ଯମୁନା ନଦୀରେ ଦିଲ୍ଲୀର ପ୍ରଥମ ବିନୋଦନମୂଳକ କ୍ରୁଜ୍ ସେବାର ଶୁଭାରମ୍ଭ
ଯମୁନା ନଦୀରେ ଦିଲ୍ଲୀର ପ୍ରଥମ ବିନୋଦନମୂଳକ କ୍ରୁଜ୍ ସେବାର ଶୁଭାରମ୍ଭ; କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କଲେ ଉଦ୍ଘାଟନଆଜି ସୋନିଆ ବିହାରଠାରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପସ୍ଥିତିରେ ଯମୁନା ନଦୀରେ ଦିଲ୍ଲୀର ପ୍ରଥମ ବିନୋଦନମୂଳକ ଯମୁନା ରିଭର କ୍ରୁଜ୍ ସେବାର ଉଦ୍ଘାଟନ କରିଛନ୍ତି। ଏହା ସହିତ ଦିଲ୍ଲୀ ନଦୀ-ଭିତ୍ତିକ ପର୍ଯ୍ୟଟନର ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।ସୋନିଆ ବିହାର-ଜଗତପୁର ମଧ୍ୟରେ ବିକଶିତ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯମୁନାର ପର୍ଯ୍ୟଟନ ଓ ବିନୋଦନ କ୍ଷମତାର ବ୍ୟବହାର କରିବା ସହ ଦେଶର ରାଜଧାନୀକୁ ଏକ ନୂଆ ଶୈଳୀରେ ଅନୁଭବ କରିବାର ସୁଯୋଗ ନାଗରିକ ଓ ପର୍ଯ୍ୟଟକମାନଙ୍କୁ ପ୍ରଦାନ କରିବା। ଭାରତର ନଦୀଗୁଡ଼ିକୁ ପର୍ଯ୍ୟଟନ, ଯାତ୍ରୀ ଚଳାଚଳ ଏବଂ ଆର୍ଥିକ ଗତିବିଧିର ଏକ ଜୀବନ୍ତ ମାଧ୍ୟମ ଭାବେ ଗଢ଼ିତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଏହା ଆଉ ଏକ ମାଇଲଖୁଣ୍ଟ।ଏହି ଉଦ୍ଘାଟନୀ ସମାରୋହରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଜ୍ୟମନ୍ତ୍ରୀ ଫାନ୍ତନୁ ଠାକୁର, ସଡ଼କ ପରିବହନ ଏବଂ ରାଜପଥ ରାଜ୍ୟମନ୍ତ୍ରୀ ହର୍ଷ ମାଲହୋତ୍ରା, ପବ୍ଲିକ ୱର୍କସ ଡିପାର୍ଟମେଣ୍ଟ (PWD) ଏବଂ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ପରବେଶ ସାହିବ ସିଂହ, ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ର, ଜଙ୍ଗଲ, ପରିବେଶ ଏବଂ ଶିଳ୍ପ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ଏବଂ ସାଂସଦ ମନୋଜ ତିୱାରୀଙ୍କ ସମେତ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଅନେକ ବରିଷ୍ଠ ଅଧିକାରୀ (ଯେପରିକି ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ସଚିବ ବିଜୟ କୁମାର, ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ରାଜୀବ ବର୍ମା ଏବଂ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ (IWAI)ର ଅଧ୍ୟକ୍ଷ ସୁଶୀଲ କୁମାର ଲୋହାନୀ) ଉପସ୍ଥିତ ଥିଲେ।ଉଦ୍ଘାଟନୀ ଉତ୍ସବରେ ବକ୍ତବ୍ୟ ରଖି ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବିଶାଳ ଅନ୍ତର୍ଦେଶୀୟ ଜଳପଥ ସାମର୍ଥ୍ୟର ଉପଯୋଗ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପ୍ରକଳ୍ପ ପ୍ରତିଫଳିତ କରୁଛି।”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ନଦୀ ଏବଂ ଅନ୍ତର୍ଦେଶୀୟ ଜଳପଥଗୁଡ଼ିକ ଆର୍ଥିକ ବିକାଶ, ପର୍ଯ୍ୟଟନ ଏବଂ ସ୍ଥାୟୀ ସଂଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ଉଭା ହେଉଛନ୍ତି। ଯମୁନା ନଦୀରେ ଦିଲ୍ଲୀର ପ୍ରଥମ ବିନୋଦନମୂଳକ କ୍ରୁଜ୍ ସେବାର ଶୁଭାରମ୍ଭ ଲୋକଙ୍କୁ ଆମର ନଦୀଗୁଡ଼ିକ ସହିତ ପୁନଃଯୋଡ଼ିବା ଏବଂ ସେଗୁଡ଼ିକର ଅପାର ସାମର୍ଥ୍ୟକୁ ବିକଶିତ କରିବା ଦିଗରେ ଆଉ ଏକ ପଦକ୍ଷେପ। ଏହି ଶୁଭାରମ୍ଭ ସହରରେ ନଦୀ ପର୍ଯ୍ୟଟନର ଏକ ନୂଆ ତରଙ୍ଗ ସୃଷ୍ଟି କରୁଛି। ଆମେ ଜଳପଥଗୁଡ଼ିକୁ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଜୀବିକାର ମାଧ୍ୟମରେ ପରିଣତ କରିବା ସହ ସ୍ୱଚ୍ଛ ଏବଂ ଅଧିକ ଦକ୍ଷ ପରିବହନ ପାଇଁ ଆମର ପ୍ରତିବଦ୍ଧତାକୁ ଆଗକୁ ନେଉଛୁ। ଏହା ‘ବିକଶିତ ଭାରତ’ ଗଠନର ଆମ ସ୍ୱପ୍ନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ,” ବୋଲି ସର୍ବାନନ୍ଦ ସୋନୋୱାଲ କହିଛନ୍ତି।ଏହି ପ୍ରକଳ୍ପରେ ୩୦ ଆସନ ବିଶିଷ୍ଟ ଏକ ବୈଦ୍ୟୁତିକ କ୍ରୁଜ୍ ଜାହାଜ ବ୍ୟବହୃତ ହୋଇଛି, ଯାହା ପର୍ଯ୍ୟଟକମାନଙ୍କୁ ନଦୀର ପ୍ରାୟ ୬ କିଲୋମିଟର ରାଉଣ୍ଡ-ଟ୍ରିପ୍ ଯାତ୍ରାରେ ମନୋରମ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ଦେବ। ଇଲେକ୍ଟ୍ରିକ୍-ଚାଳିତ ଜାହାଜର ବ୍ୟବହାର ସ୍ୱଚ୍ଛ ଏବଂ ସ୍ଥାୟୀ ପରିବହନ ପାଇଁ ଅନ୍ତର୍ଦେଶୀୟ ଜଳପଥର ସାମର୍ଥ୍ୟକୁ ଦର୍ଶାଉଛି।ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଏହି ପଦକ୍ଷେପ ଦିଲ୍ଲୀର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଆୟାମ ଯୋଡ଼ିବ ଏବଂ ଯମୁନା ସହିତ ଜନସାଧାରଣଙ୍କ ଯୋଗାଯୋଗକୁ ମଜବୁତ କରିବ।”ଯମୁନା ଦିଲ୍ଲୀର ଇତିହାସ, ସଂସ୍କୃତି ଏବଂ ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହି ବିନୋଦନମୂଳକ କ୍ରୁଜ୍ ସେବା ନାଗରିକ ଏବଂ ପର୍ଯ୍ୟଟକମାନଙ୍କୁ ନଦୀକୁ ଏକ ନୂଆ ସ୍ୱରୂପରେ ଅନୁଭବ କରିବାର ସୁଯୋଗ ଦେବା ସହ ପର୍ଯ୍ୟଟନ ଏବଂ ସ୍ଥାନୀୟ ଆର୍ଥିକ ଗତିବିଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତିଶୀଳ ନେତୃତ୍ୱରେ ଆମେ ଦିଲ୍ଲୀର ନଦୀକୂଳକୁ (ରିଭରଫ୍ରଣ୍ଟ) ଉନ୍ନତ ସୁବିଧା ସୁଯୋଗ, ସ୍ଥାୟୀ ଭିତ୍ତିଭୂମି ଏବଂ ସହରର ଐତିହ୍ୟକୁ ପ୍ରତିଫଳିତ କରୁଥିବା ଅନୁଭୂତି ସହିତ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବରେ ବିକଶିତ କରିବାକୁ ପ୍ରତିବଦ୍ଧ,” ବୋଲି ରେଖା ଗୁପ୍ତା କହିଛନ୍ତି।ଏକ ବ୍ୟାପକ ପରିବେଶ-ପର୍ଯ୍ୟଟନ (ଇକୋ-ଟୁରିଜିମ୍) ସ୍ଥଳ ଭାବରେ ପରିକଳ୍ପିତ ଏହି ଯମୁନା ପ୍ରକଳ୍ପରେ ବିଭିନ୍ନ ବିନୋଦନମୂଳକ ଆକର୍ଷଣ ଏବଂ ପର୍ଯ୍ୟଟକ ସୁବିଧା ଶାମିଲ ରହିଛି। ଏହାର ଏକ ମୁଖ୍ୟ ଆକର୍ଷଣ ହେଉଛି ଏକ ମ୍ୟୁଜିକାଲ୍ ଫାଉଣ୍ଟେନ୍ (ସଙ୍ଗୀତମୟ ଝରଣା), ଯେଉଁଥିରେ ଯମୁନାର ଇତିହାସ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱକୁ ଦର୍ଶାଉଥିବା ସମନ୍ୱିତ ଆଲୋକ ଓ ଶବ୍ଦ ଶୋ’ (ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’) ରହିଛି। ଏଥିରେ ସୂର୍ଯ୍ୟ ଦେବ, ଯମ ଏବଂ ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳା, ବିଶେଷ କରି କାଳୀୟ ଦମନ କାହାଣୀ ପ୍ରଦର୍ଶିତ ହେବ।ଏହି ସ୍ଥାନରେ ଫୁଡ୍ କୋର୍ଟ, ସପିଂ ଏରିଆ, ଶିଶୁମାନଙ୍କ କ୍ରୀଡ଼ା ଅଞ୍ଚଳ ଏବଂ ସ୍କେଟିଂ ଓ ରକ୍ କ୍ଲାଇମ୍ବିଂ (ପାହାଡ଼ ଚଢ଼ିବା) ଭଳି ଆଡଭେଞ୍ଚର ସ୍ପୋର୍ଟସ ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ। ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଆଧୁନିକ ଫ୍ଲୋଟିଂ ଜେଟି, ସ୍ୱତନ୍ତ୍ର ଟିକେଟ୍ କାଉଣ୍ଟର ଓ ଅନଲାଇନ୍ ବୁକିଂ ସୁବିଧା, ଶୌଚାଳୟ, ପ୍ରତୀକ୍ଷାଳୟ ଏବଂ ଆଲୋକିତ ପ୍ରବେଶ ପଥ ନିର୍ମାଣ କରାଯାଇଛି।ଜାତୀୟ ଜଳପଥ ଆଇନ, ୨୦୧୬ ଅଧୀନରେ ଯମୁନାକୁ ଜାତୀୟ ଜଳପଥ-୧୧୦ ଭାବେ ନାମିତ କରାଯାଇଛି। କ୍ରୁଜ୍ ସେବାର ଶୁଭାରମ୍ଭ ରାଜଧାନୀରେ ବିନୋଦନମୂଳକ ନୌଚାଳନା ଏବଂ ନଦୀ-ଭିତ୍ତିକ ପର୍ଯ୍ୟଟନର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ଏହି ପଦକ୍ଷେପ ଭାରତର ଅନ୍ତର୍ଦେଶୀୟ ଜଳପଥର ବ୍ୟାପକ ଜାତୀୟ ରୂପାନ୍ତରର ଏକ ଅଂଶ। ଜାତୀୟ ଜଳପଥଗୁଡ଼ିକରେ ମାଲ ପରିବହନ ୨୦୧୩-୧୪ରେ ୧୮ ମିଲିୟନ୍ ମେଟ୍ରିକ୍ ଟନ୍ ଥିବାବେଳେ ୨୦୨୫-୨୬ରେ ଏହା ୨୧୮ ମିଲିୟନ୍ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି, ଯାହା ଦେଶର ଲଜିଷ୍ଟିକ୍ସ ନେଟୱାର୍କରେ ଜଳପଥର ବୃଦ୍ଧିପାଉଥିବା ଭୂମିକାକୁ ଦର୍ଶାଉଛି। ରେଳପଥରେ ଟନ୍-କିଲୋମିଟର ପିଛା ମାଲ ପରିବହନ ଖର୍ଚ୍ଚ ₹୧.୪୧ ଏବଂ ସଡ଼କ ପଥରେ ₹୨.୨୮ ହୋଇଥିବା ବେଳେ ଜଳପଥରେ ଏହା ମାତ୍ର ₹୧.୦୬ ଅଟେ। ତେଣୁ ଅନ୍ତର୍ଦେଶୀୟ ନୌଚାଳନା ମାଲ ପରିବହନ ପାଇଁ ଏକ ସଶସ୍ତା ବିକଳ୍ପ ସାବ୍ୟସ୍ତ ହେଉଛି।ନଦୀ କ୍ରୁଜ୍ ପର୍ଯ୍ୟଟନ ଏହି ପ୍ରସାରର ଅନ୍ୟ ଏକ ଉଦୀୟମାନ ଆୟାମ। ରାତ୍ରିଯାପନ ସୁବିଧା ଥିବା ନଦୀ କ୍ରୁଜ୍ ଜାହାଜ ସଂଖ୍ୟା ୨୦୧୩-୧୪ରେ ୫ଟି ଥିବା ବେଳେ ୨୦୨୫-୨୬ରେ ଏହା ୨୬କୁ ବୃଦ୍ଧି ପାଇଛି। ଏମ୍ଭି ଗଙ୍ଗା ବିଲାସର ଐତିହାସିକ ଯାତ୍ରା ବିଶ୍ୱର ସବୁଠାରୁ ଦୀର୍ଘତମ ନଦୀ କ୍ରୁଜ୍ ଭାବରେ ଲିମ୍କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। ଭାରତ ଏବଂ ବାଂଲାଦେଶରେ ୩,୨୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରି ଏହି ଯାତ୍ରା ୫୦ଟି ପର୍ଯ୍ୟଟନ ସ୍ଥଳ, ୨ଟି ଦେଶ, ୫ଟି ରାଜ୍ୟ ଏବଂ ୨୭ଟି ନଦୀ ବ୍ୟବସ୍ଥାକୁ ଯୋଡ଼ିଥିଲା।ଏହି ବିନୋଦନମୂଳକ ଯମୁନା ରିଭର କ୍ରୁଜ୍ ସେବା କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ (IWAI) ଦ୍ୱାରା ଦିଲ୍ଲୀ ବିକାଶ ପ୍ରାଧିକରଣ (DDA), ଦିଲ୍ଲୀ ପର୍ଯ୍ୟଟନ ଓ ପରିବହନ ବିକାଶ ନିଗମ (DTTDC), ଦିଲ୍ଲୀ ଜଳ ବୋର୍ଡ ଏବଂ ଦିଲ୍ଲୀ ସରକାରଙ୍କ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବିଭାଗର ସହଯୋଗରେ ବିକଶିତ କରାଯାଇଛି।
