ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବ ଉପଲକ୍ଷେ ଶବଦ କୀର୍ତ୍ତନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବ ଉପଲକ୍ଷେ ଶବଦ କୀର୍ତ୍ତନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ lସମ୍ପୂର୍ଣ୍ଣ ଶିଖ୍ ପରମ୍ପରା ଦେଶ ଏବଂ ଏହାର ସଂସ୍କୃତି ପାଇଁ ସର୍ବସ୍ୱ ତ୍ୟାଗ କରିବାର ଭାବନାର ପ୍ରତୀକ : ପ୍ରଧାନମନ୍ତ୍ରୀଆଜି ବିଶ୍ୱର ଅନେକ ଅଞ୍ଚଳରେ ସଂଘର୍ଷ ଚାଲିଛି, ସେଠାରେ ଅଗଣିତ ନିରୀହ ଲୋକ ଏବଂ ପରିବାର ହିଂସା ଓ ଅସ୍ଥିରତାର ସମ୍ମୁଖୀନ ହେଉଛନ୍ତି; ଏଭଳି ସମୟରେ, ବିଶ୍ୱର ପ୍ରତ୍ୟେକ କୋଣରେ ଶାନ୍ତି ସୁନିଶ୍ଚିତ କରିବା, ପ୍ରତ୍ୟେକ ପରିବାରକୁ ସୁରକ୍ଷା ଯୋଗାଇବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ପାଇଁ ‘ସରବତ୍‌ ଦା ଭଲା’ (ସମସ୍ତଙ୍କ କଲ୍ୟାଣ) ଭାବନା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି: ପ୍ରଧାନମନ୍ତ୍ରୀଦେଶର ପ୍ରତ୍ୟେକ ଯୁବବର୍ଗ ନିଶାମୁକ୍ତ ହେବା, ନିଜ ସ୍ୱପ୍ନ ପୂରଣ କରିବା, ଭଲ ପାଠ ପଢ଼ିବା ଏବଂ ନିଜ ପରିବାର ତଥା ଦେଶ ପାଇଁ ଗୌରବ ଉଚିତ୍; ଏହି ପ୍ରୟାସରେ ପରିବାରଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି; ଏହା ସହିତ ଆମର ସଙ୍ଗତ, ଗୁରୁଦ୍ୱାରା ଓ ସାମାଜିକ ସଂଗଠନଗୁଡ଼ିକ ମିଳିତ ଭାବେ ଯୁବପିଢ଼ିଙ୍କୁ ମାର୍ଗଦର୍ଶନ କରିପାରିବେ ଏବଂ ସେମାନଙ୍କୁ ସଠିକ୍ ପଥ ବାଛିବା ପାଇଁ ସାହସ ଯୋଗାଇପାରିବେ: ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ, ୨୩ ନଭେମ୍ବରଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପବିତ୍ର ‘ପ୍ରକାଶ ପରବ’ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଶବଦ କୀର୍ତ୍ତନ’ରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ‘ୱାହେଗୁରୁ ଜୀ କା ଖାଲସା, ୱାହେଗୁରୁ ଜୀ କୀ ଫତେହ!’ ବାକ୍ୟ ସହ ଆରମ୍ଭ କରିଥିଲେ। ଏକ ପବିତ୍ର ପରିବେଶ ମଧ୍ୟରେ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିବା ସହ, ‘ଶବଦ କୀର୍ତ୍ତନ’ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବାରୁ ସେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ମଧ୍ୟ ଦେଶବାସୀଙ୍କୁ ଏହି ପର୍ବ ଅବସରରେ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, “ପ୍ରକାଶ ପରବ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି।”ଗୁରବାଣୀର ପ୍ରତ୍ୟେକ ଶବଦ ଏବଂ କୀର୍ତ୍ତନର ପ୍ରତ୍ୟେକ ସ୍ୱରକୁ କେବଳ ସଙ୍ଗୀତ ଠାରୁ ବହୁ ଊର୍ଦ୍ଧ୍ୱରେ ବୋଲି ବର୍ଣ୍ଣନା କରି, ପ୍ରଧାନମନ୍ତ୍ରୀ ଏହାକୁ ଏକ ଆଧ୍ୟାତ୍ମିକ ସାଧନା ଏବଂ ଜ୍ଞାନର ସାଗରରେ ବୁଡ଼ିବା ସହିତ ତୁଳନା କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଯେତେବେଳେ ବି ସେ ଏଭଳି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କିମ୍ବା ସୁଯୋଗ ପାଇଥା’ନ୍ତି, ସେ ନିଶ୍ଚିତ ଭାବରେ ସଙ୍ଗତ ଏବଂ କୀର୍ତ୍ତନରେ ଯୋଗ ଦେଇଥାନ୍ତି ।ଗୁରୁ ନାନକ ଦେବ ଜୀଙ୍କର ‘କିରତ କରୋ, ବନ୍ଦ ଛକୋ, ନାମ ଜପୋ’ (ପରିଶ୍ରମ କର, ବାଣ୍ଟି ଖାଅ ଏବଂ ନାମ ଜପ କର) ଶିକ୍ଷାକୁ ନିଜ ଜୀବନର ଏକ ସ୍ୱାଭାବିକ ଅଂଶ ଭାବରେ ପିଲାଦିନରୁ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ ଗୁରୁଦ୍ୱାରାରେ ମଥା ନୁଆଁଇବା, ଗୁରବାଣୀରେ ମଗ୍ନ ହେବା, ସେବାର ଆନନ୍ଦ ଅନୁଭବ କରିବା, ଲଙ୍ଗରରେ ଅଂଶଗ୍ରହଣ କରିବା ଏବଂ ଅନେକ ଥର ଶ୍ରୀ ହରମନ୍ଦିର ସାହିବରେ ନତମସ୍ତକ ହେବାର ସ୍ମୃତି ବିଷୟରେ ଅତି ଆଦରର ସହ ବର୍ଣ୍ଣନା କରିଥିଲେ । ଶ୍ରୀ ମୋଦୀ କହିଲେ, “ମୋର ପୁରୁଣା ସହଯୋଗୀମାନେ ଜାଣିଥିବେ ଯେ ମୁଁ ପଞ୍ଜାବରେ ମଧ୍ୟ ବହୁତ ସମୟ ବିତାଇଛି ଏବଂ ସେହି ସମୟ ମୋ ଜୀବନର ଅନ୍ୟତମ ସ୍ୱତନ୍ତ୍ର ସ୍ମୃତି ହୋଇ ରହିଛି।”ଗୁରୁଙ୍କ କୃପାରୁ ନିରନ୍ତର ଶିଖ୍ ସନ୍ଥମାନଙ୍କ ସାନ୍ନିଧ୍ୟ ଲାଭ କରୁଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସରେ ଅନେକ ସନ୍ଥ ଓ ବିଦ୍ୱାନମାନଙ୍କୁ ଆତିଥ୍ୟ ପ୍ରଦାନ କରିବାର ସୌଭାଗ୍ୟ ପାଇଥିବା ବିଷୟ ଉଲ୍ଲେଖ କରି ଶ୍ରୀ ମୋଦୀ କହିଲେ ଯେ, ଏହି କାର୍ଯ୍ୟକ୍ରମରେ ସେମାନଙ୍କ ଉପସ୍ଥିତି ଯୋଗୁଁ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଶକ୍ତି ଅନୁଭୂତ ହେଉଛି। ସେ ସମସ୍ତ ଶିଖ୍ ଭାଇମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ଅବସରରେ ମୁଁ ସମସ୍ତ ସନ୍ଥ ଓ ବିଦ୍ୱାନମାନଙ୍କୁ ପ୍ରଣାମ ଜଣାଉଛି।”ଚଳିତ ବର୍ଷର ‘ପ୍ରକାଶ ପରବ’ ଶ୍ରୀ ଗୁରୁ ତେଗ୍ ବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ସହିତ ଏକ ସମୟରେ ପଡ଼ୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଦେଶର ପରିଚୟ, ଆସ୍ଥା, ବିଶ୍ୱାସ ଏବଂ ମୂଲ୍ୟବୋଧର ସୁରକ୍ଷା ପାଇଁ ସେ ଦିଲ୍ଲୀର ମାଟିରେ ନିଜ ଜୀବନ ବଳି ଦେଇଥିଲେ। ୩୫୦ ବର୍ଷ ବିତିଯାଇଥିଲେ ମଧ୍ୟ ସେହି ବଳିଦାନର ପ୍ରେରଣା ଦେଶର ମାଟିରେ ଏବଂ ପ୍ରତ୍ୟେକ କୋଣରେ ଗଭୀର ଭାବରେ ଜଡ଼ିତ ହୋଇ ରହିଛି। ଏଥିପାଇଁ ଦେଶର ପ୍ରତ୍ୟେକ ନାଗରିକ ତାଙ୍କ ନିକଟରେ ସର୍ବଦା କୃତଜ୍ଞ ରହିବେ। ବୋଲି ସେ ଦୋହରାଇଥିଲେ ।ସେ କହିଥିଲେ, ସମଗ୍ର ଶିଖ ପରମ୍ପରା ଦେଶ ଓ ଏହାର ସଂସ୍କୃତି ପାଇଁ ସର୍ବସ୍ୱ ତ୍ୟାଗ କରିବାର ଏକ ପ୍ରତୀକ । ଭାଇ ମତି ଦାସ ଜୀ, ଭାଇ ସତୀ ଦାସ ଜୀ ଏବଂ ଭାଇ ଦୟାଲା ଜୀଙ୍କ ବଳିଦାନ ତଥା ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରଦର୍ଶିତ ଅଦମ୍ୟ ମନୋବଳର ଏହାର ଜ୍ୱଳନ୍ତ ଉଦାହରଣ। ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ସର୍ଦ୍ଦାର ତେଜା ସିଂହ ସମୁନ୍ଦ୍ରୀ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ‘ଗୁରୁଦ୍ୱାର ସଂସ୍କାର ଆନ୍ଦୋଳନ’ରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଜୀବନବ୍ୟାପୀ ସେବା ଭାବନା ପାଇଁ ସେ ତାଙ୍କୁ ସ୍ମରଣ କରିଥିଲେ । ଏ ବର୍ଷ ତାଙ୍କ ବଳିଦାନର ଶହେ ବର୍ଷ ପୂରଣ ହେଉଛି; ଏହି ଅବସରରେ ମୁଁ ମଧ୍ୟ ତାଙ୍କ ନିକଟରେ ମସ୍ତକ ନତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ।ଭାରତ ଶହ ଶହ ବର୍ଷ ଧରି ଦାସତ୍ୱ ସହିଥିଲା ଏବଂ ଇତିହାସର ସବୁଠାରୁ କଠିନ ସମୟରେ ମଧ୍ୟ ଗୁରୁମାନେ ଦେଶ ରକ୍ଷାର ଶିଖାକୁ ଜାଜ୍ୱଲ୍ୟମାନ ରଖିଥିଲେ । ଏହାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜିର ମହାନ ଜାତୀୟ ସଂକଳ୍ପ ଏବଂ ‘ବିକଶିତ ଭାରତ’ର ଲକ୍ଷ୍ୟ କେବଳ ସେମାନଙ୍କ ପ୍ରେରଣା ଓ ଆଦର୍ଶ ମାଧ୍ୟମରେ ହିଁ ହାସଲ କରାଯାଇପାରିବ। ତେଣୁ, ଶିଖ୍ ପରମ୍ପରା ଏବଂ ଶିଖ୍ ଐତିହ୍ୟକୁ ଏକ ଆଲୋକ ସ୍ତମ୍ଭ ଭାବରେ ଆଗକୁ ବଢ଼ାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ଦୃଢ଼ତାର ସହ କହିଥିଲେ ।ଗତ ୧୨ ବର୍ଷ ମଧ୍ୟରେ ସରକାର କିପରି ସମ୍ପୂର୍ଣ୍ଣ ନିଷ୍ଠାର ସହ ଏହି ଦାୟିତ୍ୱ ପାଳନ କରିଛନ୍ତି, ସେ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତ ତଥା ବିଦେଶରେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ୩୫୦ତମ ଏବଂ ଗୁରୁ ନାନକ ଦେବ ଜୀଙ୍କ ୫୫୦ତମ ପ୍ରକାଶ ପର୍ବ ପାଳନ କରାଯିବା କଥା ଉଲ୍ଲେଖ କଲେ। ସେ କହିଥିଲେ, ଏହି ଅବସରରେ ସ୍ମାରକୀ ମୁଦ୍ରା ଓ ଡାକଟିକଟ ଜାରି କରାଯାଇଥିଲା, ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଥିଲା, ସାରା ଦେଶରେ ଗୁରବାଣୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗୁରୁ ତେଗ୍ ବାହାଦୁର ଜୀଙ୍କ ୪୦୦ତମ ପ୍ରକାଶ ପର୍ବ ପାଳନ ପାଇଁ ଲାଲକିଲ୍ଲାରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହି ସମାନ ଭାବନା ନେଇ ଆମେ ବର୍ତ୍ତମାନ ଗୁରୁ ତେଗ୍ ବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ମଧ୍ୟ ପାଳନ କରୁଛୁ।ଆଗାମୀ ଡିସେମ୍ବର ୨୬ ତାରିଖରେ ଦେଶ ‘ବୀର ବାଲ ଦିବସ’ ପାଳନ କରିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ବୀର ସାହିବଜାଦାମାନଙ୍କ ବଳିଦାନର ଅମର ଗାଥା ଏବଂ ମାତା ଗୁଜରୀଙ୍କ ଦୃଢ଼ ସଂକଳ୍ପ ବିଷୟରେ ଯୁବ ପିଢ଼ିକୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ଜାତୀୟ ଦିବସ ପାଳନ ଆରମ୍ଭ କରାଯାଇଛି। ଯେତେବେଳେ ଆମ ପିଲାମାନେ ସେହି ସମୟର ପରିସ୍ଥିତି ବିଷୟରେ ଜାଣିବେ, ସାହିବଜାଦା ଓ ଗୁରୁମାନେ କିପରି ବଳିଦାନ ଦେଲେ ଏବଂ ଆମର ବିଶ୍ୱାସ କିପରି ସୁରକ୍ଷିତ ରହିଲା, ସେ ବିଷୟରେ ଅବଗତ ହେବେ; ତେବେ ଏହି ଜ୍ଞାନ ଓ ପ୍ରେରଣା ଦେଶ ପାଇଁ ସମର୍ପିତ ଯୁବପିଢ଼ିକୁ ଗଢ଼ିବାରେ ସହାୟକ ହେବ ।ଗୁରୁମାନଙ୍କ ଗୌରବକୁ ପାଳନ କରିବାର ପ୍ରୟାସ କେବଳ ଭାରତର ସୀମା ମଧ୍ୟରେ ସୀମିତ ନୁହେଁ ବୋଲି ଦର୍ଶାଇ, ପ୍ରଧାନମନ୍ତ୍ରୀ ଫିଲିପାଇନ୍ସର ସବୁଠାରୁ ପୁରୁଣା ଗୁରୁଦ୍ୱାରା ‘ଖାଲସା ଦିୱାନ’କୁ ତାଙ୍କର ନିକଟ ଅତୀତର ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ । ସେଠାରେ ଭାରତ ସରକାର ଏହାର ପୁନଃବିକାଶ କାର୍ଯ୍ୟରେ ସହଯୋଗ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ଆମର ପ୍ରୟାସ ହେଉଛି ଯେପରି ଆମ ଗୁରୁମାନଙ୍କର ଆଲୋକ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ଏବଂ ସେମାନଙ୍କ ଆଶୀର୍ବାଦରୁ ଭାରତ ନୂତନ ଶିଖର ସ୍ପର୍ଶ କରିବ।”‘ଅର୍ଦାସ’ ପ୍ରାର୍ଥନାର ପଂକ୍ତି ‘ନାନକ ନାମ ଚର୍ଦୀ କଲା, ତେରେ ଭାନେ ସର୍ବତ ଦା ଭଲା’ (ଈଶ୍ୱରଙ୍କ ନାମ ଜପ ଦ୍ୱାରା ସବୁବେଳେ ଉତ୍ସାହ ଓ ଦୃଢ଼ତା ଆସିଥାଏ ଏବଂ ପ୍ରଭୁଙ୍କ କୃପାରୁ ସାରା ସଂସାରର ପ୍ରାଣୀଙ୍କ କଲ୍ୟାଣ ହୁଏ)କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଗୁରୁବାଣୀ ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାର ସାର୍ବଜନୀନ ଶିକ୍ଷା ପ୍ରଦାନ କରେ। ଶ୍ରୀ ମୋଦୀ କହିଥିଲେ, “ଯେତେବେଳେ ଆମେ ସମସ୍ତଙ୍କୁ ନିଜର ବୋଲି ଭାବିବା ଆରମ୍ଭ କରୁ, ସେତେବେଳେ ହିଁ ସମସ୍ତଙ୍କ ମଙ୍ଗଳ କାମନା କରିବାର ଭାବନା ମନରେ ଜାଗ୍ରତ ହୁଏ।”ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ବିଶ୍ୱର ଅନେକ ଅଞ୍ଚଳରେ ସଂଘର୍ଷ ଚାଲିଛି । ସେଠାରେ ଅଗଣିତ ନିରୀହ ଲୋକ ଏବଂ ପରିବାର ହିଂସା ଓ ଅସ୍ଥିରତାର ସମ୍ମୁଖୀନ ହେଉଛନ୍ତି । ଏଭଳି ସମୟରେ, ବିଶ୍ୱର ପ୍ରତ୍ୟେକ କୋଣରେ ଶାନ୍ତି ସୁନିଶ୍ଚିତ କରିବା, ପ୍ରତ୍ୟେକ ପରିବାରକୁ ସୁରକ୍ଷା ଯୋଗାଇବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ପାଇଁ ‘ସରବତ୍‌ ଦା ଭଲା’ (ସମସ୍ତଙ୍କ କଲ୍ୟାଣ) ଭାବନା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି ।ଗୁରୁ ସାହିବଙ୍କ ଦ୍ୱାରା ପ୍ରଦତ୍ତ ଜୀବନ ମୂଲ୍ୟବୋଧର ପ୍ରକୃତ ପରୀକ୍ଷା ଦୈନନ୍ଦିନ ଜୀବନରେ ହିଁ ହୋଇଥାଏ ବୋଲି ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ସମାଜ ସମ୍ମୁଖରେ ଥିବା ନିଶା ସମସ୍ୟା ଭଳି ଏକ ଗୁରୁତର ଆହ୍ୱାନ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ମୋଦୀ କହିଲେ, “କେହି ଜଣେ ଯୁବାବସ୍ଥା ନିଶାର କବଳରେ ପଡ଼ିଗଲେ ତା’ ସହିତ ତା’ର ସମ୍ପୂର୍ଣ୍ଣ ପରିବାରର ସ୍ୱପ୍ନ ମଧ୍ୟ ଭାଙ୍ଗି ଚୁରମାର୍ ହୋଇଯାଏ।”ଭାରତର ପ୍ରତ୍ୟେକ ଯୁବକ ଯୁବତୀ ନିଶାମୁକ୍ତ ହୁଅନ୍ତୁ, ଯାହା ଫଳରେ ସେମାନେ ଭଲ ଭାବରେ ପାଠ ପଢ଼ିପାରିବେ, ନିଜ ସ୍ୱପ୍ନ ପୂରଣ କରିପାରିବେ ଏବଂ ନିଜ ପରିବାର ତଥା ଦେଶ ପାଇଁ ଗୌରବ ଆଣିପାରିବେ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସେ ଯୁବପିଢ଼ିଙ୍କୁ ସଠିକ୍ ମାର୍ଗ ଦେଖାଇବାରେ ପରିବାର, ସଙ୍ଗତ, ଗୁରୁଦ୍ୱାରା ଏବଂ ସାମାଜିକ ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଜୋର ଦେଇଥିଲେ। ନିଜ ବକ୍ତବ୍ୟ ଶେଷ କରିବା ପୂର୍ବରୁ ସେ ‘ପ୍ରକାଶ ପରବ’ ଅବସରରେ ଶୁଭେଚ୍ଛା ଜଣାଇବା ସହ ପାରମ୍ପରିକ ଶିଖ୍ ଅଭିବାଦନ ମଧ୍ୟ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ମୋର ଦୃଢ଼ ବିଶ୍ୱାସ ଯେ ଗୁରୁ ସାହିବଙ୍କ କୃପା ଏବଂ ସମାଜର ସାମୂହିକ ପ୍ରୟାସ ଦ୍ୱାରା ଆମେ ଆମର ନୂତନ ପିଢ଼ିକୁ ଏକ ସୁରକ୍ଷିତ ଓ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବାକୁ ସକ୍ଷମ ହେବା।”

Leave a Reply

Your email address will not be published. Required fields are marked *