କିଟ୍ ଲ ସ୍କୁଲ୍ ପକ୍ଷରୁ ଆଇନ ସଚେତନତା ଶିବିର
ଭୁବନେଶ୍ୱର, ୧୬ ।୧୦: କିଟ୍ ଲ ସ୍କୁଲ୍ ଲିଗାଲ୍ ସର୍ଭିସେସ୍ କ୍ଲିନିକ୍ ପକ୍ଷରୁ କଟକସ୍ଥିତ ଆଶ୍ରୟ ଦି ସେଲ୍ଟରଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ଶିଶୁମାନଙ୍କର ଆଇନଗତ ଅଧିକାର, ସେମାନଙ୍କ ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।ଏହି ଶିବିରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ପ୍ରଚଳିତ ଆଇନଗତ ସୁରକ୍ଷା, ସଂପୃକ୍ତ ଆଇନଗତ ବ୍ୟବସ୍ଥା, ସେମାନଙ୍କ ଶିକ୍ଷା, ସାମଗ୍ରିକ ବିକାଶ ଓ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଅଧ୍ୟାପକ ଓ ଛାତ୍ର ସ୍ୱେଚ୍ଛାସେବୀମାନେ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା କରି ସମାବେଶୀ ଶିକ୍ଷା, ସୁଗମ୍ୟତା, ସରକାରୀ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ, ଶିଶୁମାନଙ୍କ ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷାରେ ଆଇନର ଭୂମିକା ସଂପର୍କରେ ମତ ବିନିମୟ କରିଥିଲେ ।ଆଶ୍ରୟ ଦି ସେଲ୍ଟରର ଶିକ୍ଷକମାନଙ୍କ ନିଷ୍ଠା, ଧୈର୍ଯ୍ୟ ଓ ସମର୍ପଣ ଭାବକୁ ପ୍ରଶଂସା କରାଯିବା ସହ ଶିଶୁଙ୍କ ଶିକ୍ଷା, ବିକାଶ ଓ ଉନ୍ନତିରେ ଶିକ୍ଷକମାନଙ୍କ ଅବଦାନକୁ ଦଳ ପକ୍ଷରୁ ସ୍ୱୀକୃତି ଦିଆଯାଇଥିଲା । ଛାତ୍ର ସ୍ୱେଚ୍ଛାସେବୀମାନେ ମଧ୍ୟ ଶିଶୁମାନଙ୍କ ସହ ଭାବ ବିନିମୟ କରି ସେମାନଙ୍କ ଅନୁଭୂତି, ସାମର୍ଥ୍ୟ ଓ ଆବଶ୍ୟକତା ସଂପର୍କରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ । ଏହି କାର୍ଯ୍ୟକ୍ରମ ଆଇନ ଶିକ୍ଷାକୁ ସାମାଜିକ ସେବା ସହ ଯୋଡ଼ିବା ସହିତ ଭିନ୍ନକ୍ଷମଙ୍କ ଅଧିକାର ଓ ସାମାଜିକ ଅନ୍ତର୍ଭୁକ୍ତିକରଣର ବାସ୍ତବ ଦିଗଗୁଡ଼ିକୁ ବୁଝିବାର ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିଥିଲା ।ଏହି କାର୍ଯ୍ୟକ୍ରମକୁ ଲୋକନାଥ ମହାପାତ୍ର, ନିର୍ଦ୍ଦେଶକ, ଲିଗାଲ୍ ସର୍ଭିସେସ୍; ଶଶାଙ୍କ ନନ୍ଦେ ଏବଂ ଡ ପ୍ରଜ୍ଞା ପାରମିତା ରାୟ, ଫ୍ୟାକଲ୍ଟି କୋଅର୍ଡିନେଟର ପ୍ରମୁଖ ସଂଯୋଜନା କରିଥିଲେ । ଏଥିରେ ସୁସ୍ମିତା ମିଶ୍ର, ଲିଗାଲ୍ ସର୍ଭିସେସ୍ କ୍ଲିନିକର ଅଧ୍ୟାପିକା ଓ କିଟ୍ ଲ ସ୍କୁଲ୍ ଆସିଷ୍ଟାଣ୍ଟ ଲିଗାଲ୍ ଅଫିସର ଅମ୍ରିତା ବଳ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ କିଟ୍ ଲ ସ୍କୁଲର ପୂର୍ବତନ ଛାତ୍ର ଶ୍ରୀଶେକ ଶିଖର ଏବଂ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମିତାଲୀ ଜେଷ୍ଠୀ ମଧ୍ୟ ଉପସ୍ଥିତ ଥିଲେ ।ଆଶ୍ରୟ ଦି ସେଲ୍ଟରରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅଟିଜିମ୍, ଡାଉନ୍ ସିଣ୍ଡ୍ରୋମ୍, ସେରିବ୍ରାଲ୍ ପାଲସି, ଅନ୍ୟାନ୍ୟ ବୌଦ୍ଧିକ ଓ ବିକାଶଗତ ଅକ୍ଷମତା ଥିବା ଶିଶୁମାନଙ୍କର ଶିକ୍ଷା, ବିକାଶ ଓ ଯତ୍ନ ପ୍ରତି ଗୁରୁତ୍ୱ ଦିଆଯାଏ । ଏହି ପଦକ୍ଷେପ ମାଧ୍ୟମରେ କିଟ୍ ଲ ସ୍କୁଲ୍ ଆଇନ ସଚେତନତାର ପ୍ରସାର, ଭିନ୍ନକ୍ଷମ ଶିଶୁମାନଙ୍କ ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ଏବଂ ସାମାଜିକ ସମାବେଶ ଓ ସମାନତାଭିତ୍ତିକ ସମାଜ ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଛି ।
