ରାତି ପାହିଲେ ପଞ୍ଚୁକ ବ୍ରତ ଆରମ୍ଭ

ରାତି ପାହିଲେ ପଞ୍ଚୁକ ବ୍ରତ ଆରମ୍ଭ। ତେବେ ଚଳିତବର୍ଷ ପଞ୍ଚୁକ ପାଞ୍ଚଦିନ ବଦଳରେ ତିଥି କ୍ଷୟ ଯୋଗୁଁ ଚାରିଦିନ ପଡୁଛି। ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳି ମା ମାନଙ୍କ ଭିଡ ପରିଲକ୍ଷିତ ହେବ। ଭକ୍ତ,ଶ୍ରଦ୍ଧାଳୁ ଓ ହବିଷ୍ୟାଳି ମା ମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ସହ ଶ୍ରୀମନ୍ଦିର ଭିତରେ,, ବାହାରେ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସମୁଦାୟ ୩0 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ। ଆଜି ପୁରୀ ଟାଉନଥାନା ପରିସରରେ କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ପ୍ରତୀକ୍ ସିଂ ବରିଷ୍ଠ ଅଧିକାରୀ ମାନଙ୍କୁ ପଞ୍ଚୁକ ସମୟରେ କିଭଳି ଭିଡ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ସୁପରିଚାଳନା କରାଯାଇପାରିବ ସେନେଇ ବ୍ରିଫିଂ କରିଛନ୍ତି। ମାର୍କେଟଛକ ଠାରୁ ଶ୍ରଦ୍ଧାଳୁ ମାନେ ୮ ଥାକିଆ ବ୍ୟାରିକେଡ୍ ମାଧ୍ୟମରେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବେ। ଏହାଛଡା ବେଳାଭୂମିରେ ଭକ୍ତଙ୍କ ସୁରକ୍ଷିତ ସ୍ନାନ ଓ ସୁରକ୍ଷା ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ଦିନ ହବିଷ୍ୟାଳିଙ୍କ ଡଙ୍ଗା ଭସା ପର୍ବ ଥିବାରୁ ସେଠାରେ ମଧ୍ୟ ଲାଇଫଗାର୍ଡ,ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସମତେ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ କହିଛନ୍ତି। ତେବେ ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନକୁ ନିର୍ଦ୍ଧିଷ୍ଟ ପାର୍କିଂରେ ରଖାଯିବ ବୋଲି ଆଇଜି କହିଛନ୍ତି। ତେବେ ପଞ୍ଚୁକ ସମୟରେ ପୁରୀକୁ ପ୍ରବଳ ଭକ୍ତ, ଶ୍ରଦ୍ଧାଳୁ, ପର୍ଯ୍ୟଟକ,ତୀର୍ଥଯାତ୍ରୀଙ୍କ ସମାଗମ ହେବାକୁ ଥିବାରୁ ସେମାନଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଉପରେ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇଥିବା ବେଳେ ସିସିଟିଭି ବଳୟ ମଧ୍ୟରେ ଶ୍ରୀକ୍ଷେତ୍ର ରହିବ।

Leave a Reply

Your email address will not be published. Required fields are marked *