ଓ ମାନବିକ ସେବାର ଏକ ସୁନ୍ଦର ସମନ୍ୱୟ। ଏହା ଭାରତର ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବାରେ ସହାୟକ ହେବ।ଏକ ମାସ ମଧ୍ୟରେ ଇଚ୍ଛାନୁସାରେ ନେଇପାରିବେ ପ୍ରାପ୍ୟ ରାସନଏହାର ଆଉ ଏକ ବିଶେଷ ସୁବିଧା ହେଉଛି, ହିତାଧିକାରୀମାନେ ନିଜର ସମ୍ପୂର୍ଣ୍ଣ ମାସିକ ଖାଦ୍ୟଶସ୍ୟ ପ୍ରାପ୍ୟକୁ ଗୋଟିଏ ଥରରେ ନେବାକୁ ବାଧ୍ୟ ନୁହନ୍ତି। କୌଣସି ପରିବାରକୁ ମାସକୁ ୫୦ କିଲୋଗ୍ରାମ ଚାଉଳ ମିଳିବାକୁ ଥିଲେ, ସେମାନେ ନିଜ ସୁବିଧା ଅନୁଯାୟୀ ଏକାଧିକ ଥରରେ ତାହା ଗ୍ରହଣ କରିପାରିବେ। ଏକ ମାସ ମଧ୍ୟରେ ନିଜ ଆବଶ୍ୟକତା ଅନୁଯାୟୀ ପ୍ରାପ୍ୟ ରାସନ ନେବାର ସୁବିଧା ରହିବ ବୋଲି ଜଣାଇଛନ୍ତି ।
