ମଦମୁକ୍ତ ଓଡ଼ିଶା ଗଠନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Lଉଦଳା,୭/୧୧ :ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ଦାବିରେ ମୟୂରଭଞ୍ଜ ଜିଲ୍ଲାର ନବନିର୍ମାଣ କୃଷକ ଓ ମହିଳା ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଏନେଇ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଦାବିପତ୍ରରେ ସଂଗଠନ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ବିଜେପି ସରକାର ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ମଦମୁକ୍ତ କରିବା ନେଇ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସରକାର ଗଠନ ପରେ ମଦ ବନ୍ଦ ଦିଗରେ ଆଶାନୁରୂପ ଠୋସ୍ ପଦକ୍ଷେପ ଦେଖିବାକୁ ମିଳିନାହିଁ। ଏହାକୁ ନେଇ ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।ସଂଗଠନର ଅଭିଯୋଗ ଅନୁଯାୟୀ, ଉଦଳା ବ୍ଲକର କୋଚିଳାଡିହା, ରାଢ଼ୋ ଓ ଖଲାଡ଼ି ପଞ୍ଚାୟତ ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଦ ଓ ଅନ୍ୟାନ୍ୟ ନିଶା ସେବନ ଯୋଗୁଁ ଅନେକ ପରିବାରରେ ଅଶାନ୍ତି ଓ ପାରିବାରିକ କଳହ ସୃଷ୍ଟି ହେଉଛି। ଏପରିକି ଚୋରି, ଆତ୍ମହତ୍ୟା ଭଳି ଗୁରୁତର ସାମାଜିକ ସମସ୍ୟା ସହ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ପ୍ରଭାବିତ ହେଉଥିବା ସଂଗଠନ ଦାବି କରିଛି।ମଦ୍ୟପାନର କୁପ୍ରଭାବ କେବଳ ଜଣେ ବ୍ୟକ୍ତିଙ୍କ ଜୀବନକୁ ନୁହେଁ, ବରଂ ସମଗ୍ର ପରିବାର ଓ ସମାଜର ଶାନ୍ତି ଓ ସୁରକ୍ଷାକୁ ବିପନ୍ନ କରୁଛି। ଏହାକୁ ଦୃଷ୍ଟିରେ ରଖି ସରକାରୀ ଓ ବେସରକାରୀ ମଦ ବ୍ୟବସାୟ ଉପରେ କଠୋର ନିୟନ୍ତ୍ରଣ ସହ ରାଜ୍ୟରେ ସମ୍ପୂର୍ଣ୍ଣ ମଦ ବନ୍ଦ ଲାଗୁ କରିବାକୁ ସଂଗଠନ ଦାବି ଜଣାଇଛି।ଏଥିସହ ଓଡ଼ିଶାର ସାମାଜିକ ମର୍ଯ୍ୟାଦା, ନାରୀ ସୁରକ୍ଷା, ପରିବାରର ଶାନ୍ତି ଓ ଯୁବପିଢ଼ିର ଭବିଷ୍ୟତକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ମଦମୁକ୍ତ ଓ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ତୁରନ୍ତ ନୀତିଗତ ନିଷ୍ପତ୍ତି ନେବାକୁ ନିବେଦନ କରାଯାଇଛି।“ପରିବାର ବଞ୍ଚିଲେ ସମାଜ ବଞ୍ଚିବ, ସମାଜ ବଞ୍ଚିଲେ ଓଡ଼ିଶା ଆଗେଇବ” — ଏହି ଉଦ୍ଦେଶ୍ୟକୁ ନେଇ ସରକାର ମଦ ବନ୍ଦ ଦିଗରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ ବୋଲି ନବନିର୍ମାଣ କୃଷକ ଓ ମହିଳା ସଂଗଠନ, ମୟୂରଭଞ୍ଜ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *