ସମ୍ବଲପୁରଠାରେ ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦମାନଙ୍କ ଡିଭିଜନାଲ କମିଟି ବୈଠକ ଅନୁଷ୍ଠିତ ।
ଭୁବନେଶ୍ୱର, ଅକ୍ଟୋବର ୩୦, ୨୦୨୬ପୂର୍ବ ତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ଅଧୀନସ୍ଥ ମାନ୍ୟବର ସାଂସଦମାନଙ୍କୁ ନେଇ ଡିଭିଜନାଲ କମିଟି ବୈଠକ ଆଜି ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲଙ୍କ ସମେତ ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ଓ ଛତିଶଗଡ଼ର ମାନ୍ୟବର ସାଂସଦମାନେ ଏହି ବୈଠକରେ ଯୋଗଦେଇ ଅଞ୍ଚଳର ରେଳ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ବୈଠକରେ ଉପସ୍ଥିତ ମାନ୍ୟବର ସାଂସଦମାନେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାରଙ୍କୁ ଡିଭିଜନାଲ କମିଟିର ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରିଥିଲେ। ଏହି ବୈଠକରେ ମହାସମୁନ୍ଦର ଲୋକସଭା ସାଂସଦ ଶ୍ରୀମତୀ ରୂପ କୁମାରୀ ଚୌଧୁରୀ ଏବଂ କନ୍ଧମାଳର ଲୋକସଭା ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଏଥିସହିତ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିର ମାନ୍ୟବର ସାଂସଦମାନଙ୍କ ପ୍ରତିନିଧିମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।ମାନ୍ୟବର ସାଂସଦମାନେ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ପ୍ରଶଂସା କରିବା ସହ ରେଳ ଭିତ୍ତିଭୂମିର ଅଧିକ ସୁଦୃଢ଼ୀକରଣ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ।

ଯାତ୍ରୀ ସୁବିଧାର ଉନ୍ନତି, ଟ୍ରେନ୍ ଓ ରେଳ ଷ୍ଟେସନଗୁଡ଼ିକର ପରିଚ୍ଛନ୍ନତା, ଟ୍ରେନ୍ ଚଳାଚଳର ବୃଦ୍ଧି, ନୂତନ ରେଳପଥ ନିର୍ମାଣ, ଦୁର୍ଗମ ଅଞ୍ଚଳକୁ ଉନ୍ନତ ରେଳ ସଂଯୋଗ, ରେଳ ଓଭରବ୍ରିଜ୍ ଏବଂ ଅଣ୍ଡରବ୍ରିଜ୍ ନିର୍ମାଣ, ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର ସମୟୋଚିତ ସମାପ୍ତି, ବିଭିନ୍ନ ଷ୍ଟେସନରେ ଟ୍ରେନ ରହଣି ଏବଂ ଅଞ୍ଚଳରେ ରାଜସ୍ୱ ଓ ନିଯୁକ୍ତି ସୃଷ୍ଟି ବୃଦ୍ଧି ଆଦି ବିଷୟ ଉପରେ ବିଶେଷ ଆଲୋଚନା ହୋଇଥିଲା।ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ମାନ୍ୟବର ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ଗଠନମୂଳକ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ ପୂର୍ବ ତଟ ରେଳପଥର କାର୍ଯ୍ୟଦକ୍ଷତା, ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ଯାତ୍ରୀ ସେବାର ଉନ୍ନତି ସହ ଅଞ୍ଚଳର ମାଲ ପରିବହନ ଆବଶ୍ୟକତା ପୂରଣ ପାଇଁ ରେଳପଥ ପକ୍ଷରୁ ନିରନ୍ତର ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ।ଏହି ବୈଠକରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକଙ୍କ ସମେତ ପୂର୍ବ ତଟ ରେଳପଥ ମୁଖ୍ୟାଳୟର ବିଭିନ୍ନ ବିଭାଗର ପ୍ରମୁଖ ମୁଖ୍ୟ ଅଧିକାରୀମାନେ ଓ ସମ୍ବଲପୁର ରେଳମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ |
