ସମ୍ଭାବ୍ୟ ବାତ୍ୟା ‘ଆକୱାନ’ ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି।

ସମ୍ଭାବ୍ୟ ବାତ୍ୟା ‘ଆକୱାନ’ ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି।

୧୯ ରୁ ୨୧ ତାରିଖ ପାଇଁ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା।

ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ।

ପୁରୀ :୧୮/୧୧- ସମ୍ଭାବ୍ୟ ବାତ୍ୟା ‘ଆକୱାନ’ ର ସଫଳ ମୁକାବିଲା ପାଇଁ ଆଜି ଜିଲ୍ଲା ଓସୱ୍ବାନ ହଲରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ, ପିଏମସି କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା , ଅତରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳ ମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ ବିଜୟାନନ୍ଦ ସେଠି, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ସମସ୍ତ ଓସୱ୍ବାନ ହଲରେ ବିଡ଼ିଓ, ତହସିଲଦାର ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବାତ୍ୟା ପରିଚାଳନା ନେଇ ବିସ୍ତୃତ ଆଲୋଚନା କରିଥିଲେ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିପଦ ସଂକୂଳ ଅଞ୍ଚଳ,ଖାଲୁଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ଯୋଜନା ଚୂଡ଼ାନ୍ତ କରାଯାଇଛି। ଦୂର୍ଗମ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ପ୍ଲାନ୍ ପ୍ରସ୍ତୁତ ହୋଇଛି। ସମସ୍ତ ଆଶ୍ରୟସ୍ଥଳୀ ଓ ବିକଳ୍ପ ଆଶ୍ରୟସ୍ଥଳୀ ଗୁଡ଼ିକର ଯାଞ୍ଚ କରାଯାଇ ସେଠାରେ ଆଲୋକ, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସ୍ୱେଚ୍ଛାସେବୀ, ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଏହି କାର୍ଯ୍ୟରେ ସାମିଲ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟା ଓ ଅତ୍ୟଧିକ ବର୍ଷା ଆଶଙ୍କା ଯୋଗୁଁ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ବ୍ଯବସ୍ଥା ବନ୍ଦ ରହିବ ଓ ନିକଟସ୍ଥ ଶରଧାବାଲିରେ ମଧ୍ଯ ପ୍ରବେଶ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଜନସାଧାରଣ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ପୁରୀ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଆଗାମୀ ନଭେମ୍ବର ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହାଛଡ଼ା ଜିଲ୍ଲାର ସମସ୍ତ ବେଳାଭୂମି ସର୍ବସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ। ହୋଟେଲ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ପର୍ଯ୍ୟଟକମାନଙ୍କୁ ହୋଟେଲ ଛାଡ଼ିବାକୁ ପରାମର୍ଶ ଦେବେ ଏବଂ ବାତ୍ୟା ସମୟରେ ନୂତନ ପର୍ଯ୍ୟଟକମାନେ ଯେପରି ପୁରୀକୁ ନ ଆସନ୍ତି, ସେନେଇ ସତର୍କ କରାଇବେ। ସୁରକ୍ଷା ଦୃଷ୍ଟିରୁ ୧୯ ଓ ୨୦ ନଭେମ୍ବର ପାଇଁ ଚିଲିକା ରେ ସମସ୍ତ ନୌକା ଓ ଫେରୀ ସେବା ସ୍ଥଗିତ ରଖାଯାଇଛି। ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କୁ ଫେରେଇ ଅଣାଯାଇଛି।

ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ପାଇଁ ସାପକାମୁଡ଼ା ପ୍ରତିରୋଧକ ଔଷଧ ପ୍ରସ୍ତୁତ ରଖାଯିବା ସହ ଆସନ୍ନ ପ୍ରସବା ମହିଳାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ଯତ୍ନ ନିଆଯିବ।ଏହା ବ୍ୟତୀତ ପ୍ରାଣୀସମ୍ପଦ, କୃଷି ଓ ଉଦ୍ୟାନ କୃଷି ପାଇଁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୩ଟି ଓଡ୍ରାଫ ଟିମ୍ ଓ ୨ ଟି ଏନଡିଆରଏଫ ଟିମ୍ ପୁରୀ ଜିଲ୍ଲା ପାଇଁ ମୁତୟନ କରାଯାଇଛି।

ବାତ୍ୟା ପରବର୍ତ୍ତୀ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ କୁହାଯାଇଛି। ରାସ୍ତା ଉପରେ ଗଛ ପଡ଼ିଲେ କିମ୍ବା ଅନ୍ୟାନ୍ୟ ବାଧା ଉପୁଜିଲେ ତୁରନ୍ତ ତାହାକୁ ହଟାଇବା ପାଇଁ ବିଡ଼ିଓ ମାନଙ୍କୁ ଜେସିବି ଓ ଟ୍ରାକ୍ଟର ଆଦି ର ତଥ୍ୟ ସଂଗ୍ରହ କରି ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଜିଲ୍ଲା ଓ ବ୍ଲକ ସ୍ତରରେ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯାଇଛି, ଯାହାକି ୨୪ ଘଣ୍ଟା କାମ କରିବ। ଦୈନନ୍ଦିନ ସ୍ଥିତି ରିପୋର୍ଟ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ଏବଂ ଜନସାଧାରଣ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *