ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ପୁଡୁଚେରୀ ଉପରାଜ୍ୟପାଳଙ୍କୁ ସାକ୍ଷାତ କଲେ

ପୁଡୁଚେରୀ/ଭୁବନେଶ୍ୱର, ୦୨.୦୯.୨୦୨୬: ଏକ ଆନ୍ତଃ-ରାଜ୍ୟ ଗଣମାଧ୍ୟମ ଗସ୍ତର ଅଂଶସ୍ୱରୂପ, ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ଦଳ ଆଜି ପୁଡୁଚେରୀର ଉପରାଜ୍ୟପାଳ ଶ୍ରୀ କେ. କୈଲାସନାଥନଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ପର୍ଯ୍ୟଟନ, ସଂସ୍କୃତି, ଐତିହ୍ୟ, ଆଧ୍ୟାତ୍ମିକତା, ଉପକୂଳବର୍ତ୍ତୀ ବାଣିଜ୍ୟ ଏବଂ ଅନ୍ୟାନ୍ୟ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରାଯାଇ ପୁଡୁଚେରୀ ଓ ଓଡ଼ିଶାର ବିକାଶମୂଳକ ପ୍ରାଥମିକତା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଆଲୋଚନା କାଳରେ ଉପରାଜ୍ୟପାଳ କହିଥିଲେ ଯେ ପୁଡୁଚେରୀ ମୁଖ୍ୟତଃ ପର୍ଯ୍ୟଟନ ପାଇଁ ଜଣାଶୁଣା, ଯାହା ଏହି କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଏହାର ମନୋରମ ସମୁଦ୍ର ସୈକତ, ଫ୍ରେଞ୍ଚ ସ୍ଥାପତ୍ୟ କଳା ଏବଂ ସମୃଦ୍ଧ ଭାରତୀୟ ସାଂସ୍କୃତିକ ଐତିହ୍ୟ, ସାଂସ୍କୃତିକ ଓ ଐତିହ୍ୟ ପର୍ଯ୍ୟଟନର ପ୍ରସାର ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି କରୁଛି।ସେ ଶ୍ରୀ ଅରବିନ୍ଦ ଆଶ୍ରମ ଏବଂ ଅରୋଭିଲକୁ ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ଭାବରେ ଉଲ୍ଲେଖ କରିଥିଲେ। ପୁଡୁଚେରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଅନେକ ପ୍ରାଚୀନ ମନ୍ଦିର ରହିଛି, ଯାହାର ପ୍ରତ୍ୟେକଟି ନିଜସ୍ୱ ଇତିହାସ ସହିତ ଜଡ଼ିତ। ଏହା ପର୍ଯ୍ୟଟକମାନଙ୍କୁ ଏହି ଅଞ୍ଚଳର ସ୍ୱତନ୍ତ୍ର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ଅନୁଭବ କରିବାର ସୁଯୋଗ ପ୍ରଦାନ କରିଥାଏ।ଶ୍ରୀ କୈଲାସନାଥନ କହିଥିଲେ ଯେ କେନ୍ଦ୍ର ସରକାର ପୁଡୁଚେରୀର ସମଗ୍ର ବିକାଶ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଏହି କେନ୍ଦ୍ରଶାସିତ ଅଞ୍ଚଳର କଲ୍ୟାଣ ଓ ବିକାଶ ପାଇଁ ଗୃହ ମନ୍ତ୍ରଣାଳୟ ଦ୍ୱାରା ପର୍ଯ୍ୟାପ୍ତ ପାଣ୍ଠି ଆବଣ୍ଟନ କରାଯାଉଛି। ସେ ଆହୁରି ମଧ୍ୟ କହିଥିଲେ ଯେ ସର୍ବାଙ୍ଗୀନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପୁଡୁଚେରୀ ସରକାର କେନ୍ଦ୍ର ସହିତ ନିବିଡ଼ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି।ନିଯୁକ୍ତି ସୃଷ୍ଟି ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ପୁଡୁଚେରୀରେ ସରକାରୀ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ବ୍ୟାପକ ଓ ଅଧିକ ସ୍ୱଚ୍ଛ କରାଯାଇଛି, ଯାହା ଯୁବ ଓ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରୁଛି ଏବଂ ସେମାନଙ୍କୁ କେନ୍ଦ୍ରଶାସିତ ଅଞ୍ଚଳର ବିକାଶରେ ଯୋଗଦାନ ଦେବାକୁ ସମର୍ଥ କରୁଛି।ମତ୍ସ୍ୟ ଉତ୍ପାଦନ ଓ ରପ୍ତାନି ଏବଂ ସାମୁଦ୍ରିକ ଖାଦ୍ୟ (ସୀ’ଫୁଡ୍) ଉତ୍ପାଦନ ଓ ରପ୍ତାନିର ପ୍ରୋତ୍ସାହନ ଉପରେ ଦିଆଯାଉଥିବା ଗୁରୁତ୍ୱ ବିଷୟରେ ମଧ୍ୟ ଉପରାଜ୍ୟପାଳ ଆଲୋକପାତ କରିଥିଲେ। ସେ କହିଥିଲେ, “ମତ୍ସ୍ୟଜୀବୀ ସମ୍ପ୍ରଦାୟର କଲ୍ୟାଣ ଓ ସଶକ୍ତୀକରଣ ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।”ଓଡ଼ିଶା ବିଷୟରେ କହିବାକୁ ଯାଇ ଶ୍ରୀ କୈଲାସନାଥନ କହିଥିଲେ ଯେ ଏହି ରାଜ୍ୟ କ୍ରମାଗତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଶକ୍ତି ଭାବରେ ଉଭା ହେଉଛି। ଏହାର ଦୀର୍ଘ ଉପକୂଳ, ପ୍ରଚୁର ଖଣିଜ ସମ୍ପଦ ଏବଂ ପ୍ରମୁଖ ବନ୍ଦରଗୁଡ଼ିକୁ ମିଶାଇ ଆଧୁନିକ ଭିତ୍ତିଭୂମି ଆର୍ଥିକ ପ୍ରଗତି ପାଇଁ ବିପୁଳ ସୁଯୋଗ ଯୋଗାଇ ଦେଉଛି।ସେ ଆଶା ପ୍ରକାଶ କରିଥିଲେ ଯେ ଓଡ଼ିଶାର ବିଶାଳ ଯୁବପ୍ରତିଭା ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟର ଆର୍ଥିକ ଓ ସର୍ବାଙ୍ଗୀନ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ। ଏହା ସହିତ ଏକ ବିକଶିତ ଭାରତ ଗଠନର ବୃହତ୍ତର ଜାତୀୟ ପ୍ରୟାସରେ ମଧ୍ୟ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ।ଉପରାଜ୍ୟପାଳ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ମଧ୍ୟ ପ୍ରଶଂସା କରିଥିଲେ। ନିଜର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ବର୍ଷଗୁଡ଼ିକୁ ମନେ ପକାଇ ସେ କହିଥିଲେ ଯେ ତାଙ୍କୁ ଅନେକ ଓଡ଼ିଆ ସହକର୍ମୀଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା ଏବଂ ସେମାନଙ୍କ ଜରିଆରେ ସେ ଓଡ଼ିଆ ଖାଦ୍ୟପେୟ ସହ ପରିଚିତ ହୋଇଥିଲେ। ସେ ଆନନ୍ଦର ସହ ଓଡ଼ିଶାର ପାରମ୍ପରିକ ସ୍ୱାଦିଷ୍ଟ ଖାଦ୍ୟ ‘ପଖାଳ’ ଚାଖିଥିବା କଥା ସ୍ମରଣ କରିଥିଲେ।ଶ୍ରୀ କୈଲାସନାଥନ ଆଶା ବ୍ୟକ୍ତ କରିଥିଲେ ଯେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳର ଏହି ଗସ୍ତ ଓଡ଼ିଶା ଏବଂ ପୁଡୁଚେରୀ ମଧ୍ୟରେ ସାଂସ୍କୃତିକ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବ।ଏହି ଆଲୋଚନା କାଳରେ ସେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) କୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ନୀତି ଏବଂ ଯୋଜନା ବିଷୟରେ ସୂଚନା ପ୍ରସାରଣ ପାଇଁ ଏକ ବିଶ୍ୱସନୀୟ ମାଧ୍ୟମ ଭାବରେ ବର୍ଣ୍ଣନା କରିଥିଲେ। ସେ ସାମ୍ବାଦିକମାନଙ୍କ ସହ ଓଡ଼ିଶାରେ ପିଆଇବିର କାର୍ଯ୍ୟକାରିତା, ଗଣମାଧ୍ୟମ ସହିତ ସୂଚନା ଆଦାନପ୍ରଦାନର ବ୍ୟବସ୍ଥା ଏବଂ ଜନସାଧାରଣଙ୍କ ସହ ଯୋଗାଯୋଗରେ ଏହାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।ଭାରତ ସରକାରଙ୍କ ଦ୍ୱାରା ହାତକୁ ନିଆଯାଇଥିବା ପ୍ରମୁଖ ବିକାଶମୂଳକ ପଦକ୍ଷେପଗୁଡ଼ିକର ପ୍ରଭାବ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ସାମ୍ବାଦିକମାନଙ୍କୁ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିବା ପାଇଁ ପିଆଇବି ଭୁବନେଶ୍ୱର ଦ୍ୱାରା ଏହି ଆନ୍ତଃ-ରାଜ୍ୟ ଗଣମାଧ୍ୟମ ଗସ୍ତ ଆୟୋଜନ କରାଯାଇଛି।ଗସ୍ତରେ ଆସିଥିବା ସାମ୍ବାଦିକମାନଙ୍କ ଦଳର ନେତୃତ୍ୱ ପିଆଇବି ଭୁବନେଶ୍ୱରର ଉପ-ନିର୍ଦ୍ଦେଶକ ମନୋଜ କୁମାର ଜାଲି ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ନେଉଛନ୍ତି।

Leave a Reply

Your email address will not be published. Required fields are marked *