ଉପଯୁକ୍ତ ସଂସ୍କାର ଓ ଯୌଥ ପରିବାର ଅଭାବ ବିଭିନ୍ନ ମାମଲା ବୃଦ୍ଧି କରୁଛି।ପୁରୀ ରେ ମହିଳା କମିଶନଙ୍କ ଶିବିର ଅନୁଷ୍ଠିତ।
ପୁରୀ ୨୨/୯ ଆଜିର ସମୟରେ ସାମାଜିକ ସଦଭାବନା ଓ ପାରିବାରିକ ସମନ୍ୱୟ ର ଘୋର ଅବନତି ଦେଖାଯାଉଛି। ଉପଯୁକ୍ତ ସଂସ୍କାର ଓ ଯୌଥ ପରିବାର ଅଭାବ ବିଭିନ୍ନ ମାମଲା ବୃଦ୍ଧି ରେ ସହାୟକ ହେଉଛି ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷା ଶୋଭନା ମହାନ୍ତି।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ମହିଳା କମିଶନର ଙ୍କ ପକ୍ଷରୁ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ମହିଳା ମାନଙ୍କୁ ନେଇ ସଂଘଟିତ ବିବିଧ ମାମଲା ଯଥା ପାରିବାରିକ ହିଂସା, ଦାମ୍ପତ୍ୟ କଳହ,ମହିଳା ଚାଲାଣ, ବାଲ୍ୟ ବିବାହ, କର୍ମ କ୍ଷେତ୍ରରେ ମହିଳା ମାନଙ୍କୁ ନିର୍ଯାତନା ଇତ୍ୟାଦି ସମ୍ବନ୍ଧ ରେ ମାମଲା ଗୁଡ଼ିକ ର ସମାଧାନ ବା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିମିତ୍ତ ବିଭିନ୍ନ ଜିଲ୍ଲାରେ କମିଶନର କ୍ୟାମ୍ପ କୋର୍ଟ ର ଆୟୋଜନ ହୋଇଥାଏ ବୋଲି କହିଥିଲେ।ଆଜିର ସମୟରେ ମୋବାଇଲ ଦ୍ଵାରା ଭଲ ଗୁଣ ପରିବର୍ତ୍ତେ ଖରାପ ଗୁଣ ବେଶି ଦୃଷ୍ଟି କୁ ଆସୁଛି।

ଏହା ମଧ୍ୟ ପାରିବାରିକ ଜୀବନ କୁ ପ୍ରଭାବିତ କରୁଛି।ଥାନା ମାନଙ୍କ ରେ ଉଭୟ ବାଦୀ ପ୍ରତିବାଦୀ ଙ୍କୁ ଉପଯୁକ୍ତ ସମ୍ମାନ ଓ ସହଯୋଗ ପ୍ରଦାନ ପାଇଁ ଅଧ୍ୟକ୍ଷ ଗୁରୁତ୍ୱ ଦେଇଥିଲେ। କମିଶନର ମୁଖ୍ୟ ଲକ୍ଷ୍ୟ ଆଇନ ଅନୁଯାୟୀ ମହିଳା ମାନଙ୍କୁ ନ୍ୟାୟ, ସୁରକ୍ଷା, ସମ୍ମାନ ଓ ମର୍ଯ୍ୟଦା ପ୍ରଦାନ ସହ ସାମାଜିକ ଓ ପାରିବାରିକ ଜୀବନ ରେ ଶାନ୍ତି ଓ ଶୃଙ୍ଖଳା ପ୍ରଦାନ ବୋଲି ଶ୍ରୀମତୀ ମହାନ୍ତି କହିଥିଲେ।କମିଶନର ଅନ୍ୟତମ ସଦସ୍ୟ ଉର୍ମିଳା ମହାପାତ୍ର ଆଇନ ସମସ୍ତ ଙ୍କ ପାଇଁ ସମାନ। ବିଳମ୍ବିତ ନ୍ୟାୟ ବିଡମ୍ବିତ ନ୍ୟାୟ ପରି ଜଷ୍ଟିସ ହରିଡ୍ ଜଷ୍ଟିସ ବରିଡ ବୋଲି କହି ମାମଲାର ଉପଯୁକ୍ତ,ନିରପେକ୍ଷ ଓ ସଠିକ ତଦନ୍ତ ଉପରେ ଗୁରୁତ୍ୱ ଦେଇଥିଲେ।ପରିବାର କୁ ଏକ ରାଷ୍ଟ୍ର ବୋଲି ବିବେଚନା କରି ତାହାର ସୁରକ୍ଷା, ତ୍ୟାଗ ଓ ସମର୍ପଣ ର ସହ କାର୍ଯ୍ୟ ପାଇଁ ସେ ଆହ୍ୱାନ ଦେଇଥିଲେ। କମିଶନର ସଂଯୋଜକ ସମ୍ପାଦକ ତଥା ଅତିରିକ୍ତ ସଚିବ ବିବେକାନନ୍ଦ ସାହୁ ଏହି କ୍ୟାମ୍ପ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ମହିଳା କମିଶନଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଥିଲେ।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଏସପି- ୨ ସୁଶୀଲ କୁମାର ମିଶ୍ର ପୋଲିସ ର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେବା ସହ ମହିଳା କମିଶନର ଙ୍କ ଠାରୁ ମିଳିଥିବା ସମସ୍ତ ମାମଲା ଗୁଡିକ ରୁ ଅନୁଧ୍ୟାନ ଓ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯାଇଛି ବୋଲି କହିଥିଲେ।ସୂଚନା ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।ମୋଟ ୩୯ ଗୋଟି ମାମଲାର ଆଜି ଶୁଣାଣି ପାଇଁ ନୋଟିସ କରାଯାଇଥିଲା ବେଳେ ୩୦ ମାମଲା ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।ପରସ୍ପର ସହଯୋଗ ଭିତ୍ତିରେ ବା ଆମିକେବଲ ସେଟେଲମେଣ୍ଟ ଭାବେ ୭ ଟି ମାମଲା ର ସମାଧାନ ହୋଇଥିବା ବେଳେ ଗୋଟିଏ ଏସପି ଙ୍କୁ ରେଫର କରାଯାଇଥିଲା।୨ ଟି ମାମଲା ପ୍ରୋଟେକ୍ସନ ଅଫିସର କୁ ପ୍ରେରଣ କରାଯାଇଥିଲା।୧୮ ଟି ମାମଲାରେ ପୁନଃ ନୋଟିସ କରାଯାଇଥିଲା।ଅପରପକ୍ଷରେ ସ୍ପଟ ଏନକ୍ୟାରୀ ପାଇଁ ୨ ଟି ମାମଲା ରହିଥିଲା।ନୂଆ ମାମଲା ଗୋଟିଏ ପଞ୍ଜିକରଣ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ କମିଶନଙ୍କ ଆଇନ ଅଧିକାରୀ ଅରବିନ୍ଦ ପଟ୍ଟନାୟକ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ର ପ୍ରୋଗ୍ରାମ ଅଧିକାରୀ ସୁହାଗୀ ହେମ୍ବ୍ରମ,ବାଲ୍ୟବତୀ ମହାନ୍ତିପ୍ରମୁଖ ଯୋଗ ଦେଇଥିଲେ।
