ତାରପୁର ପଞ୍ଚାୟତର ୨ନଂ ୱାର୍ଡ ରାସ୍ତାରେ ୨ ଫୁଟ ଉଚ୍ଚର ପାଣି

*ତାରପୁର ପଞ୍ଚାୟତର ୨ନଂ ୱାର୍ଡ ରାସ୍ତାରେ ୨ ଫୁଟ ଉଚ୍ଚର ପାଣି, ଜଳବନ୍ଦୀ ସମସ୍ୟା**ଜଳନିଷ୍କାସନ ସ୍ଥାନକୁ ଅବରୋଧ ଯୋଗୁଁ ଜଳବନ୍ଦୀ, ତହସିଲ ଓ ଡ୍ରେନେଜ ବିଭାଗକୁ ଦାୟୀ କଲେ ପଞ୍ଚାୟତବାସୀ**ରଘୁନାଥପୁର, ୨୫/୯ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତାରପୁର ପଞ୍ଚାୟତ ଅଧୀନ ୨ନଂ ୱାର୍ଡ ରାସ୍ତାରେ ୨ ଫୁଟ ଉଚ୍ଚତାରେ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ତାରପୁର ପଞ୍ଚାୟତର ଏହି ୱାର୍ଡ ରାସ୍ତାରେ ଜମିଥିବା ବର୍ଷାଜଳ ସମସ୍ୟାକୁ ଆହୁରି ସଙ୍ଗୀନ କରିପକାଇଛି। ଏହି ରାସ୍ତାଟି କଟକ-ପାରାଦୀପ ରାଜ୍ୟ ରାଜପଥରୁ ବାହାରି ନାୟକ ସାହିକୁ ସଂଯୋଗ କରିଛି। ସାମାନ୍ୟ ବର୍ଷାରେ ମଧ୍ୟ ଏହି ରାସ୍ତାରେ ପାଣି ଜମିଥାଏ। ଏହା ଦୀର୍ଘଦିନର ସମସ୍ୟା ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ସେହିପରି ଏହି ପଞ୍ଚାୟତର କଟକ-ପାରାଦୀପ ରାସ୍ତାରୁ ବାହାରିଥିବା ଚିକିଣିଆ ରାସ୍ତା କଡ଼ରେ ଜଳନିଷ୍କାସନ ହୋଇନପାରି ଏକ ଏକର ବିଲରେ ଧାନଗଛ ଗୁଡ଼ିକ ବର୍ଷାପାଣିରେ ବୁଡି ରହିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ତେବେ ତାରପୁର ପଞ୍ଚାୟତର ଏହି ଅଞ୍ଚଳରେ ନୟନଜୋରି ପ୍ଲଟ ଓ କିଛି ବ୍ୟକ୍ତିଗତ ଜଳାଶୟ ଗୁଡ଼ିକୁ ପୋତି କିଛି ଲୋକ ଜାଣିଶୁଣି ବାଡ଼ିବଗିଚା ଓ ଘରଦ୍ୱାର କରି ଜଳନିଷ୍କାସନ ରାସ୍ତାକୁ ଅବରୋଧ କରିବା ଯୋଗୁଁ ଏହି ପଞ୍ଚାୟତରୁ ଜଳନିଷ୍କାସନ ହୋଇପାରୁନାହିଁ। ଫଳରେ ଏହି ପଞ୍ଚାୟତରେ ଜଳବନ୍ଦୀ ଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ପଞ୍ଚାୟତର କିଛି ଲୋକ ଅଭିଯୋଗ ଉଠାଇଛନ୍ତି।ତେବେ କିଛିଦିନ ତଳେ ତହସିଲଦାର ଓ ଡ୍ରେନେଜ ବିଭାଗ ଅଧିକାରୀମାନେ ଅନୁଧ୍ୟାନ କରି ଫେରିଯାଇଥିଲେ ବି ସମସ୍ୟାର ସମାଧାନ ହୋଇପାରି ନଥିବାରୁ ଏହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି।

Leave a Reply

Your email address will not be published. Required fields are marked *