ପୁରୀ ଜିଲ୍ଲା ସ୍ତରୀୟ ‘ମାଣ୍ଡିଆ ଦିବସ-୨୦୨୬’ ପାଳିତ ଭବିଷ୍ୟତର ଖାଦ୍ୟ ସୁରକ୍ଷା ପାଇଁ ମାଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା

ପୁରୀ :୫ /୧୧- ଆଜି ପୂର୍ବାହ୍ନରେ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ତଥା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ‘ମାଣ୍ଡିଆ ଦିବସ-୨୦୨୬’ ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ଏହି କାର୍ଯ୍ୟକ୍ରମ ପାଇଁ ଏକ ସ୍ୱତନ୍ତ୍ର ଏବଂ ଯୁଗୋପଯୋଗୀ ଥିମ୍ ବା ମୂଳମନ୍ତ୍ର ଧାର୍ଯ୍ୟ କରାଯାଇଥିଲା, ଯାହା ହେଲା— “କମ୍ୟୁନିଟି ସିଡ୍ ସିଷ୍ଟମ୍ ଆଣ୍ଡ ଏଗ୍ରୋ-ବାୟୋଡ଼ାଇଭର୍ସିଟି ଫର୍ ରିଜିଲିଏଣ୍ଟ ଫୁଡ୍ ସିଷ୍ଟମ” (Community Seed System and Agro-Biodiversity for Resilient Food System)। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା, ପୁରୀ ଶ୍ରୀ ଶିବାଶିଷ ମିଶ୍ର ସଭାପତିତ୍ୱ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ର ଯୋଗଦେଇ ମାଣ୍ଡିଆ ଚାଷର ବିକାଶ ଓ ଏହାର ବିଭିନ୍ନ ବୈଷୟିକ ଦିଗ ଉପରେ ଆଲୋକପାତ କରିଥିଲେ।ସଭାରେ ସଭାପତିତ୍ୱ କରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଶିବାଶିଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ଆଗାମୀ ଦିନର ମାନବ ସଭ୍ୟତା ଏବଂ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ପୁଷ୍ଟିକର ମିଲେଟ ବା ମାଣ୍ଡିଆ ଉପରେ ନିର୍ଭରଶୀଳ ହେବାକୁ ଯାଉଛି। ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ଏବଂ ପରିବେଶ ସ୍ଥିତିରେ ମାଣ୍ଡିଆ ପରି ଜଳକଷ୍ଟ-ସହିଷ୍ଣୁ ଫସଲ ଚାଷ କରିବା ଦ୍ୱାରା ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥି ତଥା ବରିଷ୍ଠ ବୈଜ୍ଞାନିକ ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ର ତାଙ୍କ ଅଭିଭଷଣରେ ମିଲେଟର ଅନନ୍ୟ ବିଶେଷତ୍ୱ, ଉଚ୍ଚ ଗୁଣବତ୍ତା ଏବଂ ମାନବ ଶରୀର ପାଇଁ ଏହାର ଅମୂଲ୍ୟ ଲାଭ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ପ୍ରକାଶ କରିଥିଲେ ଯେ ମାଣ୍ଡିଆରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍, ଆୟର୍ନ, ଡାଏଟାରୀ ଫାଇବର ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏବଂ ମଧୁମେହ, ରକ୍ତଚାପ ଓ ଅଧିକ ଓଜନ ଭଳି ସମସ୍ୟାକୁ ଦୂର କରିବାରେ ଅତ୍ୟନ୍ତ ଫଳପ୍ରଦ ଅଟେ।

ଏହା ସହିତ, ଅନ୍ୟାନ୍ୟ ପାରମ୍ପରିକ ଫସଲ ଅପେକ୍ଷା ମାଣ୍ଡିଆ ଚାଷ କରିବା ଅତ୍ୟନ୍ତ ସହଜ; ଏଥିରେ କମ୍ ରୋଗପୋକର ଆକ୍ରମଣ ହୋଇଥାଏ ଏବଂ ଅପେକ୍ଷାକୃତ କମ୍ ଜଳସେଚନରେ ମଧ୍ୟ ଏହା ଭଲ ଅମଳ ଦେଇଥାଏ।ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରସିଦ୍ଧ ‘ଓଡ଼ିଶା ମିଲେଟ ମିଶନ’ (ଶ୍ରୀ ଅନ୍ନ ଅଭିଯାନ) ଯୋଜନା ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଏହି ଅଭିନବ ପଦକ୍ଷେପ ଯୋଗୁଁ ଆଜି ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ମାଣ୍ଡିଆର ପ୍ରଚାର ଓ ପ୍ରସାର ବ୍ୟାପକ ହୋଇପାରିଛି। ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଉଚ୍ଚମାନର ମଞ୍ଜି ଯୋଗାଇବା, ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରିବା ଏବଂ ସମର୍ଥିତ ମୂଲ୍ୟରେ ମାଣ୍ଡିଆ କ୍ରୟ କରିବା ଭଳି ପଦକ୍ଷେପ ଚାଷୀମାନଙ୍କୁ ବେଶ୍ ଆତ୍ମବିଶ୍ୱାସୀ କରିପାରିଛି ବୋଲି ବକ୍ତାମାନେ ମତ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରସିଏସ ଶ୍ରୀମତୀ ସରୋଜିନୀ ଜେନା, କୃଷି ଜିଲ୍ଲା ଅଧିକାରୀ ଶ୍ରୀ ସବ୍ୟସାଚୀ ଦାଶ, ଅତିରିକ୍ତ ପ୍ରାଣୀଧନ ଅଧିକାରୀ ଶ୍ରୀ ରାଜେଶ କୁମାର ପାଣିଗ୍ରାହୀ, ଏବଂ ଆଞ୍ଚଳିକ ପ୍ରକଳ୍ପ ସଂଯୋଜକ ଶ୍ରୀ ସୁରେନ୍ଦ୍ର କୁମାର ମେହେର, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ସାମ୍ବାଦିକ ବନ୍ଧୁଗଣ ଏବଂ ଶତାଧିକ ଚାଷୀ ଭାଇଭଉଣୀ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *