ଦୁର୍ଗାପୂଜା ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ– ତା.୧୧.୦୯.୨୦୨୧- ଆସନ୍ତା ଦୁର୍ଗାପୂଜା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡି ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଜାରିହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି। ପୂଜା ମଣ୍ଡପ ତିନି ପାର୍ଶ୍ବ ବନ୍ଦ ରଖାଯିବ ଏବଂ ସମ୍ମୁଖ ପାର୍ଶ୍ବ ପରଦା ଦ୍ବାରା ଢଙ୍କା ଯିବ । କୌଣସି ଡାକବାଜି ଯନ୍ତ୍ର, ଶୋଭାଯାତ୍ରା, ଭୋଜିଭାତ, ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଭକ୍ତଙ୍କୁ ମଣ୍ଡପ ନିକଟରେ ପୂଜା ଓ ଦର୍ଶନ ଉପରେ କଟକଣା ଲାଗୁ ହୋଇଛି । ସେହିପରି ମୂର୍ତ୍ତି ର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ପୂଜକଙ୍କ ସମେତ କେବଳ ୭ ଜଣ କର୍ମକର୍ତ୍ତାଙ୍କୁ ପୂଜା ମଣ୍ତପ ନିକଟରେ ରହିବାକୁ ଅନୁମତି ଦିଆଯିବ । ପ୍ରତ୍ୟେକଙ୍କୁ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥା ସହ ମଣ୍ତପ ନିକଟରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ପ୍ରତ୍ୟେକ ମଣ୍ତପରେ ସଫେଇ ସହ ଆବଶ୍ୟକ ସ୍ଥଳେ ଆଲୋକିକରଣ ବ୍ୟବସ୍ଥା କରାଯିବ । ମଙ୍ଗଳାଘାଟ ନିକଟରେ ବିସର୍ଜନ ନିମନ୍ତେ କୃତ୍ରିମ ପୋଖରୀ ପାଖରେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବ ବୋଲି ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ କହିଛନ୍ତି । ସେହିପରି ପରମ୍ପରା କୁ ଦୃଷ୍ଟି ରେ ରଖାଯାଇ ଶ୍ରୀମନ୍ଦିର ସମୁଖରେ ଗୋଷାଣୀ ଯାତ୍ରା ବେଳେ ଦେବ ସଭାକୁ ଅନୁମତି ଦିଆଯାଇଛି । ସେହିପରି ପ୍ରତ୍ୟେକ ପୂଜା ମଣ୍ତପ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ରୀୟ ରିପୋର୍ଟ ପ୍ରଦାନ କରିବାକୁ ସଂପୃକ୍ତ ଥାନଧିକାରୀ ମାନଙ୍କୁ କୁହାଯାଇଛି । ପୂଜା ମଣ୍ଡପ ନିମନ୍ତେ ପୌରସଂସ୍ଥା ଅଞ୍ଚଳରେ ଉପ ଜିଲ୍ଲାପାଳ ଏବଂ ଅନ୍ୟ ଅଞ୍ଚଳରେ ସଂପୃକ୍ତ ତହସିଲଦାର ଅନୁମତି ପ୍ରଦାନ କରିବେ । ତେବେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ପୂଜା ସମୟରେ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ଜେନା, ସଂପୃକ୍ତ ଥାନାଧିକାରୀ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *