ମୁମ୍ବାଇଠାରେ ତିନି ଦିନିଆ ‘ଇଣ୍ଡିଆ କେମ୍-୨୦୨୬’ କାର୍ଯ୍ୟକ୍ରମ ଉଦ୍ଯାପିତ
ମୁମ୍ବାଇଠାରେ ତିନି ଦିନିଆ ‘ଇଣ୍ଡିଆ କେମ୍-୨୦୨୬’ କାର୍ଯ୍ୟକ୍ରମ ଉଦ୍ଯାପିତ l ରାସାୟନିକ ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ନିବେଶ ଓ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହନଅକ୍ଟୋବର ୨୨ ତାରିଖରେ ଉଦ୍ଘାଟିତ ତିନିଦିନିଆ କାର୍ଯ୍ୟକ୍ରମ ‘ଇଣ୍ଡିଆ କେମ୍-୨୦୨୬’ ଆଜି ମୁମ୍ବାଇରେ ଉଦ୍ଯାପିତ ହୋଇଛି।“ଆଡଭାଣ୍ଟେଜ୍ ଭାରତ: ଏକ ଉଦୀୟମାନ ବିଶ୍ୱସ୍ତରୀୟ ରସାୟନ ହବ୍” ବିଷୟବସ୍ତୁକୁ ନେଇ ଆୟୋଜିତ ଇଣ୍ଡିଆ କେମ୍-୨୦୨୬ର ୧୪ତମ ସଂସ୍କରଣ ବିଶ୍ୱସ୍ତରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ରସାୟନ ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ଆକର୍ଷଣ ଏବଂ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ପଥ ପ୍ରଶସ୍ତ କରିଛି।ଏହି କାର୍ଯ୍ୟକ୍ରମ ଅବସରରେ ରସାୟନ ଓ ପେଟ୍ରୋକେମିକାଲ୍ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ଆହ୍ୱାନ ଉପରେ ସିଇଓ ଫୋରମ୍, ଭାରତ-ଜାପାନ, ଭାରତ-ଆମେରିକା ଓ ଭାରତ-ୟୁରୋପୀୟ ସଂଘ ଫୋରମ୍ରେ ମାନସମନ୍ଥନ, ବ୍ୟବସାୟିକ ଆଲୋଚନା ଏବଂ ଫଳପ୍ରଦ ବିଚାରବିମର୍ଶ ସହ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା।ଭାରତ ସହ ବିଶେଷକରି ରସାୟନ ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ଦୃଢ଼ ବାଣିଜ୍ୟିକ ସମ୍ପର୍କ ରଖିଥିବା ଜାପାନ ଏହି କାର୍ଯ୍ୟକ୍ରମର ଅଂଶୀଦାର ଦେଶ ଥିଲା।ଇଣ୍ଡିଆ କେମ୍-୨୦୨୬ର ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ର ରସାୟନ ଓ ସାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କ ସମେତ କେନ୍ଦ୍ର ରସାୟନ ଓ ସାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ଉପସ୍ଥିତିରେ ରସାୟନ କ୍ଷେତ୍ରର ଶିଳ୍ପପତି, ନିବେଶକ, ଉଦ୍ଭାବକ ଓ ନୀତି ନିର୍ଦ୍ଧାରକମାନଙ୍କୁ ‘ବିକଶିତ ଭାରତ @ ୨୦୪୭’ ଲକ୍ଷ୍ୟ ହାସଲ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ଶ୍ରୀ ନଡ୍ଡା କହିଥିଲେ ଯେ, ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ ଏକ ଉଦୀୟମାନ କ୍ଷେତ୍ର ଏବଂ ଏହାର ଅଭିବୃଦ୍ଧି ସହ ଦେଶର ଆର୍ଥିକ ବିକାଶରେ ଯୋଗଦାନ କରିବାର ବିପୁଳ ସମ୍ଭାବନା ରହିଛି।କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଏହି କ୍ଷେତ୍ରର ଭୂମିକା ଅପରିହାର୍ଯ୍ୟ। ବର୍ତ୍ତମାନ ପ୍ରାୟ ୨୨୦ ବିଲିୟନ ଆମେରିକୀୟ ଡଲାରର ବଜାର ଆକାର ଥିବା ଏହି କ୍ଷେତ୍ରକୁ ୨୦୪୦ ସୁଦ୍ଧା ପ୍ରାୟ ୧ ଟ୍ରିଲିୟନ ଡଲାର ଏବଂ ୨୦୪୭ ସୁଦ୍ଧା ପ୍ରାୟ ୧.୬ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ଆବଶ୍ୟକ।ଶ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଇଓ ଫୋରମ୍ରେ ଶିଳ୍ପକୁ ସୁଦୃଢ଼ କରିବା, ପ୍ରତିଯୋଗିତାମୂଳକ କ୍ଷମତା ବୃଦ୍ଧି କରିବା ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ରସାୟନ ଓ ପେଟ୍ରୋକେମିକାଲ୍ ହବ୍ ଭାବେ ଭାରତକୁ ପ୍ରତିଷ୍ଠିତ କରିବାର ଲକ୍ଷ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।ବିଶ୍ୱର ବିଭିନ୍ନ ଦେଶର ଶିଳ୍ପପତିମାନେ ଭାରତୀୟ ରସାୟନ ଶିଳ୍ପରେ ରହିଥିବା ସୁଯୋଗ ଓ ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ।ଇଣ୍ଡିଆ କେମ୍-୨୦୨୬ରେ ଭାରତ-ଜାପାନ, ଭାରତ-ଆମେରିକା ଏବଂ ଭାରତ-ୟୁରୋପୀୟ ସଂଘ ରସାୟନ ଓ ପେଟ୍ରୋକେମିକାଲ୍ ଫୋରମ୍ ଅଧୀନରେ ଅନୁଷ୍ଠିତ ମାନସମନ୍ଥନ ଅଧିବେଶନରେ ବିଭିନ୍ନ ପ୍ରତିନିଧି ଓ ଶିଳ୍ପପତିମାନେ ଏହି କ୍ଷେତ୍ରରେ ବାଣିଜ୍ୟ, ପୁଞ୍ଜିନିବେଶ ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଅଧିକ ସହଯୋଗର ସୁଯୋଗ ଅନୁସନ୍ଧାନ କରିଥିଲେ।“ଆଡଭାଣ୍ଟେଜ୍ ଭାରତ: ଏକ ଉଦୀୟମାନ ବିଶ୍ୱସ୍ତରୀୟ ରସାୟନ ହବ୍” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ପେସାଲିଟି କେମିକାଲ୍ସ, ରସାୟନ ଓ ପେଟ୍ରୋକେମିକାଲ୍ କ୍ଷେତ୍ରର ଭିତ୍ତିଭୂମି, କୃଷି ରସାୟନ, ପରିବେଶ ସମସ୍ୟା, ପ୍ଲାଣ୍ଟ ଯନ୍ତ୍ରପାତି, ପମ୍ପ ଓ ଭାଲ୍ଭ ଭଳି ବିଷୟ ଉପରେ ଏକାଧିକ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବିଷୟଗୁଡ଼ିକ ଏହି କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ପାଇଁ ସମସାମୟିକ ଆହ୍ୱାନ ଭାବେ ଉଭା ହୋଇଛି।ଇଣ୍ଡିଆ କେମ୍ ୨୦୨୬ର ୧୪ତମ ସଂସ୍କରଣରେ ପ୍ରଥମ ଥର ପାଇଁ ‘ଇଣ୍ଡିଆ କେମ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ’ ନାମକ ଏକ ନୂତନ ପଦକ୍ଷେପ ସାମିଲ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଯୁବ ଉଦ୍ଭାବକମାନଙ୍କୁ ଭାରତର ରସାୟନ ଓ ପେଟ୍ରୋକେମିକାଲ୍ କ୍ଷେତ୍ର ସହ ଯୋଡ଼ିବା। ଏଥିରେ ଯୁବ ଛାତ୍ରଛାତ୍ରୀମାନେ ରସାୟନ ଶିଳ୍ପର ବିଭିନ୍ନ ସମସ୍ୟା ଉପରେ କାର୍ଯ୍ୟ କରି ସେଗୁଡ଼ିକର ସମାଧାନ ବାହାର କରିଥିଲେ। ଶିଳ୍ପ ଜଗତର ବିଚାରକମଣ୍ଡଳୀ ଏହି ସମାଧାନଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ମୁମ୍ବାଇର ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି)ର ଛାତ୍ର ସୌମ୍ୟ ଭୋଲେ ଓ ସାର୍ଥକ କାଲେ ପ୍ରଥମ ପୁରସ୍କାର ହାସଲ କରିଥିଲେ। ନାଗପୁରର VNITର ସୁମନ ବାଟୱେ ଓ ସାଲୋନି ମହାଦେସର ଦ୍ୱିତୀୟ ପୁରସ୍କାର ଏବଂ ଗାନ୍ଧୀନଗରର ଆଇଆଇଟି’ର ଜଶ ପ୍ରସାଦ ଓ ସ୍ମିତ ବମ୍ଭୋରଲିୟା ତୃତୀୟ ପୁରସ୍କାର ହାସଲ କରିଥିଲେ।ରସାୟନ ଓ ପେଟ୍ରୋକେମିକାଲ୍ ବିଭାଗ ଏବଂ ଫିକି (FICCI)ର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶିଳ୍ପ ଜଗତର ନେତୃବୃନ୍ଦ ଓ ସରକାରୀ ପ୍ରତିନିଧିମାନଙ୍କ ମଧ୍ୟରେ କ୍ଷେତ୍ର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ମାନସମନ୍ଥନ ଓ ଆଲୋଚନା ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା। ଏହା ମାଧ୍ୟମରେ ପୁଞ୍ଜିନିବେଶର ସମ୍ଭାବନା, ନିୟାମକ ବ୍ୟବସ୍ଥା ଏବଂ ରଣନୈତିକ ଆହ୍ୱାନ ଉପରେ ବିଚାରବିମର୍ଶ ହୋଇଥିଲା।ଏହି ବିଶ୍ୱସ୍ତରୀୟ ପ୍ରଦର୍ଶନୀରେ ଏହି କ୍ଷେତ୍ରର ପ୍ରମୁଖ ଭାରତୀୟ ଓ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକର ପାଭିଲିୟନ୍ ସ୍ଥାନ ପାଇଥିଲା। ଏଥିସହ ସହଭାଗୀ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ଉତ୍ତରପ୍ରଦେଶ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ବିହାର ସମେତ ଅନେକ ଭାରତୀୟ ରାଜ୍ୟ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜାପାନ, ଆମେରିକା, କାନାଡା, ବ୍ରିଟେନ୍, ୟୁରୋପୀୟ ସଂଘର ବିଭିନ୍ନ ଦେଶ, ଲାଟିନ୍ ଆମେରିକା, କୋରିଆ ଗଣରାଜ୍ୟ ଏବଂ ଆସିଆନ୍ ରାଷ୍ଟ୍ରଗୁଡ଼ିକ ସମେତ ଅନେକ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ତିନି ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫,୦୦୦ରୁ ଅଧିକ ପରିଦର୍ଶକ ଯୋଗ ଦେଇଥିଲେ।
