ଇଫି ମଞ୍ଚରେ ଭାରତୀୟ ସିନେମାର ବିବିଧ ଐତିହ୍ୟକୁ ନେଇ ଦୁଇଟି ପୁସ୍ତକ ଉନ୍ମୋଚନ
ଇଫି ମଞ୍ଚରେ ଭାରତୀୟ ସିନେମାର ବିବିଧ ଐତିହ୍ୟକୁ ନେଇ ଦୁଇଟି ପୁସ୍ତକ ଉନ୍ମୋଚନ
ଗୋଆ, ନଭେମ୍ବର ୨୧
ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପ୍ରକାଶନ ବିଭାଗ ପକ୍ଷରୁ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି) ୨୦୨୬ରେ ଦୁଇଟି ପୁସ୍ତକ ଉନ୍ମୋଚନ କରାଯାଇଛି । ଏହି ପୁସ୍ତକ ଦୁଇଟିରେ ଭାରତର ଚଳଚ୍ଚିତ୍ର ଐତିହ୍ୟର ବିଭିନ୍ନ ଦିଗ ବର୍ଣ୍ଣିତ ହୋଇଛି। ଆଜି ଉନ୍ମୋଚନ ହୋଇଥିବା ପୁସ୍ତକ ଦୁଇଟି ହେଲା – ରାଜେନ୍ଦ୍ର ଭଟ୍ଟଙ୍କ ରଚିତ ‘ସିନେମା: ବିବିଧ ଆୟାମ୍’ ଏବଂ ବିନୋଦ କୌଲଙ୍କ ରଚିତ ‘ଅବତାର କୌଲ: ଦ (ଇନ) କମ୍ପ୍ଲିଟ୍ ଷ୍ଟୋରୀ’। ପ୍ରଥମ ପୁସ୍ତକରେ ଚଳଚ୍ଚିତ୍ର ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ଲେଖା ଏବଂ ଚଳଚ୍ଚିତ୍ରର ବିଭିନ୍ନ ଦୃଷ୍ଟିକୋଣ ସ୍ଥାନିତ ହୋଇଛି । ଦ୍ୱିତୀୟ ପୁସ୍ତକରେ ଚଳଚ୍ଚିତ୍ର ନିର୍ମାତା ଅବତାର କୌଲଙ୍କ ଜୀବନୀ ଏବଂ ଅସମ୍ପୂର୍ଣ୍ଣ ସୃଜନଶୀଳ ଐତିହ୍ୟକୁ ଉଜାଗର କରାଯାଇଛି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଚଳଚ୍ଚିତ୍ର ପଛରେ ଥିବା ସୃଜନଶୀଳ ଯାତ୍ରାକୁ ଲିପିବଦ୍ଧ କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଭାରତର ସମୃଦ୍ଧ ସିନେମା ଐତିହ୍ୟକୁ ସଂରକ୍ଷଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ସିନେମା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ସମାଜ, ବିଭିନ୍ନ ପିଢ଼ିର ଚିନ୍ତାଧାରା ଏବଂ ପରିବର୍ତ୍ତିତ ଚିନ୍ତାଧାରାର ପ୍ରତିଫଳନ। ଏହି ପୁସ୍ତକର ଲେଖକ ଏବଂ ପ୍ରକାଶନ ଡିଭିଜନ ସହ ଜଡ଼ିତ ସମସ୍ତଙ୍କୁ ସଚିବ ଅଭିନନ୍ଦନ ଜଣାଇଥିଲେ । ଏହି ଦୁଇଟି ପୁସ୍ତକ ଛାତ୍ରଛାତ୍ରୀ, ଚଳଚ୍ଚିତ୍ର ନିର୍ମାତା ଏବଂ ସିନେମାପ୍ରେମୀଙ୍କୁ ଭାରତର ଚଳଚ୍ଚିତ୍ର ଐତିହ୍ୟକୁ ଅଧିକ ଗଭୀର ଅନ୍ୱେଷଣ କରିବାରେ ସହାୟକ ହେବ ବୋଲି ସଚିବ କହିଥିଲେ ।
ପ୍ରକାଶନ ବିଭାଗର ମହାନିର୍ଦ୍ଦେଶକ କଞ୍ଚନ ପ୍ରସାଦ, ସିନେମା ସହିତ ଏହି ବିଭାଗର ଦୀର୍ଘଦିନର ସମ୍ପର୍କ ଏବଂ ଭାରତର ସାଂସ୍କୃତିକ ତଥା ସୃଜନଶୀଳ ଐତିହ୍ୟକୁ ଲିପିବଦ୍ଧ କରିବାରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ସିନେମା ସମୟର ମୁହୂର୍ତ୍ତଗୁଡ଼ିକୁ କଏଦ କରିଥାଏ, ପୁସ୍ତକଗୁଡ଼ିକ ଏହି ମୁହୂର୍ତ୍ତଗୁଡ଼ିକୁ ସଂରକ୍ଷିତ କରେ।
ରାଜେନ୍ଦ୍ର ଭଟ୍ଟ “ସିନେମା: ବିବିଧ ଆୟାମ”ର ସମ୍ପାଦକୀୟ ଯାତ୍ରା ବିଷୟରେ ବିସ୍ତୃତ ଭାବରେ କହିଥିଲେ। ସେ କହିଥିଲେ, ପ୍ରକାଶନ ବିଭାଗ କିପରି ହିନ୍ଦୀ ପାଠକମାନଙ୍କ ପାଇଁ ସିନେମା ଉପରେ ଗୁରୁତ୍ୱପୂର୍ଣ୍ଣ ଲେଖା ଆଣିବା ପାଇଁ ପଦକ୍ଷେପ ନେଇଥିଲା ।
ଅଧିବେଶନକୁ ପତ୍ର ସୂଚନା କାର୍ଯ୍ୟାଳୟର ମହାନିର୍ଦ୍ଦେଶକ ସ୍ମିତା ବତ୍ସ ଶର୍ମା ପରିଚାଳନା କରିଥିଲେ। ଏହି ଅବସରରେ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ପ୍ରଭାତ ଏବଂ ଯୁଗ୍ମ ସଚିବ ଡକ୍ଟର କେ.କେ. ନିରାଲା ମଧ୍ୟ ଉପସ୍ଥିତ ଥିଲେ।
