ମହାପ୍ରଭୁଙ୍କୁ ଲାଗି ଗୀତ ଗୋବିନ୍ଦ ଖଣ୍ଡୁଆର ଅପବ୍ୟବହାର ଉପରେ ଲାଗିବ ରୋକ୍
ମହାପ୍ରଭୁଙ୍କୁ ଲାଗି ଗୀତ ଗୋବିନ୍ଦ ଖଣ୍ଡୁଆର ଅପବ୍ୟବହାର ଉପରେ ଲାଗିବ ରୋକ୍। ପ୍ରୟାସ ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ। ଏହାର ଅପବ୍ୟବହାର ରୋକିବା ପାଇଁ ସମସ୍ତଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ। କେବଳ ଏତିକି ନୁହେଁ ଖୁବଶୀଘ୍ର ଛତିଶାନିଯୋଗ ଏବଂ ପରିଚାଳନା କମିଟି ବୈଠକରେ ଏହାର ଅପବ୍ୟବହାର ରୋକିବା ପାଇଁ ଆଲୋଚନା କରାଯିବ ବୋଲି କହିଲେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ଏବେ ଦିନକୁଦିନ ଖଣ୍ଡୁଆ ବ୍ୟବହାର ଏକ ଟ୍ରେଣ୍ଡ ପାଲଟିଥିବା ବେଳେ ଏହାର ମର୍ଯ୍ୟାଦା ସବୁ କ୍ଷେତ୍ରରେ ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି। ଟିକିଏ ଭଲକରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। କିଭଳି ଭାବରେ ମହିଳା ମାନେ ଏକ ଶୋଭାଯାତ୍ରାରେ ଖଣ୍ଡୁଆ ପକାଇ ଆଧୁନିକ ଗୀତର ତାଳେତାଳେ ନୃତ୍ୟ କରୁଥିବା ସହ ଖଣ୍ଡୁଆକୁ ଅଣ୍ଟାରେ ଗୁଡାଉଛନ୍ତି। ଏ ଦୃଶ୍ୟ ଯେତିକି ବ୍ୟଥିତ କରୁଛି ସେତିକି ମହାପ୍ରଭୁଙ୍କ ପ୍ରତି ଓ ଗୀତ ଗୋବିନ୍ଦର ରଚୟିତା ଜୟଦେବଙ୍କ ପ୍ରତି ଦିନକୁଦିନ ଅପମାନ ବଢିବାରେ ଲାଗିଛି।

କେବଳ ଏହି ଦୃଶ୍ୟ ନୁହେଁ ବରଂ ଦିନକୁଦିନ ଖଣ୍ଡୁଆ ପାଟର ବ୍ୟବହାର ଵହୁଳମାତ୍ରାରେ ହେଉଥିବା ବେଳେ ଚନ୍ଦନଲାଗି ପରେ ବଡସିଂହାର ବେଶରେ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପରିଧାନ କରନ୍ତି ବିଶ୍ୱନିୟନ୍ତା। ତେଣୁ ମହାପ୍ରଭୁଙ୍କ ସମେତ ଅନ୍ୟକେହି ଗୀତଗୋବିନ୍ଦ ଖଣ୍ଡୁଆକୁ ପରିଧାନ କରିପାରିବେ ନାହିଁ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଶରତ ମହାନ୍ତି। ବିଭିନ୍ନ ବୈଠକରେ ହେଉ କି ସଭାସମିତିରେ,,ଶ୍ରୀମନ୍ଦିରକୁ ଆସୁଥିବା ନେତା,ମନ୍ତ୍ରୀ, ଅଧିକାରୀ ହୁଅନ୍ତୁ କିମ୍ବା ଅନ୍ୟାନ୍ୟ ଯାନିଯାତ୍ରାରେ,, ଖଣ୍ଡୁଆ ଯେମିତି ଏକ ନିତ୍ଯ ବ୍ୟବହାର ସାମଗ୍ରୀ ରୂପେ ସମସ୍ତେ ବ୍ୟବହାର କରୁଥିବା ନଜିର୍ ରହିଛି। କେବଳ ଶ୍ରୀମନ୍ଦିର ସେବକ ମାନେ ଖଣ୍ଡୁଆକୁ ମୁଣ୍ଡରେ ଏବଂ କାନ୍ଧରେ ପକାଇ ଏହାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖୁଥିବା ଦେଖିବାକୁ ମିଳିଛି। ତେବେ ମହାପ୍ରଭୁଙ୍କ ଖଣ୍ଡୁଆର ଅପଵ୍ୟବହାରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ନଚନ୍ଦ୍ର ଖୁଣ୍ଟିଆ। ମହାପ୍ରଭୁଙ୍କ ଲାଗି ଖଣ୍ଡୁଆର ବିକ୍ରୀ ଏବଂ ବ୍ୟବସାୟୀକରଣ ବନ୍ଦ କରାଗଲେ ଏହାର ଅପବ୍ୟବହାର ବନ୍ଦ ହୋଇପାରିବ ବୋଲି କହିଛନ୍ତି ସେବାୟତ। ସେପଟେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଖଣ୍ଡୁଆର ବ୍ୟବହାର ନେଇ ଏସଓପି ଆଣନ୍ତୁ ବୋଲି କହିଛନ୍ତି ବୁଦ୍ଧିଜୀବୀ। ଖଣ୍ଡୁଆର ଅପବ୍ୟବହାର ରୋକିବାକୁ ହେଲେ ପ୍ରଥମେ ସେବାୟତ ମାନେ ଏହାର ବ୍ୟବହାର ବନ୍ଦ କଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅଙ୍କୁଶ ଲାଗିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସେପଟେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହାର ବ୍ୟବହାରକୁ ନେଇ ଏକ ମାର୍ଗଦର୍ଶିକା ମଧ୍ୟ ପ୍ରସ୍ତୁତ କରିବାର ଆବଶ୍ୟକତା l
