ଆରମ୍ଭ ହେଲା ପିତୃପକ୍ଷ.. ଶ୍ରୀକ୍ଷେତ୍ର ଚଳଚଞ୍ଚଳ
ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ | ସେଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡିଛି | ଆଶ୍ୱିନ କୃଷ୍ଣ ପ୍ରତିପଦା ଦିନ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ବା ଅପରପକ୍ଷ ଭାବେ ପାଳନ କରାଯିବାର ବିଧି ରହିଛି। ବିଶ୍ୱାସ ରହିଅଛି ଏହି ସମୟରେ ପିତୃଲୋକ ତ୍ୟାଗ କରି ପିତୃ ପୁରୁଷମାନେ ପୁତ୍ରଲୋକକୁ ଆସିଥାନ୍ତି। ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ୱ ରହିଥିବା ବେଳେ ଏହି ସମୟରେ ପିତୃ ପୁରୁଷଙ୍କୁ ଶାନ୍ତି କରିବା ପାଇଁ ତିଳ ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ। ଅତ୍ୟନ୍ତ ଶୁଦ୍ଧ ପୁତ ଭାବେ ଏହି ପନ୍ଦର ଦିନ ନିୟମ ନିଷ୍ଠାରେ ଏହି ପକ୍ଷ ପାଳନ କଲେ ପିତୃ ପୁରୁଷଙ୍କ ପରିବାର ଉପରେ ଆର୍ଶିବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ସମୟରେ ସମସ୍ତ ପିତୃପୁରୁଷ ମାନେ ଶ୍ରାଦ୍ଧ, ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି। ପିତୃ ପୁରୁଷମାନେ ସେମାନଙ୍କ ବଂଶଧର ମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି। ଶ୍ରୀକ୍ଷେତ୍ରରେ ବହୁ ପୁରାତନ ସମୟରୁ ତୀର୍ଥ ପୁଷ୍କରିଣୀରେ ଏହି ପିତୃପକ୍ଷ ସମୟରେ ଶ୍ରାଦ୍ଧ, ତର୍ପଣ ଏବଂ ପିଣ୍ଡ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ। ସେଥିପାଇଁ ତୀର୍ଥପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଉତ୍ତରଦୁଆର ନିକଟରେ ଘରର ବୟୋଜ୍ୟେଷ୍ଠ ମାନେ ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଏବଂ ପିଣ୍ଡଦାନ କରିଛନ୍ତି।
