ଭୁବନେଶ୍ୱର ସ୍ଥିତ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ଆଇନ୍ ଅଧିନସ୍ଥ କାର୍ଯ୍ୟ ଚୁକ୍ତି ସେବା

Lଭୁବନେଶ୍ୱର ତା-୦୫.୧୧ .୨୦୨୫ ଓଡ଼ିଶା ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର କମିଶନରେଟ୍ ପକ୍ଷରୁ ଓଡ଼ିଶା ଦ୍ରବ୍ୟ ଓ ସେବା କର ଆଇନ୍-୨୦୧୭ ଅଧିନସ୍ଥ କାର୍ଯ୍ୟ ଚୁକ୍ତି ସେବା ( ଓ୍ୱାର୍କସ କଣ୍ଟ୍ରାକ୍ଟ ସର୍ଭିସେସ୍ ) ଏବଂ ଟିଡିଏସ୍ ବ୍ୟବସ୍ଥା ସମ୍ପର୍କରେ ପ୍ରଶିକ୍ଷଣ ନିମନ୍ତେ ରାଜ୍ୟର ବିଭିନ୍ନ ବିଭାଗର ଅର୍ଥ ପରାମର୍ଶଦାତା(ଏଫଏ) ମାନଙ୍କ ନିମନ୍ତେ ଗତକାଲି ବୁଧବାର ଏକ ଦିବସୀୟ କର୍ମଶାଳା ଭୁବନେଶ୍ୱର ସ୍ଥିତ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି । ୨୦୧୭ ମସିହାରୁ ଜିଏସଟି ଆଇନ, ନିୟମ ଓ ହାରରେ ହୋଇଥିବା ବିଭିନ୍ନ ପରିବର୍ତ୍ତନକୁ ଆଧାର କରି ସମସ୍ତ ସରକାରୀ ବିଭାଗ ଓ ବିଭାଗୀୟ ମୁଖ୍ୟମାନଙ୍କ ସୁବିଧା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି । ଆଇନ ଓ ମାର୍ଗଦର୍ଶିକା କାର୍ଯ୍ୟକାରିତା ନେଇ ବିଭିନ୍ନ ବିଭାଗଗୁଡ଼ିକରେ ରହୁଥିବା ସନ୍ଦେହ ଦୂର କରିବା, ନିୟମର ଅନୁପାଳନକୁ ସହଜ କରିବା ନେଇ ଅଧିକ ସ୍ପଷ୍ଟୀକରଣ ଓ ପରାମର୍ଶ ସଂପର୍କରେ ଅର୍ଥ ବିଭାଗ ତରଫରୁ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ଓଡ଼ିଶା ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଆୟୁକ୍ତ ( କମିଶନର , ସିଟି ଏବଂ ଜିଏସଟି) , ଓଡ଼ିଶା ଶ୍ରୀମତୀ ଯାମିନୀ ଷଡଙ୍ଗୀ, ଅର୍ଥ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ମଧୁସୂଦନ ଦାସ ବିତ୍ତୀୟ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନ ଶ୍ରୀ ସନ୍ତୋଷ କୁମାର ସୁଆର ପ୍ରମୁଖ ଯୋଗଦେଇଥିଲେ । କର୍ମଶାଳାରେ ଓଜିଏସଟି ଆଇନ- ୨୦୧୭ ଅଧିନରେ କାର୍ଯ୍ୟ ଚୁକ୍ତି ସେବା ଏବଂ ଟିଡିଏସ୍ ବ୍ୟବସ୍ଥା ସଂପର୍କରେ ଉପସ୍ଥାପନା, ଏହାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା । ସେବା ଶୁଳ୍କର ହିସାବ ନିର୍ଦ୍ଧାରଣ ଏବଂ ସମ୍ପୃକ୍ତ ସର୍କୁଲାର ଗୁଡ଼ିକର ସଂକଳନ ସମ୍ପର୍କରେ ଆଲୋଚନା, ଜଷ୍ଟ-ଇନ୍-ଟାଇମ୍ ଫଣ୍ଡିଂ ସିଷ୍ଟମ୍ ର କାର୍ଯ୍ୟକାରିତା ଏବଂ ଡ୍ରଇଂ ଆଣ୍ଡ ଡିସ୍‌ବର୍ସିଂ ଅଫିସର(ଡିଡିଓ) ମାନଙ୍କ ଦ୍ୱାରା ଚଳନ୍ତି ଜମାଖାତା ( କରେଣ୍ଟ ଆକାଉଣ୍ଟ )ର ପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ ବିଭାଗର ଅର୍ଥ ପରାମର୍ଶଦାତା ମାନଙ୍କୁ ସମ୍ବୋଧିତ କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ରାଜ୍ୟର ଆର୍ଥିକ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ସହିତ ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ହାସଲ ଦିଗରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆର୍ଥିକ ପରାମର୍ଶଦାତା ଏଫ୍ ଏ ) ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିପାରିବେ । ସର୍ବସାଧାରଣ ଆର୍ଥିକ ସମ୍ବଳର ରକ୍ଷକ ଭାବେ ସେମାନେ ଅଧିକ ପ୍ରଗତିଶୀଳ, ପରିବର୍ତ୍ତନମୂଳକ ଓ ବିକାଶମୁଖୀ ମନୋଭାବ ନେଇ କାର୍ଯ୍ୟ କରିବା ସହିତ ବିଭାଗୀୟ ସଚିବମାନଙ୍କୁ ବଜେଟ୍ ଆକଳନ ଅନୁଯାୟୀ ଯୋଜନା ଓ କାର୍ଯ୍ୟକ୍ରମର ବ୍ୟୟ ତ୍ୱରାନ୍ୱିତ କରିବା ଦିଗରେ ଉପଯୁକ୍ତ ପରାମର୍ଶ ଦେବା ଆବଶ୍ୟକତା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ଆର୍ଥିକ ପରିଚାଳନା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥାନ ବଜାୟ ରଖିଥିବା ବେଳେ, ଉପଲବ୍ଧ ନିଜସ୍ୱ ପାଣ୍ଠିର ସମୟୋଚିତ ଓ ଫଳପ୍ରଦ ବିନିଯୋଗ ମାଧ୍ୟମରେ ରାଜ୍ୟର ବିକାଶମୂଳକ ଆକାଂକ୍ଷାକୁ ପୂରଣ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଆର୍ଥିକ ପରାମର୍ଶଦାତାମାନଙ୍କୁ ଅଧିକ ସକ୍ରିୟ, ଦକ୍ଷ ଓ ସହଯୋଗମୂଳକ ଭୂମିକା ଗ୍ରହଣ କରି ଆର୍ଥିକ ଅନୁମୋଦନ ପ୍ରକ୍ରିୟାକୁ ସରଳ ଓ ତ୍ୱରାନ୍ୱିତ କରିବା ସହିତ ବ୍ୟୟ ପରିଚାଳନା କ୍ଷେତ୍ରରେ ନେତୃତ୍ୱ ନେବାକୁ ଆହ୍ୱାନ ଦେଇଥିଲେ । ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ଉନ୍ନୟନ ପ୍ରକଳ୍ପର ସମୟୋଚିତ କାର୍ଯ୍ୟାନ୍ୱୟନ ସହିତ ରାଜ୍ୟର ବ୍ୟୟ କ୍ଷମତା ବୃଦ୍ଧି ଓ ଆବଣ୍ଟିତ ଅର୍ଥର ସଠିକ୍ ବିନିଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବିଶେଷକରି ପର୍ଯ୍ୟଟନ, ଶିଳ୍ପ, ଲଜିଷ୍ଟିକ୍ସ ଓ ରାଜସ୍ୱ ବୃଦ୍ଧି ଭଳି ପ୍ରାଥମିକତା କ୍ଷେତ୍ରରେ ନିବେଶ ଓ ବିକାଶମୂଳକ କାର୍ଯ୍ୟକୁ ଆର୍ଥିକ ସହଯୋଗ ଯୋଗାଇବା ଦିଗରେ ସେମାନେ ବିଭାଗୀୟ ନେତୃତ୍ୱକୁ ସକ୍ରିୟ ସହଯୋଗ କରିବା ଉଚିତ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଆର୍ଥିକ ପରିଚାଳନାରେ ବୃତ୍ତିଗତ ଦକ୍ଷତା, କାର୍ଯ୍ୟକୁଶଳତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ସେ ଅର୍ଥ ବିଭାଗକୁ ବିଭିନ୍ନ ବିଭାଗର ଆବଶ୍ୟକତା ଅନୁରୂପ ସ୍ପଷ୍ଟ, ସମ୍ପୂର୍ଣ୍ଣ ଓ ଅଦ୍ୟତନ ସର୍କୁଲାର ପ୍ରସ୍ତୁତ ଉପରେ ପରାମର୍ଶ ଦେଇଥିଲେ। ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ସହିତ ବିକାଶମୂଳକ କାର୍ଯ୍ୟର ତ୍ୱରିତ ରୂପାୟନକୁ ସୁଗମ କରିବା, ଉପଲବ୍ଧ ସମ୍ବଳର ସର୍ବୋତ୍ତମ ବିନିଯୋଗ କରିବା ଏବଂ ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ଦିଗରେ ଆର୍ଥିକ ପରାମର୍ଶଦାତାମାନେ ବିକାଶର ସହଯୋଗୀ ଓ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଶା ଅର୍ଥ ସେବା(ଓଏଫ୍ ଏସ୍) ଏବଂ ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟ ସେବା-୨୦୨୪ ବ୍ୟାଚ୍ ର ମୋଟ ୪୮ ଜଣ ଶିକ୍ଷାନବୀଶମାନଙ୍କୁ ସମ୍ବୋଧିତ କରି ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହିତ ସଚ୍ଚୋଟତା, ନିଷ୍ଠା, ବୃତ୍ତିଗତ ଦକ୍ଷତା ଓ ଉତ୍ତରଦାୟିତ୍ୱର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟର ଆର୍ଥିକ ଶୃଙ୍ଖଳା, ସ୍ୱଚ୍ଛ ରାଜସ୍ୱ ପରିଚାଳନା ଓ ସୁଦୃଢ଼ ଆର୍ଥିକ ବ୍ୟବସ୍ଥା ଗଠନରେ ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ଆଧୁନିକ ଜ୍ଞାନକୌଶଳ, ଡିଜିଟାଲ୍ ବ୍ୟବସ୍ଥା ଓ ନୂତନ ଆର୍ଥିକ ନୀତି ସହ ନିଜକୁ ଅପଡେଟ୍ ରଖିବା ସହିତ ନିୟମର ସଠିକ୍ ଅନୁପାଳନ, ରାଜସ୍ୱ ସଂଗ୍ରହରେ ଦକ୍ଷତା ଏବଂ ସାଧାରଣ ଲୋକଙ୍କୁ ସମୟୋଚିତ ଓ ସହଜ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ଶିକ୍ଷାନବୀଶ ମାନେ ହାସଲ କରୁଥିବା ଜ୍ଞାନ ଓ ଅଭିଜ୍ଞତାକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରି ‘ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣରେ ଯୋଗଦାନ ଦେବାକୁ ସେ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *