୬୦ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷକଭିରଙ୍ଗ ଉଚ୍ଚବିଦ୍ୟାଳୟରେ ଶିକ୍ଷାଦାନ ବିପର୍ଯ୍ୟସ୍ତ
ଏରସମା, ଗ୍ରାମାଞ୍ଚଳର ପିଲାମାନଙ୍କୁ ଉନ୍ନତ ଶିକ୍ଷା ଦେବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଏରସମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର ଭିରଙ୍ଗ ଉଚ୍ଚ ବିଦ୍ୟାଳୟର ଚିତ୍ର ସରକାରୀ ବ୍ୟବସ୍ଥାର ବାସ୍ତବତାକୁ ପଦାରେ ପକାଇଛି। ଏଠାରେ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ସେ ମଧ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ। ବିଦ୍ୟାଳୟରେ ତିନୋଟି ଶ୍ରେଣୀର ପ୍ରାୟ ୬୦ ଜଣ ପିଲା ପାଠ ପଢୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କୁ ଏକୁଟିଆ ପ୍ରଧାନଶିକ୍ଷକ ପାଠ ପଢାଇବା ସହିତ ବିଦ୍ୟାଳୟର ସମସ୍ତ ପ୍ରଶାସନିକ ଓ କାଗଜପତ୍ର କାର୍ଯ୍ୟ ମଧ୍ୟ ସମ୍ଭାଳୁଛନ୍ତି। ଫଳରେ ଏକାଧିକ ଶ୍ରେଣୀକୁ ଏକାସାଙ୍ଗରେ ପଢାଇବା ସମ୍ଭବ ହେଉନାହିଁ।ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲୁଥିଲେ ମଧ୍ୟ ଶିକ୍ଷକ ଅଭାବ ଯୋଗୁଁ ବହୁ ସମୟରେ ଶ୍ରେଣୀଗୃହ ଫାଙ୍କା ରହୁଥିବା ଅଭିଯୋଗ ହେଉଛି। ଶିକ୍ଷକ ଜଣକ ନିଜ ସାମର୍ଥ୍ୟ ଅନୁଯାୟୀ ପିଲାଙ୍କୁ ପଢାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଜଣେ ଶିକ୍ଷକଙ୍କ ଉପରେ ତିନୋଟି ଶ୍ରେଣୀର ଦାୟିତ୍ଵ ସହିତ ପ୍ରଧାନଶିକ୍ଷକଙ୍କ ପ୍ରଶାସନିକ କାର୍ଯ୍ୟ ରହିଥିବାରୁ ନିୟମିତ ଓ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ପିଲାମାନେ ପ୍ରତିଦିନ ନିୟମିତ ଭାବେ ବିଦ୍ୟାଳୟକୁ ଆସୁଥିଲେ ମଧ୍ୟ ଆବଶ୍ୟକ ଅନୁପାତରେ ଶିକ୍ଷକ ନଥିବାରୁ ସେମାନଙ୍କ ପାଠପଢା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ବିଦ୍ୟାଳୟ ଦୀର୍ଘଦିନ ଧରି ଆଖପାଖ ଅଞ୍ଚଳର ଅନେକ ପିଲାଙ୍କ ଭବିଷ୍ୟତ ଗଢିଆସିଛି। ହେଲେ ବର୍ତ୍ତମାନ ଶିକ୍ଷକ ଅଭାବ ଯୋଗୁଁ ସେହି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି। ତୁରନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରି ଶିକ୍ଷାଦାନ ବ୍ୟବସ୍ଥାକୁ ସ୍ଵାଭାବିକ କରିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ କମିଟି ସଦସ୍ୟ ସରକାରଙ୍କୁ ଗୁହାରି କରିଛନ୍ତି।
