ଆସାମର ମୋଇଦମ ଏବଂ ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି
ଭୁବନେଶ୍ୱର, ୨୩ ସେପ୍ଟେମ୍ବରଆସାମ ଗସ୍ତରେ ଥିବା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଆଜି ରାଜ୍ୟର ଦୁଇଟି ପ୍ରମୁଖ ଐତିହ୍ୟ ସ୍ଥଳୀ ପରିଦର୍ଶନ କରିଛନ୍ତି । ଓଡ଼ିଆ ସାମ୍ବାଦିକମାନେ ନୂତନ ଭାବେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ହାସଲ କରିଥିବା ଆସାମ ଚରାଇଦେଓସ୍ଥିତ ଆହୋମ ରାଜବଂଶର ପବିତ୍ର ମୋଇଦମ ବୁଲି ଦେଖିଛନ୍ତି । ଏହାସହିତ ସେମାନେ ଶିବସାଗର ସ୍ଥିତ ପ୍ରାଚୀନ ଐତିହ୍ୟ ପରିସର ମଧ୍ୟ ଗସ୍ତ କରିଛନ୍ତି । ପତ୍ର ସୂଚନା କାର୍ଯ୍ୟାଳୟ, (ପିଆଇବି) ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଏହି ଆନ୍ତଃରାଜ୍ୟ ଗଣମାଧ୍ୟମ ଗସ୍ତର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ରାଜ୍ୟର ସାଂସ୍କୃତିକ ଓ ଐତିହାସିକ ତଥ୍ୟ ବିଷୟରେ ଜ୍ଞାନ ଆହରଣ କରିବା ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା । ଗସ୍ତ କାଳରେ ସାମ୍ବାଦିକମାନେ ଉତ୍ତର ପୂର୍ବ ଭାରତର ପ୍ରାଚୀନ ଐତିହ୍ୟ ସମ୍ପର୍କରେ ସବିଶେଷ ଜ୍ଞାନ ଆହରଣ କରିଥିଲେ । ଆସାମ ସରକାର ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଏହି ପ୍ରାଚୀନ ଐତିହ୍ୟଗୁଡ଼ିକୁ ସଂରକ୍ଷଣ ପ୍ରୟାସ କରି ଆସୁଛନ୍ତି ।ଏଏସଆଇର ଅଧିକାରୀମାନେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳକୁ ଚରାଇଦେଓ ସ୍ଥିତ ପବିତ୍ର ସମାଧି ସ୍ଥଳ ପରିଦର୍ଶନ କରାଇଥିଲେ । ଏଏସଆଇ ଅଧିକାରୀମାନେ କହିଥିଲେ ଯେ, ତାଇ-ଆହୋମ ବଂଶର ପ୍ରତିଷ୍ଠାତା ଥଲେ ଚାଓ ଲୁଙ୍ଗ ସିଉ-କା-ଫା ଏବଂ ଦୀର୍ଘ ଛଅ ଶତାବ୍ଦୀ ଧରି ବ୍ରହ୍ମପୁତ୍ର ଉପତ୍ୟକା ଅଞ୍ଚଳରେ ତାଙ୍କ ରାଜବଂଶ ଶାସନ କରିଥିଲେ । ସେ ହିଁ ୧୨୫୩ ଖ୍ରୀଷ୍ଟାବ୍ଦରେ ଏହାକୁ ପ୍ରତିଷ୍ଠା କରିଥିଲେ । ଚାରାଇଦେଓ ମୋଇଦମଗୁଡ଼ିକ ହେଉଛନ୍ତି ମାଟି ନିର୍ମିତ ସମାଧି ସ୍ତୂପ । ଏଗୁଡ଼ିକ ଭାରତର ଏକ ଅନନ୍ୟ ପରମ୍ପରାକୁ ପ୍ରତିଫଳିତ କରିଥା’ନ୍ତି ।

ଭାରତର ୪୩ତମ ଐତିହ୍ୟ ସ୍ଥଳୀ ତଥା ଉତ୍ତର-ପୂର୍ବାଞ୍ଚଳର ପ୍ରଥମ ସାଂସ୍କୃତିକ ସ୍ଥଳ ଭାବେ ଏଗୁଡ଼ିକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ମାନ୍ୟତା ମିଳିଛି । ପ୍ରତ୍ୟେକ ମୋଇଦମ ଭିତରେ ରାଜକୀୟ ଅବଶେଷ ରଖିବା ପାଇଁ ଏକ ଭୂତଳ ଗମ୍ବୁଜାକୃତି କକ୍ଷ ରହିଛି । ଏହା ଉପରେ ଏକ ଅର୍ଦ୍ଧ-ଗୋଲାକାର ମାଟି ସ୍ତୂପ ଏବଂ ଉପରିସ୍ତ ଭାଗରେ ଅଷ୍ଟଭୁଜାକୃତି ମଣ୍ଡପ ବା ଚୌ-ଚାଲି ରହିଛି । ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଅନନ୍ୟ ରାଜକୀୟ ସମାଧୀ ସ୍ଥଳ ସହ ଏହାକୁ ତୁଳନା କରାଯାଇପାରିବ ଯାହା ଅନ୍ତିମ ସଂସ୍କାର ସହ ଜଡ଼ିତ ଏକ ଅଭିନବ ପରମ୍ପରାର ନିଦର୍ଶନ ।ଏହାପରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିମାନେ ଆହୋମ ରାଜବଂଶର ଐତିହାସିକ ରାଜଧାନୀ ଓ ରଙ୍ଗଘର ପରିଦର୍ଶନ କରିଥିଲେ । ଶିବସାଗରରେ ଥିବା ଏହି ସ୍ଥାନ ଆହୋମ ରାଜବଂଶର ଗୌରବଶାଳୀ ଇତିହାସର ବାର୍ତ୍ତା ଦେଇଥାଏ । ତଲାତାଲ ଘରରେ, ସାମ୍ବାଦିକମାନେ ରାଜପ୍ରାସାଦର ଅତ୍ୟାଧୁନିକ ସାମରିକ ସ୍ଥାପତ୍ୟ ଦେଖିଥିଲେ । ଏଥିରେ ମାଟି ତଳେ ଥିବା ସେନା ବାରାକ୍ ଏବଂ ପ୍ରତିରକ୍ଷା ସୁଡ଼ଙ୍ଗ ରହିଛି । ଏସିଆର ସର୍ବପ୍ରାଚୀନ ଧର୍ମନିରପେକ୍ଷ ଗୋଲାକାର କ୍ରୀଡ଼ା ମଞ୍ଚ ବା ଆମ୍ପିଥିଏଟର୍ ଦେଖି ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଭାବିତ ହୋଇଥିଲେ । ସେମାନେ ଏହାର ଦୁଇ ମହଲା ବିଶିଷ୍ଟ ନୌକା ଆକୃତିର ମଣ୍ଡପ ବୁଲି ଦେଖିଥିଲେ । ଶେଷରେ ସେମାନେ ପବିତ୍ର ଶିବଡୋଲ ପରିସରକୁ ଯାଇଥିଲେ। ଏହାକୁ ସବୁଠୁ ଉଚ୍ଚ ଐତିହାସିକ ମନ୍ଦିର ଶିଖର କୁହାଯାଏ। ଏଠାରେ ବିଷ୍ଣୁ ଡୋଲ ଏବଂ ଦେବୀ ଡୋଲ ମନ୍ଦିର ମଧ୍ୟ ରହିଛି ।ପ୍ରାମାଣିକ ଆହୋମ ସ୍ଥାପତ୍ୟ ଗ୍ରନ୍ଥ ଚାଙ୍ଗରୁଙ୍ଗ ଫୁକାନରେ ଉଲ୍ଲେଖ ଥିବା ଜୈବିକ ଗୃହ ନିର୍ମାଣ ମିଶ୍ରଣ ଏବଂ ଏହି ଜାତୀୟ ଐତିହ୍ୟଗୁଡ଼ିକୁ ମଜବୁତ ରଖିବା ଲାଗି କରାଯାଇଥିବା ଆଧୁନିକ ବୈଜ୍ଞାନିକ ଉପାୟ ବିଷୟରେ ମଧ୍ୟ ସାମ୍ବାଦିକମାନଙ୍କୁ ଅବଗତ କରାଯାଇଥିଲା। ସେମାନେ ବାୟୋସାଇଡଲ୍ ସଫେଇ, ଜିଓଟେକ୍ନିକାଲ ଷ୍ଟାବିଲାଇଜେସନ ଏବଂ ପାରାମିଟର ଡ୍ରେନେଜ୍ ବ୍ୟବସ୍ଥା ବିଷୟରେ ମଧ୍ୟ ସୂଚନା ପାଇଥିଲେ ।
