ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରୋମୋ ରନ୍
କୋଣାର୍କ,୨୭.୦୯- ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ରବିବାର ସକାଳେ ଚନ୍ଦ୍ରଭାଗା ବେଳାଭୂମିରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ମିନି ମରାଥନ୍ ବା “ପ୍ରୋମୋ ରନ୍” ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଏବଂ ପର୍ଯ୍ୟଟନର ବ୍ୟାପକ ବିକାଶ ସହ ଆଗାମୀ ଡ଼ିସେମ୍ବର ୧୩ ରେ ହେବାକୁ ଥିବା ପୁରୀ କୋଷ୍ଟାଲ ମାରାଥନ ନିମନ୍ତେ ପ୍ରଚାର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସଚେତନତା ପ୍ରଚାର ଭିତ୍ତିକ ୫କିମି ଦୌଡ ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଆରମ୍ଭ ହୋଇ କୋଣାର୍କ ଓ ସେଠାରୁ ଫେରି ପୁନଃ ଚନ୍ଦ୍ରଭାଗାରେ ପହଞ୍ଚିଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ କ୍ରୀଡ଼ା ପ୍ରେମୀ ମାନେ ଅତ୍ୟନ୍ତ ଉତ୍ସାହର ସହିତ ଅଂଶଗ୍ରହଣ କରି ଦୌଡ଼ିଥିଲେ।କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମୀନୀ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସଫଳତା ପୂର୍ବକ ସମ୍ପାଦିତ ହୋଇଥିଲା।

ଏହି ଅବସରରେ କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢ଼ିଆରି, ଚନ୍ଦ୍ରଭାଗା ଥାନା ଅଧିକାରୀ ସରସ୍ଵତୀ ସାହୁ, ଅଗ୍ନିଶମ ଅଧିକାରୀ ବିଚିତ୍ର ଚୌଧୁରୀ, ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ, ଉପାଧ୍ୟକ୍ଷ ସୁରେଶ୍ ରାଉତରାୟ, ଅଧ୍ୟାପକ ବିନୟ ଭୂଷଣ ମହାନ୍ତି ଓ ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏଥି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ପର୍ଯ୍ୟଟନର ମହତ୍ତ୍ୱ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ଆଗାମୀ ପୁରୀ କୋଷ୍ଟାଲ ମାରାଥନରେ ସମସ୍ତେ ଯୋଗ ଦେବାକୁ ଆହ୍ଵାନ କରାଯାଇଥିଲା। ଏହିପରି ଆୟୋଜନ ଦ୍ୱାରା ଆମ ସଂସ୍କୃତି, ଐତିହ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ର ଅଧିକ ସମୃଦ୍ଧ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
