ପବିତ୍ର ପଞ୍ଚୁକ ରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରି ଭାବବିହ୍ୱଳ ହେଲେ ଭକ୍ତ ଶ୍ରଦ୍ଧାଳୁ
ସେବେ ରାଧାଦାମୋଦର ବେଶ ଦର୍ଶନ,, କିନ୍ତୁ ଆଜି ଲକ୍ଷ୍ମୀନାରାୟଣ ବେଶ ଦର୍ଶନ। ଆଖି ଲାଖିଗଲା,,,ମନ ପୁରିଗଲା। ପବିତ୍ର ପଞ୍ଚୁକ ବ୍ରତର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରି ଭାବବିହୋଳ ଭକ୍ତ ଶ୍ରଦ୍ଧାଳୁ।ଆଜି ପବିତ୍ର ପଞ୍ଚୁକ ବ୍ରତର ପ୍ରଥମ ଦିନ। ଆଉ ଏହି ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଛନ୍ତି କାଳିଆ ସାଆନ୍ତ। ମହାପ୍ରଭୁଙ୍କ ସିଂହଦ୍ଵାର ଫିଟିବା ପରେ ମଙ୍ଗଳଆଳତୀ,,ମଇଲମ,,ତଡପଲାଗି,, ଅବକାଶ ନୀତି ଶେଷ ହେବାପରେ ଆରମ୍ଭ ହୋଇଥିଲା ସେହି ଦିବ୍ୟ ଦୁର୍ଲଭ ଲକ୍ଷ୍ମୀନାରାୟଣ ବେଶ। ଲକ୍ଷାଧିକ ଭକ୍ତଙ୍କ ସମେତ ହବିଷ୍ୟାଳି ମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ୍ ରେ ଧାଡିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିଛନ୍ତି। ସେଵାୟତ ମାନଙ୍କ ସହ ସମନ୍ୱୟ ରକ୍ଷାକରି ଶ୍ରୀମନ୍ଦିର ପ୍ରଶାସନ ନୀତିକୁ ଶୃଙ୍ଖଳିତ କରିଥିବାରୁ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ସମ୍ପାଦିତ ହୋଇଛି। ସେପଟେ ଆଜି ଶ୍ରୀମନ୍ଦିରରେ ଦୁଇଦୁଇଟି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଭକ୍ତମାନେ ଦର୍ଶନ କରିଥିବା ବେଳେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ହରିଉତ୍ଥାପନ ନୀତି ଅନୁଷ୍ଠିତ ହେବ। ଆଷାଢ ଶୁକ୍ଳ ଏକାଦଶୀରେ ହରି ଶୟନ କରିଥିବା ବେଳେ ଚାରିମାସ ପରେ ଆଜି ରାତିରେ ହରି ଉତ୍ଥାପନ ନୀତି ଅନୁଷ୍ଠିତ ହେବ।

ଶାସ୍ତ୍ରମତ ଅନୁସାରେ ଆଜିଠାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହେବ। ସେପଟେ ଜୟ ଜଗନ୍ନାଥ,, ହୁଳୁହୁଳି,,ହରବୋଲ ଧ୍ୱନିରେ ପ୍ରକମ୍ପିତ ଆଜି ଗଗନ ପବନ। ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଚାଲିଥିଲା ଜଗା ଦର୍ଶନ। ପ୍ରଶାସନ ନିଷ୍ପତ୍ତି ମୁତାବକ ମାର୍କେକ ଛକଠାରୁ ବ୍ୟାରିକେଡ୍ ରେ ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ ପରେ ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିଛନ୍ତି। ପଞ୍ଚୁକ ପ୍ରଥମ ଦିନରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଳି ସତ୍ତ୍ୱେ ମଧ୍ୟ ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ। କେବଳ ପଞ୍ଚୁକ ବ୍ରତଧାରୀ ନୁହେଁ ବରଂ ଲକ୍ଷଲକ୍ଷ ଭକ୍ତ ମାର୍କେଟଛକ ଠାରୁ ବ୍ୟାରିକେଡ୍ ରେ ଯାଇ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶକୁ ଦର୍ଶନ କରି ଭାବବିହୋଳ ହୋଇଛନ୍ତି। ସେପଟେ ଆଜି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ,, ପୁରୀ ଏସପି ପ୍ରତୀକ୍ ସିଂ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିବା ବେଳେ ପଞ୍ଚୁକ ସମୟରେ ସମୁଦାୟ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ଅର୍ଥାତ ପଞ୍ଚୁକର ଶେଷଦିନ ବେଳାଭୂମିରେ ଡଙ୍ଗା ଭସା ପର୍ବ ଉପରେ ପୋଲିସ ଗୁରୁତ୍ୱ ଦେଇଥିବା କହିଛନ୍ତି ଏସପି ପ୍ରତୀକ୍ ସିଂ। ତେବେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ସୁନ୍ଦର ଓ ସହଜ ବ୍ଯବସ୍ଥାକୁ ବୟସର ଅପରାହ୍ନରେ ପହଞ୍ଚିଥିବା ମା ମାନଙ୍କ ସମେତ ହବିଷ୍ୟାଳି ଓ ଭକ୍ତ ଶ୍ରଦ୍ଧାଳୁ ସ୍ୱାଗତ କରିଛନ୍ତି। ପଞ୍ଚୁକର ପ୍ରଥମ ଦିନରେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ହବିଷ୍ୟାଳି ବ୍ରତଧାରୀ ମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିଥିବା ବେଳେ ଆସନ୍ତାକାଲି ଦ୍ୱାଦଶୀ କ୍ଷୟ ଯୋଗୁଁ ବାଙ୍କଚୂଡ ବେଶ ପରିବର୍ତ୍ତେ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ।
