ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦ୍ଘାଟିତ ହେଲା ୪୭ତମ କୁମାର ଉତ୍ସବ
ପୁରୀ, ୨୫/୧୦: ପୁରୀର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଦୁଇଦିନିଆ ୪୭ତମ କୁମାର ଉତ୍ସବ ରବିବାର ସ୍ବର୍ଣ୍ଣାଭ ବେଳାଭୂମି ଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ଦେଦାନ୍ତ ର ମାର୍କେଟିଙ୍ଗ ମୁଖ୍ୟ ବରୁଣ ଶ୍ରୀବାସ୍ତବ ଅତିଥି ଭାବେ ଯୋଗଦେଇଥିଲେ।ନାଲ୍କୋର ପୂର୍ବତନ ନିର୍ଦ୍ଦେଶକ ତଥା ଅନୁଷ୍ଠାନର ସଭାପତି ଡ. ତପନ କୁମାର ଚାନ୍ଦ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ସନ୍ତୋଷ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ।ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ, ଦୀର୍ଘ ୪୭ ବର୍ଷ ଧରି ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଓଡ଼ିଶାର କଳା ଓ ସଂସ୍କୃତିର ସୁରକ୍ଷା, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଆସିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ଅନୁଷ୍ଠାନର ଭୂମିକା ପ୍ରଶଂସନୀୟ। ଆଗାମୀ ଦିନରେ ଏହି ଧାରା ଅବ୍ୟାହତ ରହିବା ଉଚିତ ବୋଲି ସେମାନେ ମତ ଦେଇଥିଲେ।

ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଅତିଥି ଏବଂ ଓଡ଼ିଶାର ଫେଟ୍ ଫାଇଟର୍ ଓ କୋଲକାତାର ଆଣ୍ଟି ଗ୍ରାଭିଟି କ୍ରିୟୁ ଟିମ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ସଭାକାର୍ଯ୍ୟ ପରେ ଗୀତିକାର ବଦ୍ରି ମିଶ୍ରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶକ ଆଲୋକ ମହାପାତ୍ରଙ୍କ ନିର୍ଦ୍ଦେଶନା ଏବଂ ନୃତ୍ୟଗୁରୁ ଅମିତ ଚାଟାର୍ଜୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନର କଳାକାରମାନେ ‘ଜହ୍ନ ସ୍ମୃତିର ଚିହ୍ନ’ ନାଟ୍ୟରୂପକ ନୃତ୍ୟ ପରିବେଷଣ କରିଥିଲେ। ପ୍ରସିଦ୍ଧ ବଲିଉଡ୍ କମେଡି ଶୋ’ର କଳାକାର ପ୍ରଜ୍ଞା ଓ ଶଙ୍କରଙ୍କ କାର୍ଯ୍ୟକ୍ରମ ଦର୍ଶକଙ୍କୁ ହସର ଖୋରାକ ଯୋଗାଇଥିଲା।ପଶ୍ଚିମବଙ୍ଗ ଓ ଆସାମରୁ ଆସିଥିବା କଳାକାରଙ୍କ ନୃତ୍ୟ ପ୍ରଦର୍ଶନ ସହ ଫେଟ୍ ଫାଇଟର୍ ଓ ଆଣ୍ଟି ଗ୍ରାଭିଟି କ୍ରିୟୁର ଚିତ୍ତାକର୍ଷକ କଳା ପ୍ରଦର୍ଶନ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ବିଭିନ୍ନ ସାଂସ୍କୃତିକ ପରିବେଷଣର ମଜା ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିଲେ।
