ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୬-୨୭ ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ କରାଯିବା ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
- ଖରିଫ୍ ଧାନ କ୍ରୟ ସମୟ ୨୦୨୬ ନଭେମ୍ବର ୧ ରୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ରହିଛି
- ଉଭୟ ଖରିଫ ଓ ରବି ମାର୍କେଟିଂ ଋତୁ ପାଇଁ ମୋଟ ୯୮ ଲକ୍ଷ ମେଟ୍ରିକ୍ ଟନ ଧାନ କ୍ରୟ ଲକ୍ଷ୍ୟ
- ବିଭିନ୍ନ ଜିଲ୍ଲାରେ ଧାନ କ୍ରୟ ଆରମ୍ଭର ସମୟ ନିର୍ଦ୍ଧାରଣ ସଂପର୍କରେ ଜିଲ୍ଲା ସ୍ତରୀୟ କମିଟିରେ ନିଷ୍ପତ୍ତି ଗ୍ରହଣ କରିବାକୁ ପରାମର୍ଶ
ଭୁବନେଶ୍ୱର ତା-୨୧.୧୧.୨୦୨୬
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଖରିଫ୍ ମାର୍କେଟିଂ ଋତୁ ୨୦୨୬-୨୭ ପାଇଁ ଧାନ ସଂଗ୍ରହ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କ ସମନ୍ୱୟରେ ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ କରାଯିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ବାତ୍ୟା ଓ ବନ୍ୟା ଜନିତ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ସତ୍ତ୍ୱେ ଧାନ ସଂଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହୋଇଥିବାରୁ ଏହାର କ୍ରୟ ଆରମ୍ଭ ସଂପର୍କରେ ଜିଲ୍ଲା ସ୍ତରୀୟ କମିଟିରେ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ବୈଠକରେ ରାଜ୍ୟ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭିନ୍ନ ବିଭାଗର ସଚିବଙ୍କ ସମେତ ଭାରତୀୟ ଖାଦ୍ୟ ନିଗମର ପରିଚାଳକ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ ।
ବୈଠକରୁ ଜଣାଯାଇଛି ଯେ, ଗତ ୨୦୨୫-୨୬ ଖରିଫ୍ ମାର୍କେଟିଂ ଋତୁରେ ୭୭ ଲକ୍ଷ ୪୮ ହଜାର ମେଟ୍ରିକ୍ ଟନ୍ ଖରିଫ ଧାନ ଏବଂ ରବିରେ ୨୦ ଲକ୍ଷ ୪୬ ହଜାର ମେଟ୍ରିକ୍ ଟନ୍ ଧାନ ସଂଗୃହିତ ହୋଇଥିଲା ଏବଂ ସେହି ଅନୁପାତରେ ଚାଉଳ ପରିମାଣ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ୨୦୨୬-୨୭ ବର୍ଷ ପାଇଁ ଉଭୟ ଖରିଫ ଓ ରବି ପାଇଁ ମୋଟ ୯୮ ଲକ୍ଷ ମେଟ୍ରିକ୍ ଟନ ଧାନ କ୍ରୟ ଲକ୍ଷ୍ୟ ରଖାଯାଇଛି । ତନ୍ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ଖରିଫ ପାଇଁ ୭୮ ଲକ୍ଷ ମେଟ୍ରିକ୍ ଟନ ସଂଗ୍ରହ ଧାର୍ଯ୍ୟ ରହିଛି । ଖରିଫ୍ ମାର୍କେଟିଂ ଋତୁ ପାଇଁ ଖାଦ୍ୟ ଓ କ୍ରୟ ନୀତି ୨୦୨୬-୨୭ କୁ ରାଜ୍ୟ ସରକାର ଅନୁମୋଦନ କରିସାରିଛନ୍ତି ।
ଖରିଫ୍ ଧାନ କ୍ରୟ ସମୟ ୨୦୨୬ ନଭେମ୍ବର ୧ ରୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ରହିଛି । ଚଳିତ ବର୍ଷ ୨୨.୨୭ ଲକ୍ଷ ଚାଷୀ ସେମାନଙ୍କର ଧାନ ବିକ୍ରୟ ପାଇଁ ନାମ ପଞ୍ଜୀକରଣ କରିଛନ୍ତି । ଗତ ଧାନକ୍ରୟ ଋତୁରେ ଏହି ସଂଖ୍ୟା ୧୯.୬୭ ଥିଲା । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚାଷୀ ପଂଜୀକରଣ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇଛି । ଧାନ କ୍ରୟ ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ଅର୍ଥ ସିଧାସଳଖ ପ୍ରଦାନ ବ୍ୟବସ୍ଥା ରହିଛି । କ୍ଷୁଦ୍ର, ନାମମାତ୍ର ଚାଷୀ, ପ୍ରକୃତ ଜମି ଚାଷ କରୁଥିବା ଚାଷୀ, ଭାଗଚାଷୀମାନଙ୍କ ଠାରୁ ଧାନ କ୍ରୟ ପାଇଁ ବିଶେଷଗୁରୁତ୍ୱ ରହିବ ।
ରାଜ୍ୟ ସରକାରଙ୍କ ସଂସ୍ଥା ସହିତ ୨୦୨୪-୨୫ ଖରିଫ୍ ମାର୍କେଟିଂ ଋତୁ ର ବକେୟା ନଥିବା କଷ୍ଟମ ମିଲ ଚାଉଳ ଡେଲିଭରି ସମ୍ପର୍କିତ ଏଜେନ୍ସିମାନେ ୨୦୨୬-୨୭ ରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଧାନ ଚାଷ ହୋଇଥିବା ସଂପର୍କିତ ଶତ ପ୍ରତିଶତ ସାଟେଲାଇଟ୍ ଯାଂଚ ସମସ୍ତ ଜିଲ୍ଲାରେ କରାଯାଇଛି । ଆଧାରଭିତ୍ତିକ ପ୍ରମାଣ ଜରିଆରେ ଚାଷୀମାନଙ୍କର ଧାନ ସଂଗ୍ରହ ନେଇ ପ୍ରମାଣିତ(ଅଥେଣ୍ଟିକେସନ) କରାଯିବ । ଚାଷୀ ପଞ୍ଜୀକରଣ ପାଇଁ ଇ-କେଓ୍ୱାଇସି ବାଧ୍ୟତାମୂଳକ ରହିଛି । ଧାନ ଓ ଚାଉଳର ମାନ ଭାରତ ସରକାରଙ୍କ ନିର୍ଦ୍ଧାରିତ ଗୁଣାତ୍ମକ ମାନ ହିସାବରେ ରହିବା ଆବଶ୍ୟକ । ସାଧାରଣ ପ୍ରକାର ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ଇନପୁଟ ସହାୟତା ମିଶାଇ ୩୧୦୦ ଟଙ୍କା ରହିଛି । ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ୍ ଧାନ ସଂଗ୍ରହ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ନିର୍ଦ୍ଦିଷ୍ଟ କେଉଁ ତାରିଖରୁ ଆରମ୍ଭ ହେବ, ତାହା ଅମଳ ସ୍ଥିତିକୁ ଦେଖି ଜିଲ୍ଲାସ୍ତରୀର ଧାନ ସଂଗ୍ରହ କମିଟିରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଏ ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରି ପରାମର୍ଶ ଦିଆଯାଇଥିଲା । ଧାନ ସଂଗ୍ରହ ପ୍ରକ୍ରିୟାର ସମସ୍ତ ବ୍ୟବସ୍ଥା ସଂପର୍କରେ ବୁଝିବା ସହ ଚାଷୀ ଯେପରି ଧାନ ବିକ୍ରୟ କରି ତାର ପ୍ରାପ୍ୟ ଠିକ୍ ସମୟରେ ପାଏ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲା ପ୍ରଶାସନ, ଜିଲ୍ଲାସ୍ତରୀୟ ଅନ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହଯୋଗ ଓ ସଂପୃକ୍ତ ସଂସ୍ଥାମାନେ ସମ୍ମିଳିତ ପ୍ରୟାସରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।
ଚାଷୀମାନଙ୍କ ଅଭିଯୋଗ ବା ଅନୁସନ୍ଧାନ ପାଇଁ ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ ତରଫରୁ ଦେୟମୁକ୍ତ ନମ୍ବର ୧୯୬୭ କାର୍ଯ୍ୟକ୍ଷମ ରହିଛି । ଧାନ କ୍ରୟ ସମୟରେ ଦୁଇଟି ପାଳିରେ ୩୦ ଟି କଲ ସେଣ୍ଟର ଏକ୍ଜିକ୍ୟୁଟିଭମାନେ ଓଡ଼ିଶା ଯୋଗାଣ ନିଗମ ମୁଖ୍ୟାଳୟରେ ପରିଚାଳନା କାର୍ଯ୍ୟ କରିବେ । ଧାନ କ୍ରୟ ସଂପର୍କିତ ସୂଚନା ଓ ପ୍ରଚାର ପ୍ରସାର ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ମଣ୍ଡି ପରିଚାଳନା ପାଇଁ ବିଭିନ୍ନ ଜିଲ୍ଲାରେ ମଣ୍ଡି ନୋଡାଲ ଅଧିକାରୀ, ମଣ୍ଡି ସୁପରଭାଇଜର ଏବଂ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଦିଆଯାଉଥିବା ସଂପର୍କରେ ଆଲୋଚନା କରାଯାଇଥିଲା । ଗତ ଥର ମଣ୍ଡି ନୋଡାଲ ଅଧିକାରୀ, ମଣ୍ଡି ସୁପରଭାଇଜର ନିୟୋଜନ ଫଳରେ କଟନି , ଛଟଣି ଏବଂ ମଣ୍ଡିରେ ଅନିୟମିତତା ବହୁ ପରିମାଣରେ ରୋକା ଯାଇପାରିଥିବା ଏବଂ ବିଭିନ୍ନ ସମସ୍ୟା ସଂପର୍କିତ କମ୍ ଅଭିଯୋଗ ଆସିଥିବା ବୈଠକରେ ସୂଚନା ଦିଆଯାଇଥିଲା । ରାଜ୍ୟରେ ୩୦୦୧ ଟି ସେବା ସମବାୟ ସମିତି ଧାନ ସଂଗ୍ରହରେ ସାମିଲ ହେବେ । ୧୪୬୧ କଷ୍ଟମ ମିଲର ଧାନ ସଂଗ୍ରହ କରିବେ । ମୋଟ ୪୦୬୭ ଟି ମଣ୍ଡିରେ ଧାନ ସଂଗ୍ରହ ହେବ । ଏଫସିଆଇ ଏବଂ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ମୋଟ ୧୬୧ ଟି ଗୋଦାମ ଘରର ମୋଟ୍ ଷ୍ଟୋରେଜ୍ କ୍ଷମତା ୬.୬୮ ଲକ୍ଷ ମେଟ୍ରିକ୍ ଟନ୍ ରହିଛି ।
ରାଜସ୍ୱ, ସମବାୟ ବିଭାଗ, ଜିଲ୍ଲା ପୁଲିସ୍ ପ୍ରଶାସନ, ପରିବହନ, ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ନିବନ୍ଧକ, ଯୋଗାଣ ନିରୀକ୍ଷକ, ଯୋଗାଣ ନିଗମ ଅଧିକାରୀ ଆଦିଙ୍କୁ ନେଇ ଆନ୍ତଃ ବିଭାଗୀୟ ସମନ୍ୱୟକୁ ଗୁରୁତ୍ୱ ଦିଆଯାଇଛି । ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଧାନ ଅନଧିକୃତ ଭାବେ ପ୍ରବେଶ ରୋକିବା ପାଇଁ ସୀମାରେ କଡ଼ା ତଦାରଖ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନଙ୍କୁ ଧାନ ସଂଗ୍ରହ ପରିଚାଳନା ବ୍ୟବସ୍ଥା ନିୟମିତ ସମୀକ୍ଷା କରିବା ଏବଂ ଅଭିଯୋଗର ତ୍ୱରିତ ସମାଧାନ କରିବାକୁ ପରାମର୍ଶ ଦିଆଯାଛି । ମଣ୍ଡିରେ ଚବିଶ ଘଣ୍ଟିଆ ସିସିଟିଭି ତଦାରଖ ବ୍ୟବସ୍ଥା ସହ ପାନୀୟ ଜଳ, ଶୌଚାଳୟ, ଆବଶ୍ୟକୀୟ ଆଲୋକ, ପିଣ୍ଡି ଉପରେ ଛାତ, ବିଶ୍ରାମ ଗୃହ ଆଦି ମୌଳିକ ସୁବିଧା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀମାନଙ୍କ ଠାରୁ ସହଜ ଓ ସୁବିଧାରେ ଧାନ ସଂଗ୍ରହ ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଏବଂ ସମବାୟ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟାପକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
